ଭୁବନେଶ୍ୱର : କନକ ‘ନ୍ୟୁଜ୍ ମେକର-୨୦୨୧’ର ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ତୃତୀୟ ଲହର ଅବଶ୍ୟମ୍ଭାବୀ କି? ଏହି ଆଲୋଚନାରେ ଅଂଶଗ୍ରହଣ କରି ପଦ୍ମଶ୍ରୀ ଡା.ଦିଗାମ୍ବର ବେହେରା ଓ ବରିଷ୍ଠ ଚିକିତ୍ସକ ଡା.ଦିଲୀପ ମିଶ୍ର କହିଥିଲେ ଯେ କରୋନାର ତୃତୀୟ ଲହର ସୁନିଶ୍ଚିତ। ଏହାକୁ ନେଇ ଲୋକମାନେ ଦ୍ବନ୍ଦ୍ବ ରଖିବା ଉଚିତ୍ ନୁହେଁ। ଭୂତାଣୁ ହୁଅନ୍ତୁ ବା ଜୀବାଣୁ ନିଜ ଚେହେରା ବଦଳାଇଥାନ୍ତି। ଏଥିପାଇଁ ଭୂତାଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ଭାଇରସ୍ ଅଫ୍ ଇଣ୍ଟରେଷ୍ଟ ଓ ଭାଇରସ୍ ଅଫ୍ କନସର୍ଣ୍ଣ। କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ର କେତେକ ସ୍ବତନ୍ତ୍ର ବିଶେଷତ୍ବ ରହିଛି। ଏଥିରେ ୬୦ଟି ମ୍ୟୁଟେସନ୍ ହୋଇଥିବା ବେଳେ ରୋଗୀଙ୍କ ଶରୀରରେ ସ୍ବଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା ବିଶେଷଜ୍ଞମାନେ କହୁଛନ୍ତି। ଓମିକ୍ରନ୍‌ର ସଂକ୍ରମିତ କରିବାର ଗୁଣା ଡେଲ୍‌ଟା ପ୍ରଜାତିଠାରୁ ୫ଗୁଣ ଅଧିକ। ତେଣୁ ବହୁ ସଂଖ୍ୟାରେ ଲୋକମାନେ ସଂକ୍ରମିତ ହେଲେ ତାହାଲେ ଅଧିକ ସଂଖ୍ୟାରେ ଲୋକମାନେ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି। ହେଲେ ବୟସ୍କ ଓ ଜଟିଳ ରୋଗ ଥିବା ଲୋକମାନଙ୍କ ପାଇଁ ଏହା ବିପଦ ସୃଷ୍ଟି କରିପାରେ। ପୂର୍ବରୁ କରୋନା ଆକ୍ରାନ୍ତ ହୋଇସାରିଥିବା ଓ ଟିକା ନେଉଥିବା ଲୋକ ମଧ୍ୟ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଲାଣି।

Advertisment

ମାତ୍ର ଯେଉଁଠି ଭିଡ଼ ହେବ ସେଠାରେ ସଂକ୍ରମଣ ବ୍ୟାପିବ। ତାହା ରାଜନୈତିକ କାର୍ଯ୍ୟକ୍ରମ ହେଉ ବା ଅନ୍ୟ ଯେ କୌଣସି କାର୍ଯ୍ୟକ୍ରମ। ଏଥିପାଇଁ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ, ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ। ଯାହାଫଳରେ ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାରେ ଆମେ ସକ୍ଷମ ହୋଇପାରିବା। ପ୍ରତ୍ୟେକ ମଣିଷର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଛନ୍ତି। ଟିକା ଦେବାଦ୍ବାରା ଶରୀରରେ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ମାତ୍ର ଏହା ଅଳ୍ପଦିନ ପର୍ଯ୍ୟନ୍ତ ସ୍ଥାୟୀ ହୋଇଥାଏ। କେତେ କରୋନା ଟିକା ଏହାକୁ କିଭଳି ରୋକିବାରେ ସକ୍ଷମ ହେବ ତାହା କହିବା ମୁସ୍କିଲ୍। ଆଫ୍ରିକା ଦେଶରେ ଏକାଧିକ ଲହର ଆସି ସାରିଲାଣି। ମାତ୍ର ଲୋକମାନେ ଟିକା ନେଇଥିବା କାରଣରୁ ଗୁରୁତର ହେବାରୁ ରକ୍ଷା ପାଇଛନ୍ତି। କେବଳ ଓମିକ୍ରନ୍ ନ‌ୁହେଁ ଆଗକୁ କରୋନାର ନୂଆ ପ୍ରଜାତି ମଧ୍ୟ ଆସିପାରେ। ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧକ ଶକ୍ତି ପାଇଁ ୬୫ ପ୍ରତିଶତ ଲୋକଙ୍କୁ ରୋଗାକ୍ରାନ୍ତ ହୋଇଥିଲେ ତାହା ସମ୍ଭବ ହୋଇପାରିବ।

ବୁଷ୍ଟର ଡୋଜ୍‌କୁ ନେଇ ବିଶ୍ବବ୍ୟାପୀ ଯେଉଁ ବିତର୍କ ଚାଲିଛି ତାହା ଉପରେ ଦୁହେଁ କହିଥିଲେ, ଦେଶରେ ଏବେ ବି ୬୦ ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇ ନାହାନ୍ତି। ତେଣୁ ଯେତେଶୀଘ୍ର ଲୋକମାନେ ଉଭୟ ଡୋଜ୍ ଟିକା ନେବେ ତାହା ଭଲ। ମାତ୍ର ବୁଷ୍ଟର ଡୋଜ୍‌ ନେବାର ଏବେ ସମୟ ଆସିଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାର ପରିଚାଳନା କରିଥିଲେ କନକ ନ୍ୟୁଜ୍‌ର ସଂପାଦକ ମନୋରଂଜନ ମିଶ୍ର।