ହାଏରେ କରୋନା, ଏମିତି ବି ଦୃଶ୍ୟ ତତେ ଦେଖାଇବାର ଥିଲା

ଭୁବନେଶ୍ବର: କରୋନା ମହାମାରୀ ହେତୁ ପ୍ରତିଦିନ କୁଢକୁଢ ଶବ ମଶାଣିକୁ ଯାଉଛି, ଶିଶୁ-ଯୁବକ-ବୟସ୍କ ପ୍ରାୟ ସମସ୍ତେ କରୋନା ଆକ୍ରାନ୍ତ ହେଉଛନ୍ତି ।  ଏଭଳି ସମୟରେ କେତେକ ହୃଦୟବିଦାରକ ଘଟଣା ଓ ଦୃଶ୍ୟ ସାମ୍ନାକୁ ଆସିଛି। ଏଇ ଯେମିତି କଳାହାଣ୍ଡି କୋକସରା ବ୍ଲକ ଛିଲପାମାଲ ଗାଁର କ୍ଷୀରୋଦ ନାୟକ କରୋନା ସଂକ୍ରମିତ ହେବା ପରେ ୩ ଦିନ ଧରି ଗଛମୂଳେ ରହିଛନ୍ତି । ଘରେ ସଂଗରୋଧରେ ରହିବାର ସୁବିଧା ନାହିଁ, ତେଣୁ, ପରିବାର ଲୋକଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଗଛମୂଳେ ଆଶ୍ରୟ ନେଇଥିଲେ ଆକ୍ରାନ୍ତ । ଏ ଖବର ଜଣାପଡିବାର ପରେ ସ୍ଥାନୀୟ ପ୍ରଶାସନ କ୍ଷୀରୋଦଙ୍କୁ ଉଦ୍ଧାର କରି ପର୍ଲା କୋଭିଡ ହସ୍ପିଟାଲକୁ ନେଇଛି ।

ସେହିପରି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖୁର୍ସାପାଲି ଗାଁରେ ମୃତ ପୁନଉ ମାଝୀଙ୍କୁ କରୋନା ହୋଇଥିଲା କି ନାହିଁ ସେ କଥା କାହାକୁ ଜଣାନାହିଁ, କିନ୍ତୁ କରୋନା ସଂକ୍ରମଣ ଭୟରେ ଶବର ପାଖର ମାଡିଲେ ନାହିଁ ସାହିପଡିଶା । ପ୍ରାୟ ୫ ଘଂଟା ଧରି ଶବ ପଡିରହିବା ପରେ କାନ୍ଧରେ ବୋହି ଶ୍ମଶାନକୁ ନେଲେ ସଂପର୍କୀୟ ।

କେବଳ ଏତିକି ନୁହେଁ, କରୋନା କାଳରେ ମାନବିକତା ମରି ଯାଉଥିବା ବେଳେ, ଗଞ୍ଜାମ ହିଞ୍ଜିଳିକାଟୁରେ ଅଫିସରଙ୍କ ମହାନତା ଦେଖିବାକୁ ମିଳିଛି । ବିଡିଓ, ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର ପିପିଇ କିଟ ପିନ୍ଧି କରୋନା ଆକ୍ରାନ୍ତଙ୍କ ମୃତଦେହ ସତ୍କାର କରିଛନ୍ତି ।

ଡି. ଗୋବିନ୍ଦା ନାମକ ଯୁବକଙ୍କ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଶବକୁ ସଂପର୍କୀୟ ଓ ସାଇପଡିଶା ଛୁଇଁ ନଥିଲେ । ପ୍ରାୟ ୧୦ ଘଣ୍ଟା ପରେ ଏହି  ୩ ପ୍ରଶାସନିକ ଅଧିକାରୀ, କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶବ ସତ୍କାର କରାଇଛନ୍ତି ।

ସମ୍ବନ୍ଧିତ ଖବର