କରୋନା ମୁକାବିଲା ପାଇଁ କେମିତି କାମ କରୁଛି ସରକାରୀ କଳ, ଜାଣନ୍ତୁ କେଉଁ ବିଭାଗ ତୁଲାଉଛି କେଉଁ ଦାୟିତ୍ୱ

ଭୁବନେଶ୍ବର: କରୋନା ମୁକାବିଲା ନେଇ ରାଜ୍ୟ ସରକାର ଦିନ ରାତି ଏକ କରି ଦେଇଛନ୍ତି । ବିଭିନ୍ନ ବିଭାଗ ସହ ଉଚିତ ତାଳମେଳ ରଖି କରୋନା ବିପକ୍ଷ ଲଢେଇ ଜିତିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଏପରିକି ୨୧ ଦିନର ଲକଡାଉନ୍ ସମୟରେ କେହି ଯେପରି ସମସ୍ୟାରେ ନ ପଡନ୍ତି ସେଥିପାଇଁ ଆଗାମୀ ୩ ମାସ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ କରୋନା ମୁକାବିଲା ପାଇଁ ୧୯ ଜଣ ସଚିବଙ୍କ ନେତୃତ୍ୱରେ କେଉଁ ବିଭାଗ କ’ଣ କାମ କରୁଛି ତାହାର ପୂରା ତଥ୍ୟ ରାଜ୍ୟବାସୀଙ୍କ ନିକଟରେ ରଖିଛନ୍ତି ସୁବ୍ରତ ବାଗଚୀ ।

ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ୩ ଦିଗ ଉପରେ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି । ପ୍ରଥମେ ୬୭୯୮ଟି ପଞ୍ଚାୟତରେ ଥିବା ସଭ୍ୟ ମାନଙ୍କୁ ସଚେତନତା ପାଇଁ ସଂଶ୍ଳିଷ୍ଟ କରାଯାଇଛି । ପଞ୍ଚାୟତ ଗୁଡିକରେ ୭୨୭୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଫେରିଆସିଥିବା ଗ୍ରାମବାସୀଙ୍କର ସ୍ୱାସ୍ଥ୍ୟ ଓ କିଭଳି ସେମାନେ ସଙ୍ଗରୋଧ ରହିବେ ତାହା ଉପରେ ଏହି ବିଭାଗ କାର୍ଯ୍ୟ କରିବ । ସବୁଠୁ ବଡ କଥା ଗାଁ ସ୍ତରରେ କିଭଳି କର୍ମନିଯୁକ୍ତି ସୃ୍ଷ୍ଟି କରାଯିବ ସେ ନେଇ ବିଭାଗକୁ ସୂଚିତ କରାଯାଇଛି ।

ସେହିଭଳି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ହିତାଧିକାରୀମାନଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ କରିବାକୁ କୁହାଯାଇଛି । ଜରାନିବାସ ଓ ସ୍ୱତନ୍ତ୍ର ସ୍କୁଲଗୁଡିକ ଉପରେ ଏମାନଙ୍କର ଦୃଷ୍ଟି ରହିବ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଛାତ୍ରାବାସରୁ ଛାତ୍ରଛାତ୍ରୀଙ୍କୁ ଖାଲି କରି ଘରେ ପହଞ୍ଚାଇଛି । ପାଖାପାଖି ୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟାହ୍ନ ଭୋଜନ କୁପନ ପ୍ରଦାନ କରୁଥିବା ବେଳେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସହରାଞ୍ଚଳରେ ଜଳ, ପରିମଳ ଓ ବଣ୍ଟନ ବ୍ୟବସ୍ଥାକୁ କିଭଳି ସୁଚାରୁ ରୂପେ ଚଲାଇ ହେବ ସେ ଦାୟିତ୍ୱ ମିଳିଛି । ପ୍ରାଣୀ ସମ୍ପଦ ବିଭାଗ ଅତ୍ୟାବଶ୍ୟକ ସାମଗ୍ରୀ ଯଥା, କ୍ଷୀର, ମାଛ, ମାଂସ,ଅଣ୍ଡାର ବିତରଣ କିଭଳି ହୋଇପାରିବ ତାହା ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖାଦ୍ୟଶସ୍ୟ ସହ ପେଟ୍ରୋଲ ଓ ଡିଜେଲ, ଗ୍ୟାସ ବିତରଣ ଉପରେ ନଜର ରଖିବାକୁ କୁହାଯାଇଛି । କୃଷି ଓ କୃଷକ ସଶକ୍ତକରଣ ବିଭାଗ, କୃଷିଜାତ ଦ୍ରବ୍ୟର ସୁଷମ ବିତରଣ ସହ ଆଗାମୀ ଖରିଫ ଋତୁ ପାଇଁ ବିଭିନ୍ନ କୃଷି ସାମଗ୍ରୀର ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ ଓ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ସହାୟତାକୁ ସୁନିଶ୍ଚିତ କରିବାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଶିଳ୍ପ ପାଇଁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ, ଶିଳ୍ପ ମାନଙ୍କର ସମସ୍ୟାର ସମାଧାନ ପାଇଁ ଯାହା ପଦକ୍ଷେପ ନେବାକୁ ପଡିବ ତାହା ଉପରେ ଦୃଷ୍ଟି ଦେବାକୁ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ସମସ୍ତଙ୍କ ସହ ଯୋଗାଯୋଗ ରଖିବା ସହ ସମ୍ବାଦ ପରିବେଷଣ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି । ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ, ମହିଳା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ରାସନ ବିତରଣ ଏବଂ ୬ ଲକ୍ଷ ସ୍ୱୟଂ ସହାୟିକା ମାନଙ୍କୁ କରୋନା ବାବଦରେ କିଭଳି ସଚେତନତା କରାଯାଇପାରିବ ତାହା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରନ୍ତର ବିଦ୍ୟୁତ ସେବା ଯେପରି ଜାରି ରହିବ ସେଥିପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କ ଓ ଏଟିଏମ ସେବାକୁ ନିୟନ୍ତ୍ରଣ କରିବେ ଓ ପରିଚାଳନା ପାଇଁ ଯାହା ପଦକ୍ଷେପ ଆବଶ୍ୟକ ତାହା ଗ୍ରହଣ କରିବାକୁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର