କୋମାକୁ ନେଇଗଲା କରୋନା, ଜୀବନ ସହ ସଂଗ୍ରାମ କରୁଛନ୍ତି ଡା. ଶ୍ରୀମନ୍ତ ସାହୁ

ବଲାଙ୍ଗୀର : କରୋନାରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ବଲାଙ୍ଗୀର ମାଟିରେ ଜନ୍ମିତ ଡା. ଶ୍ରୀମନ୍ତ ସାହୁ। ସେ ଦିଲ୍ଲୀ ରାମମୋହନ ମେଡିକାଲ କଲେଜରେ ମେଡିସିନ ପ୍ରଫେସର (ଯକୃତ ସଂମ୍ବନ୍ଧୀୟ ରୋଗ ବିଶେଷଜ୍ଞ) ଭାବେ କାର୍ଯ୍ୟରତ ଥିଲେ। ଗତ ୫ ତାରିଖ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ୭ ତାରିଖ ଦିନ ଦ୍ୱାରକାସ୍ଥିତ ମନିପାଲ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି। ଏବେ ସେ କୋମାରେ ଥିବା ଜଣାପଡ଼ିଛି। କୋଭିଡ ତାଙ୍କ ଫୁସଫୁସକୁ ଗଭୀର ମାତ୍ରାରେ ଆକ୍ରାନ୍ତ କରିଥିଲା। ଶରୀରରେ ଅକ୍ସିଜେନ ସ୍ତର ଖସିଯିବାରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୮ ତାରିଖ ଅବସ୍ଥା ସଂକଟାପନ୍ନ ହେବାରୁ ଯାନ୍ତ୍ରିକ ଫୁସ୍‌ଫୁସ୍‌ ରୋପଣ କରାଯାଇଥିଲା। ଅକ୍ସିଜେନ ମାତ୍ରା ବଢ଼ାଇବାକୁ ଡାକ୍ତରମାନେ ଉଦ୍ୟମ କରିଥିଲେ। କିନ୍ତୁ ୩୦ ଘଣ୍ଟା ପରେ ମସ୍ତିଷ୍କରେ ରକ୍ତସ୍ରାବ ହେବାରୁ ଧୀରେ ଧୀରେ ତାଙ୍କର ମସ୍ତିଷ୍କ ମଧ୍ୟ କାମ କରିପାରୁ ନାହିଁ। ଏବେ ସେ କୋମାରେ ଥିବା ତାଙ୍କ ବନ୍ଧୁବର୍ଗଙ୍କ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ରାଜେନ୍ଦ୍ର କଲେଜ ଛକରେ ଡା. ସାହୁଙ୍କ ଘର। ସେ ରାଜେନ୍ଦ୍ର କଲେଜରେ ପାଠପଢ଼ିବା ପରେ ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜ, କଟକ ଏସ୍‌ସିବି ମେଡିକାଲ କଲେଜରେ ପାଠ ପଢ଼ିଥିଲେ। ଗତ ଦୁଇ ବର୍ଷ ତଳେ ସେ ପିଜିଆଇ ଚଣ୍ଡୀଗଡ଼ରୁ ଯକୃତ ରୋଗ ସଂମ୍ବନ୍ଧୀୟ ବିଶେଷଜ୍ଞ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇ ପ୍ରଫେସର ମେଡିସିନ ଭାବରେ ଦିଲ୍ଲୀ ରାମମୋହନ ହସପିଟାଲରେ ଯୋଗଦେଇଥିଲେ। ତାଙ୍କ ଦୀର୍ଘାୟୁ ଦେଶ ପାଇଁ ନିହାତି ଆବଶ୍ୟକ। ଏହି ଖବର ତାଙ୍କ ସାଙ୍ଗସାଥୀ ଓ ବନ୍ଧୁବର୍ଗ ପାଇବା ପରେ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିଛନ୍ତି। ପ୍ରକାଶ ଯେ, କିଛି ଦିନ ହେଲା ଦିଲ୍ଲୀରେ କରୋନା ପୁଣି ଲୋକଙ୍କୁ ଡରାଇଛି। ବହୁ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଉ ଏହି ଭିତରେ ବଲାଙ୍ଗୀରର ଜଣେ ଡାକ୍ତର ଯିଏକି ସେଠାରେ ଅବସ୍ଥାନ କରିଥିଲେ ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର