କରୋନା ଛଡାଇନେଇଛି ‌ରୋଜଗାର, ଦୁର୍ଦ୍ଦିନରେ ଜିଲ୍ଲାର ୨୦୦୦ କଳାକାର

ରାଉରକେଲା: କରୋନା ଛଡାଇ ନେଇଛି ଅନେକଙ୍କ ରୋଜଗାର। ପରିବାର ପ୍ରତିପୋଷଣ ପାଇଁ କିଏ ରାସ୍ତା କଡରେ ପରିବା ବିକୁଛି ତ ଅନ୍ୟ କିଏ ଆଳୁ ପିଆଜ । ଏବେ ଏମିତି ଦୟନୀୟ ଜୀବନ ଜୀଉଁଛନ୍ତି ସୁନ୍ଦରଗଡ ଜିଲ୍ଲାର ଶହ ଶହ କଳାକାର। ନିରବୀ ଯାଇଛନ୍ତି ମଞ୍ଚ। ସୁମଧୁର ଗୀତ, ବାଦ୍ୟଯନ୍ତ୍ର ଫାଟିପଡୁଥିବା ମଞ୍ଚ ଏବେ ନିସବ୍ଧ। ଯେଉଁମାନେ ମଞ୍ଚର ରଙ୍ଗାରଙ୍ଗ ଆଲୋକରେ ମାଇକ୍ରୋ ଫୋନ୍‌ ଧରି ସୁମଧୁର ଗୀତରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ଓ ମତୁଆଲା କରୁଥିଲେ। ଦର୍ଶକଙ୍କୁ ମଞ୍ଚରେ ନଚାଉଥିଲେ। ଏବେ ମାକକ୍ରୋଫୋନ୍‌ ବଦଳରେ ସେ ହାତରେ ବୋହୁଛନ୍ତି ସିମେଣ୍ଟ, ଇଟା। ଦଣ୍ଡି ଧରି ରାସ୍ତାରେ କଡରେ ବିକୁଛନ୍ତି ପନିପରିବା। ପ୍ଲାସ୍‌ ଧରି କରୁଛନ୍ତି ବିଦ୍ୟୁତ୍‌ ମରାମତି କାମ। ଯାହା କିଛି ରୋଜଗାର କରୁଛନ୍ତି, ସେତକରେ ସେମାନଙ୍କ ପରିବାର ଚଳୁଛି। ଓଳିଏ ଖାଇଲେ ଆର୍‌ ଓଳିକୁ ଓପାସରେ ରହୁଛନ୍ତି। ଅନେକଙ୍କୁ ସରକାରୀ ସାହାଯ୍ୟ ଓ ସହଯୋଗ ମିଳୁଛି। କିନ୍ତୁ ଏମାନଙ୍କ ଦୁଃଖ ଶୁଣିବାକୁ ଯେମିତି କାହା ପାଖରେ ସମୟ ନାହିଁ। ସ୍ଥାନୀୟ ସାଂସଦ, ରାଉରକେଲା ଓ ରଘୁନାଥପାଲୀ ବିଧାୟକଙ୍କୁ ସହାୟତା କରିବାକୁ ଅନେକ ଥର ଗୁହାରି କରିଛନ୍ତି।

ହେଲେ ଆଜି ପର୍ଯ୍ୟନ୍ତ କେହି ଜଣେ ଜନ ପ୍ରତିନିଧି ଏମାନଙ୍କ ଭୋକର ଯନ୍ତ୍ରଣା ବୁଝି ନାହାନ୍ତି। କେବଳ ଜନପ୍ରତିନିଧି ନୁହେଁ ଯେଉଁ ବଡ ବଡିଆମାନେ ଏମାନଙ୍କୁ ନେଇ ବଡ ବଡ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଭଲ୍‌ ଦି‘ ପଇସା କମାଉଥିଲେ। ସେମାନେ ମଧ୍ୟ ଏମାନଙ୍କୁ ଭୁଲି ଯାଇଛନ୍ତି। ତଥାପି ଏଭଳି ଜଟିଳ ସମୟରେ ମାନବିକତା ପରିଚୟ ଦେଇଛନ୍ତି ସହରର କିଛି ମାରୱାଡି ସଂସ୍ଥା। ଭୋକ ଉପାସରେ କଳାତିପାତ କରୁଥିବା କିଛି କଳାକାରଙ୍କ ମୁହଁରେ ଆହାର ଦେଇଛନ୍ତି। ଥରେ ନୁହେଁ ଦୁଇ ଥର କିଛି କଳାକାରଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଭଜନ ସଂଧ୍ୟା, ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ, ଅର୍କେଷ୍ଟ୍ରା ଆଦି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୨ ହଜାର କଳାକାର ନିଜର ଜୀବିକା ନିର୍ବାହ କରିଥାନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୫% କଳାକାର ସରକାରୀ, ଘରୋଇ ସଂସ୍ଥାରେ ଚାକିରି କରିଛନ୍ତି। ଅବଶିଷ୍ଟ ୮୫% କଳାକାରଙ୍କ ବୃତ୍ତି ଉପରେ କରୋନା ମାଡ ହୋଇଛି। କରୋନା ପ୍ରଥମ ଓ ଦ୍ବିତୀୟ ଲହର ସେମାନଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। କଳା ପରିବେଷଣ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳୁ ନଥିବାରୁ ଏବେ ସେମାନେ ନିଜ ନିଜର ବେଉସା ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ବୀରମିତ୍ରପୁର କିଛି କଳାକାର ଏବେ ରାସ୍ତା କଡରେ ବସି ପରିବାର ବେପାର କରୁଛନ୍ତି। ରାଉରକେଲା କିଛି କଳାକାର ଆଇଜିଏଚ୍‌ ନିକଟରେ ଚାଲିଥିବା କନଷ୍ଟ୍ରକ୍ସସନ ସଂସ୍ଥାରେ ଦିନ ମଜୁରିଆ କାମ କରୁଛନ୍ତି।

