କରୋନା ମୁକାବିଲା : ସତର୍କ ହେଉଛି ଓଡ଼ିଶା; ୨୪ ଘଣ୍ଟାରେ ୧୨୩୯ ପଞ୍ଜୀକରଣ, ସୁସ୍ଥ ଅଛନ୍ତି କରୋନା ଆକ୍ରାନ୍ତ

ମୋବାଇଲ୍‌କୁ ସାବଧାନ!

୧୦୪ ନମ୍ବରରେ ୫୫୪, ୱେବସାଇଟ୍‌ରେ ୬୮୫ଜଣ
ଏବେ ସୁଦ୍ଧା ୫୪୦ଟି ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ
ବ୍ଲକ୍‌ସ୍ତରରେ ସୁରକ୍ଷିତ ଗୃହ ପାଇଁ
୫ ଲକ୍ଷର ସହାୟତା
୩୨ ନମୁନାରୁ ୩୧ଟି ନେଗେଟିଭ୍

ଭୁବନେଶ୍ବର : ବିଦେଶରୁ ଆସି ଚୁପ୍ ଚାପ୍ ଥିଲେ। ନିଜ ଆଡୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଗ୍ରହ ଦେଖାଇନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନ ଏକ କୌଶଳରେ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରିଦେବା ପରେ ଓଡ଼ିଶା ହଠାତ୍ ସତର୍କ ହୋଇଛି। ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶରୁ ଆସିଥିବା ଲୋକମାନେ ପଞ୍ଜୀକରଣ ଆରମ୍ଭ କରିଛନ୍ତି।ଏହି ଭିତ୍ତିରେ ୨୪ଘଣ୍ଟାରେ ୧୨୩୯ଜଣ ଲୋକ ନିଜର ପଞ୍ଜୀକରଣ କରାଇଛନ୍ତି। ୧୦୪ ସହାୟତା ନମ୍ବର ଜରିଆରେ ୫୫୪ ଜଣ ଓ ୱେବସାଇଟ୍‌ରେ ୬୮୫ଜଣ ପଞ୍ଜୀକରଣ କରିଥିବା ନେଇ ସୂଚନା ଦେଇଛନ୍ତି କୋଭିଡ୍‌-୧୯ ପାଇଁ ନିଯୁକ୍ତି ପାଇଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। କେବଳ ସେତିକି ନୁହେଁ, ଲୋକମାନେ ନିଜ ନିଜ ସ୍ତରରେ ସତର୍କ ଆରମ୍ଭ କରିଥିବା ନେଇ ଆଜି ଏକାଧିକ ଉଦାହରଣ ରାଜ୍ୟ ସାରା ଦେଖିବାକୁ ମିଳିଛି। ବିଭିନ୍ନ ଜିଲ୍ଲାରୁ ଆସୁଥିବା ତଥ୍ୟ କହୁଛି, ସରକାରଙ୍କ ସତର୍କତାକୁ ସମ୍ମାନ ଜଣାଇ ଲୋକେ ବିଦେଶାଗତଙ୍କ ସଂପର୍କରେ ନିଜ ଆଡୁ ମଧ୍ୟ ଖବର ଦେବା ଆରମ୍ଭ କରିଦେଇଛନ୍ତି।

ରାଜ୍ୟରେ କରୋନା ସ୍ଥିତି ସଂପର୍କରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ ୧୦୪ ସହାୟତା ନମ୍ବରକୁ ୨୪ ଘଣ୍ଟାରେ ୧୦ ହଜାର କଲ୍ ଆସିଛି। ଏହି କଲ୍‌ ସେଣ୍ଟର୍‌ର କଳେବର ବୃଦ୍ଧି କରିବା ପାଇଁ ପୂର୍ତ ବିଭାଗର ଶାସନ ସଚିବ କ୍ରିଷନ୍ କୁମାରଙ୍କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଛି। ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ଥିବାରୁ ଜନସାଧାରଣ ଏହା ଅନୁପାଳନ କରିବା ଜରୁରୀ।

