କରୋନା ଚିନ୍ତା: ଜରୁରୀ ବାଦ୍ ଅନ୍ୟ ଅସ୍ତ୍ରୋପଚାର ବନ୍ଦ

ହସ୍ପିଟାଲରେ କେନ୍ଦ୍ରୀୟ ରେଜିଷ୍ଟ୍ରେସନ୍‌ ବାତିଲ
ଗୁରୁତର ରୋଗୀଙ୍କ ପାଖରେ ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ଅନୁମତି
ଟେଲିମେଡିସିନ୍ ଜରିଆରେ ରୋଗୀ ସେବାକୁ ପ୍ରୋତ୍ସାହନ

ଭୁବନେଶ୍ବର : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ହସ୍ପିଟାଲମାନଙ୍କ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି। ହସ୍ପିଟାଲ ଗୁଡ଼ିକରେ ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ସ୍ବାସ୍ଥ୍ୟକର୍ମୀ ଓ ଅଣ କୋଭିଡ୍‌ ରୋଗୀ ଯେପରି ସଂକ୍ରମିତ ନ ହେବେ ସେଥିପାଇଁ ପ୍ରୋଟୋକଲକୁ ଅନୁସରଣ କରିବା ଲାଗି କୁହାଯାଇଛି। ଏପରିକି ଜରୁରୀ ଅସ୍ତ୍ରୋପଚାରକୁ ବାଦ୍ ଦେଲେ ଅନ୍ୟ ସାଧାରଣ ଅସ୍ତ୍ରୋପଚାରକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶାଳୟ ପକ୍ଷରୁ ଆଜି ସବୁ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ରାଉରକେଲା ଓ ସମସ୍ତ ସିଡିଏମ୍‌ଓଙ୍କୁ ଚିଠି ଜାରି ହୋଇଛି।

ଏଣିକି ଡାକ୍ତରଙ୍କୁ ଭେଟିବା ଲାଗି ହସ୍ପିଟାଲରେ ହେଉଥିବା କେନ୍ଦ୍ରୀୟ ପଞ୍ଜୀକରଣ ବନ୍ଦ ରଖିବା ସହିତ ମାନୁଆଲି ଓପିଡି ପଞ୍ଜୀକରଣ କରାଯିବ। ଯାହାଫଳରେ ଅଯଥା ଭିଡ଼ ନିୟନ୍ତ୍ରଣ ହୋଇପାରିବ। ଆମ୍ବୁଲାନ୍‌ସରେ ଯିବା ଅବସ୍ଥାରେ ରହିଥିବା ରୋଗୀଙ୍କ ପାଇଁ କୌଣସି ଆଟେଣ୍ଡାଣ୍ଟ୍‌ ରହିପାରିବେ ନାହିଁ। ମାତ୍ର ଗୁରୁତର ରୋଗୀଙ୍କ ନିକଟରେ ଜଣେ ଆଟେଣ୍ଡାଣ୍ଟ୍‌ ରହିବାକୁ ଅନୁମତି ଦିଆଯାଇଛି। ନିୟମିତ ବ୍ୟବଧାନରେ ରିଭିଜିଟ୍‌କୁ ବାରଣ କରାଯାଇଥିବା ବେଳେ ଓପିଡି ଓ ଆଇପିଡିରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ନ ଯିବା ଲାଗି କୁହାଯାଇଛି।

ତେବେ ଅଧିକ ସଂଖ୍ୟାରେ ଔଷଧ ବିତରଣ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଏଠାରେ ମଧ୍ୟ ସାମାଜିକ ଦୂରତ୍ବ ଯେପରି ବଜାୟ ରହିବ ତାହାକୁ ଗୁରୁତ୍ବ ଦିଆଯିବା ଜରୁରୀ। ଫିଭର କ୍ଲିନିକ୍, ଆଇସୋଲେସନ୍‌ ୱାର୍ଡ ଓ ପରୀକ୍ଷା କେନ୍ଦ୍ର ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍‌ ଅନୁଯାୟୀ ପ୍ରତିଷ୍ଠା କରାଯିବ। କୋଭିଡ୍‌ ପ୍ରୋଟୋକଲକୁ ମାନି ମା’ ଓ ଶିଶୁଙ୍କ ଚିକିତ୍ସା ସହିତ ସମସ୍ତ ଜରୁରୀ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉ। ଅଧିକରୁ ଅଧିକ ଲୋକ ଟେଲିମେଡିସିନ୍ ସେବାର ଉପଯୋଗ କରିବେ ତାହାକୁ ପ୍ରୋତ୍ସାହିତ କରାଯିବା ସହିତ କୋଭିଡ୍‌ ବାହାନାରେ ଯେପରି ଜରୁରୀ ସେବା ପାଇବାକୁ ଥିବା ରୋଗୀଙ୍କ ସମସ୍ୟା ନ ହୁଏ ତାହାକୁ ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି। ଏହାବାଦ୍ ମେଡିକାଲ କଲେଜର ଅଧ୍ୟକ୍ଷ, କ୍ୟାପିଟାଲ ଓ ଆରଜିଏଚ୍‌ ରାଉରକେଲାର ନିର୍ଦେଶକ ସ୍ଥାନୀୟ ସ୍ଥିତି ଅନୁଧ୍ୟାନ କରି ଅନ୍ୟ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଗତବର୍ଷ କରୋନା ସଂକ୍ରମଣ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଗାଇଡଲାଇନ୍ ଜାରି ହୋଇଥିଲା। ଏହାସତ୍ତ୍ବେ ହସ୍ପିଟାଲ ଗୁଡ଼ିକରେ ବହୁ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ଓ ରୋଗୀ ନିୟମିତ ବ୍ୟବଧାନରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏପରିକି ହସ୍ପିଟାଲଗୁଡ଼ିକ ଏକପ୍ରକାର କରୋନା ହଟସ୍ପଟ୍‌ ପାଲଟି ଯାଇଥିଲା।

ସମ୍ବନ୍ଧିତ ଖବର