କେବଳ ଜିଲ୍ଲାବାସୀ ନୁହେଁ ପଡୋଶୀ ରାଜ୍ୟବାସୀଙ୍କୁ ପର୍ବପର୍ବାଣୀ, ଉତ୍ସବ, ମହୋତ୍ସବରେ ମନୋରଞ୍ଜନର ଖୋରାକ ଯୋଗାଉଥିବା ସ୍ମାର୍ଟସିଟି ରାଉରକେଲାର କେତେକ ପ୍ରମୁଖ ଅର୍କେଷ୍ଟ୍ରା ଓ ଭଜନ ସଂଧ୍ୟାଦଳ ସ୍ଥିତି ଅତି ଦୟନୀୟ ହୋଇ ପଡିଛି। ରାଉରକେଲାର ଏନ୍.କେ.-୯, ସଙ୍ଗୀତ ଆଣ୍ଡ ସଙ୍ଗୀତ, ଶ୍ରୀକ୍ଷେତ୍ର କଳା ପରିଷଦ, ଶ୍ରୀ ମ୍ୟୁଜିକାଲ୍‌, ସରଗମ୍‌ ଆଦି କେତେକ ପ୍ରମୁଖ ଅର୍କେଷ୍ଟ୍ରା ଦଳ ଏବେ ସମ୍ପୂର୍ଣ୍ଣ ହାତ ବାନ୍ଧି ବସିଛନ୍ତି। ସଙ୍କଟ ସମୟରେ ସରକାର, ଜିଲ୍ଲା ପ୍ରଶାସନକୁ ଅନେକ ଥର ସହାୟତା ପାଇଁ ନିବେଦନ କରିଛନ୍ତି। ହେଲ ଫଳ ଶୂନ୍‌। ରାଉରକେଲା କଳାକାର ଆସୋସିଏସନର ସଭାପତି ଶଙ୍କର ଜେନା, ଉପସଭାପତି ସୁକାନ୍ତ ବାରିକ୍‌ କହନ୍ତି, ଆମ ଦୁଃଖ ଶୁଣିବାକୁ କାହା ପାଖରେ ସେମିତି ସମୟ ନାହିଁ। ସଙ୍କଟ ସମୟରେ ସରକାର କେତେ କ’ଣ ସହୟତା କରୁଛନ୍ତି। କଳାକାରଙ୍କ ଭୋକର ଜ୍ବାଳାକୁ ପାସୋରି ଯାଇଛନ୍ତି। ସମ୍ପାଦକ ଲଲାଟେନ୍ଦୁ ସାହୁ କହିଛନ୍ତି, ଆମର ଦୁର୍ଦ୍ଦିନରେ ସରକାର ସହୟତା ନକଲେ ଆମ ପରିବାର ଭାସିଯିବେ। ଏନ୍‌.କେ. -୯ର କଣ୍ଠଶିଳ୍ପୀ ମନୋଜ କୁମାର କୁହନ୍ତି କରୋନାର ଦୁଇ ଦୁଇଟି ଲହର ଆମ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ସ୍ଥିତି ଏମିତି ହୋଇଛି, ଆମେ ଭଲକି ଅଣ୍ଟା ସଳଖି ଠିଆ ହୋଇ ପାରୁ ନାହୁଁ। ମୁଁ ବାଧ୍ୟ ହୋଇ ବାପାଙ୍କ ସହ ବିଦ୍ୟୁତ୍‌ ମରାମତି କାମ କରୁଛି। କେବଳ ମୁଁ ନୁହେଁ ମୋ ଭଳି ଅନେକ କଳାକାର ସେହି ସମାନ ଦଶା ଭୋଗୁଛନ୍ତି। ସରକାର ଆମ ଦୁଃଖ ନ ଶୁଣିଲେ କିଏ ଶୁଣିବ ବୋଲି କହିଛନ୍ତି ମନୋଜ।

ସମ୍ବନ୍ଧିତ ଖବର