କ‌ରୋନା ଭୂତାଣୁର ଲକ୍ଷଣ ଓ ତାର ସତର୍କତା

ଭୁବନେଶ୍ବର : ସମ୍ପ୍ରତି ଚୀନ୍‌ରୁ ସାରା ବିଶ୍ବକୁ ବ୍ୟାପୁଥିବା କରୋନା ଭୂତାଣୁକୁ ନେଇ ଚାରିଆଡ଼େ ଚର୍ଚା ଜାରି ରହିଛି। ଏହି ଭୂତାଣୁ ପାଇଁ ଏ ପର୍ଯ୍ୟନ୍ତ ବିଶ୍ବରେ ପ୍ରତିଷେଧକ ବ୍ୟବସ୍ଥା ବ‌ାହାରି ନାହିଁ। ତେଣୁ ଲୋକମାନେ ଏଥିପାଇଁ ଆଗୁଆ ସଚେତନ ହେବା ଅଧିକ ଜରୁରୀ ହୋଇପଡ଼ିଛି।

ଲକ୍ଷଣ: କ‌ରୋନା ଭୂତାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ପାଣି ବାହାରିବା ସହ ମୁଣ୍ଡବିନ୍ଧା, କାଶ, ଜ୍ବର ଲାଗି ରହିବ। ସଂକ୍ରମିତ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବା ସହ ଗଳାରେ ଅସ୍ବାଭାବିକତା ଲାଗି ରହିବ। କରୋନା ଭୂତାଣୁର ଆପେକ୍ଷିକ ଆକାର ବଡ଼। ପଶୁଙ୍କଠାରେ ଏହା ସାଧାରଣତଃ ଦେଖିବାକୁ ମିଳିଥାଏ। ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବୟସ୍କ ବ୍ୟକ୍ତି ଓ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ଭୂତାଣୁ ଯୋଗୁଁ ନିମୋନିଆ ଓ ବ୍ରୋଙ୍କାଇଟିସ୍ ଭଳି ଶ୍ବାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ। ମଣିଷ ଦେହକୁ ସଂକ୍ରମିତ ହେବା ପରେ ଏହି ଭୂତାଣୁ ବହୁ ସହଜରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପୀ ଯାଇଥାଏ। କାଶ ଓ ଛିଙ୍କ ଜରିଆରେ ଭୂତାଣୁ ବାୟୁମଣ୍ଡଳକୁ ଆସିଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିବା କିମ୍ବା ସେମାନଙ୍କ ସହିତ ହାତ ମିଳାଇବା ଦ୍ବା‌ରା ଭୂତାଣୁ ବ୍ୟାପିଥାଏ। ତେଣୁ ଯଥାସମ୍ଭବ ହାତକୁ ସାବୁନରେ ସଫା କରିବା ସହିତ କାଶ ଓ ଛିଙ୍କ ସମୟରେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇ ରଖିବା ଜରୁରୀ। ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବା ଆବଶ୍ୟକ। ବନ୍ୟ କିମ୍ବା ଫାର୍ମ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍।

ସମ୍ବନ୍ଧିତ ଖବର