କରୋନାର କରୁଣ ଚିତ୍ର : ସପ୍ତାହକ ମଧ୍ୟରେ ଆଖି ବୁଜିଲେ ଦମ୍ପତି

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଦେଖିବାକୁ ମିଳିଛି ମହାମାରୀ କରୋନାର କରୁଣ ଚିତ୍ର। ସପ୍ତାହକ ମଧ୍ୟରେ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି ଟିଟିଲାଗଡ଼ ଧର୍ମଶାଳା ରୋଡରେ ରହୁଥିବା ଅନିଲ ପଢ଼ାରିଆ (୭୩ବର୍ଷ) ଓ ପତ୍ନୀ ରଞ୍ଜନାବନେ ପଢ଼ାରିଆ।

ପ୍ରକାଶ ଯେ, ସ୍ତ୍ରୀ ରଞ୍ଜନାବେନ ଓ ଚାରି ପୁଅଙ୍କୁ ନେଇ ଅନିଲଙ୍କ ସଂସାର। ଗତ ସେପ୍ଟେମ୍ବର ଶେଷ ସପ୍ତାହରେ ରଞ୍ଜନାବେନ କରୋନାରେ ସଂକ୍ରମିତ ହେଲେ। ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀର କୋଭିଡ ଡାକ୍ତରଖାନାରେ ଭର୍ତି କରାଗଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ। ଇତିମଧ୍ୟରେ ଅନିଲଙ୍କ ମଧ୍ୟ କରୋନା ଆକ୍ରାନ୍ତ କରି ସାରିଥିଲା। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଭର୍ତି କରାଯିବା ପରେ ଉନ୍ନତ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସପ୍ତାହକ ମଧ୍ୟରେ ଉଭୟ ବାପା ମାଙ୍କୁ ହରାଇ ଚାରି ପୁଅ କେତନ, ନୀଳକେଶ, ରିତେନ ଓ ମିତେନ ଭାଙ୍ଗି ପଡ଼ିଛନ୍ତି। ଟିଟିଲାଗଡ଼ ଗୁଜରାତି ସମାଜରେ ଏହି ଦମ୍ପତିଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଥିଲା। ଏହି ଦମ୍ପତିଙ୍କୁ ଗତ ନବରାତ୍ରି ସମୟରେ ଗୁଜୁରାଟି ସମାଜ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଏହି ଦମ୍ପତିଙ୍କ ମୃତ୍ୟୁରେ ଟିଟିଲାଗଡ଼ ଗୁଜରାତି ସମାଜ ପକ୍ଷରୁ ହରିଶ ରାଏ ଥଟ୍ଟା, ରାଜୁ ପିତ୍ରୋଡ଼ା, ମୁକେଶ ଚାୱଡ଼ା, ହର୍ଷଦ କୋଟକ, ମହେଶ ପଢ଼ାରିଆ, ଦୀପକ ପୋପଟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର