କାକଟପୁର : ଚୀନର ଏକ ବହୁଦେଶୀୟ କମ୍ପାନିରେ ଚାକିରି କରୁଥିବା ପୁରୀ ଜିଲ୍ଲା କାକଟପୁର ଅଂଚଳର ଜନୈକ ଯୁବକ ସମ୍ଭାବ୍ୟ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥାଇ ପାରନ୍ତି। ୩ ମାସ ତଳେ ଏକ ବହୁଦେଶୀୟ କମ୍ପାନିରେ ବୈଷୟିକ ମୁଖ୍ୟ ଭାବେ କାର୍ଯ୍ୟ କରିବା ପାଇଁ ଚୀନ ଯାଇଥିଲେ। ଚୀନର ଉସି ସହରରେ ରହି ସେ କାର୍ଯ୍ୟ କରୁଥିଲେ। ତେବେ ଚୀନରେ କରୋନା ଭାଇରସ୍ ବ୍ୟାପିବା ପରେ ସେ ଗତ ୨୪ ତାରିଖରେ ନିଜ ଗାଁ’କୁ ଆସିଛନ୍ତି। ସେ ଘରେ ପହଞ୍ଚିବା ପରେ ଛିଙ୍କ, ଜ୍ବର ଏବଂ ଥଣ୍ଡାରେ ଆକ୍ରାନ୍ତ ହେବା ସହ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକି କରୋନା ଭାଇରସ୍ର ଲକ୍ଷଣ ସହ ମିଶି ଯାଉଥିଲା। କାଳେ କରୋନା ଭାଇରସ୍ରେ ସେ ଆକ୍ରାନ୍ତ ହୋଇଥିବେ, ଏହା ଭାବି ସେ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ ଯାଇଥିଲେ। ହସ୍ପିଟାଲ ଅଧୀକ୍ଷକ ଏ ସଂପର୍କରେ ସୂଚନା ପାଇବା ପରେ ଯୁବକଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଛନ୍ତି। ଯୁବକଙ୍କ କହିବା ଅନୁଯାୟୀ ସେ ଉସି ସହର ପରିତ୍ୟାଗ କରିବା ସମୟରେ ୩/୪ ଜଣ ବ୍ୟକ୍ତିଙ୍କ ଠାରେ କରୋନା ଭାଇରସ୍ ଲକ୍ଷଣ ଦେଖା ଦେଇଥିଲା।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ଯୁବକଙ୍କର କ୍ୟାପିଟାଲ୍ ହସ୍ପିଟାଲ୍ରେ ହୋଇଥିବା ବିଭିନ୍ନ ପରୀକ୍ଷାର ରିପୋର୍ଟ ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇ ଯୁବକଙ୍କର କ’ଣ କ’ଣ ପରୀକ୍ଷା ହୋଇଥିଲା ତା’ର ରିପୋର୍ଟ ସଂଗ୍ରହ କରି ବିଭାଗକୁ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତାଙ୍କଠାରେ କରୋନା ଭୂତାଣୁ ନେଇ ସେଭଳି କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା।