ଭୁବନେଶ୍ବର : ପ୍ରଫେସର ଡା.ରମା ରମଣ ମହାନ୍ତି ସୋମବାର ଦିନ ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ(ଡିଏମ୍ଇଟି) ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଫେସର ଡା.ସିବିକେ ମହାନ୍ତି ଗତକାଲି ଅବସର ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ଡା.ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ପାର୍ବଣ ପାଇଁ ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। କୋଭିଡ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ନୂଆବର୍ଷ ପାଇଁ ଲୋକମାନଙ୍କୁ ସଜାଗ ରହିବା ଦରକାର। ନୂଆବର୍ଷ ପରେ ରାଜ୍ୟରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ। ନିୟମ ପାଳନ କରି ସ୍କୁଲ ଖୋଲିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୩୧୬ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୧୫୨, କଟକ ୩୨, ମୟୂରଭଞ୍ଜ ୨୮, ବଲାଙ୍ଗୀର ୧୦ ଓ ଷ୍ଟେଟ୍ ପୁଲରୁ ୩୫ଜଣଙ୍କୁ ଚିହ୍ନଟ କରାଯାଇଛି। ୮ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୧ହଜାର ୭୭୩କୁ ବୃଦ୍ଧି ପାଇଛି। ଆଉ ୩ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଅନୁଗୁଳ, ବାଲେଶ୍ବର ଓ ଗଞ୍ଜାମରୁ ଜଣେ ଲେଖାଏ ମୃତକ ରହିଛନ୍ତି। ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୩୩୬ରେ ପହଞ୍ଚିଛି। ରାଜ୍ୟରେ ଆଉ ୪୩୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୭୯୯କୁ ଖସି ଆସିଛି। ଏହାସହ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୨୯ହଜାର ୫୮୫କୁ ବୃଦ୍ଧି ପାଇଛି।