ଏବେ ସୁଦ୍ଧା ରାଜ୍ୟରେ ୩୨ଟି ନମୁନା ମଧ୍ୟରୁ ୩୧ଟି ନମୁନା ନେଗେଟିଭ୍ ରହିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଚିକିତ୍ସିତ ହେଉଛନ୍ତି ଓ ସୁସ୍ଥ ଅଛନ୍ତି। ଯେଉଁମାନେ ପଜିଟିଭ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ଟ୍ରେସିଂ କରାଯିବା ସହ ଘରେ ଆଇସୋଲେସନ୍‌ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥିତ ଡାକ୍ତରଖାନା ଓ ମେଡିକାଲ କଲେଜ ହସ୍ପିଟାଲଗୁଡ଼ିକରେ ଆଇସୋଲେସନ୍‌ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ରାଜ୍ୟରେ ଏବେ ୫୪୦ ଆ‌ଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ ରହିଛି। ଗ୍ରାମାଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଭାବେ ବ୍ଲକ୍‌ସ୍ତରରେ କ୍ବାରେଣ୍ଟିନ୍ ବା ସଙ୍ଗରୋଗ ସୁବିଧା ପାଇଁ ଚିହ୍ନଟ ହୋଇଥିବା ସୁରକ୍ଷିତ ଗୃହଗୁଡ଼ିକ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି। ଘରୋଇ ଚିକିତ୍ସାଳୟଗୁଡ଼ିକରେ କରୋନା କେନ୍ଦ୍ର ସ୍ଥାପନ କରିବା, ଆବଶ୍ୟକ ପ୍ରୋଟୋକଲ୍‌ ପାଳନ ସହ ଅନାବଶ୍ୟକ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବ୍ୟାଙ୍କଗୁଡ଼ିକରେ ଗହଳି କମାଇବା ସହ ନିୟମିତ ଭାବେ ଏଟିଏମ୍‌ଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେବା ସହ ସାନିଟାଇଜର୍‌ ରଖିବା ଲାଗି ପରାମର୍ଶ ଦିଆଯାଇଛି।

ସେହିପରି ସପିଂ ମଲ୍‌ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ କରା ନଯାଇ ଖାଦ୍ୟ ଓ ତେଜରାତି ସାମଗ୍ରୀ, ଆତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦିର ବିକ୍ରିବଟା କରାଯିବ। ଅତି ଆବଶ୍ୟକ ନ ପଡ଼ିଲେ ମଲ୍‌କୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଛି। ବୟସ୍କ ବ୍ୟକ୍ତିମାନେ କରୋନା ପାଇଁ ଅଧିକ ସମ୍ବେଦନଶୀଳ ଥିବାରୁ ସେମାନଙ୍କ ସୁବିଧା ପାଇଁ ବିନା ବାଇଓମେଟ୍ରିକ୍‌ରେ ସେମାନଙ୍କ ଘରେ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଆଶ୍ରମ ସ୍କୁଲର ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯାଇଛି। ଛାତ୍ରାବାସଗୁଡ଼ିକରେ ୫ଲକ୍ଷ ୭୫ହଜାର ଅନ୍ତେବାସୀ ରହିଛନ୍ତି। ସେମାନେ ଏବେ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନିୟମିତ ନିରୀକ୍ଷଣ କରାଯାଉଛି।

ତେବେ ଗ୍ରାମାଞ୍ଚଳରେ କରୋନା ଭୂତାଣୁ ସଂପର୍କରେ ସଚେତନତା ପାଇଁ ଆସନ୍ତା ୧୯, ୨୦ ଓ ୨୧ତାରିଖରେ ସଚେତନତା ବୈଠକ ଅନୁଷ୍ଠିତ ହେବ। ପଞ୍ଚାୟତରେ ୧୯, ପଞ୍ଚାୟତ ସମିତିରେ ୨୦ ଓ ଜିଲ୍ଲା ପରିଷଦ ପାଇଁ ୨୧ତାରିଖ ‌ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ସଂପର୍କରେ ସେମାନଙ୍କୁ ଅବଗତ କରାଯିବ। ଏହାସହ ଅଙ୍ଗନବାଡ଼ି କର୍ମୀ, ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ସଚେତନତା କରାଯାଇଥିବା ଶ୍ରୀ ବାଗ୍‌ଚୀ କହିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ସଂଜୟ ସିଂ, ଆଇଟି ବିଭାଗର ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମୋବାଇଲ୍‌କୁ ସାବଧାନ!
ମୋବାଇଲ୍‌ ବ୍ୟବହାରକାରୀ ସାବଧାନ। ମୋବାଇଲ୍‌ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ରାଜ୍ୟ ସରକାର ଆଜି ଏ ସଂପର୍କରେ ଲୋକମାନଙ୍କୁ ଚେତାଇ ଦେଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଥିଲେ, ଜଣେ ବ୍ୟକ୍ତି ଦିନରେ ପ୍ରାୟ ୨୬ ଶହ ଥର ମୋବାଇଲ୍‌କୁ ଛୁଉଁଥିବା ବେଳେ ପ୍ରାୟ ଦିନକୁ ୭୬ ଥର ବ୍ୟବହାର କରୁଛନ୍ତି। ତେଣୁ ମୋବାଇଲ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। ଏଥିପାଇଁ ଦିନକୁ ୪/୬ଥର ହାଲ୍‌କା ସାବୁନ ପାଣିରେ ପୋଛିବା ଜରୁରୀ। ଏହାସହ ମୋବାଇଲ୍‌କୁ ଏଠିସେଠି ନ ରଖି ନିଜ ପକେଟ୍ କିମ୍ବା ବ୍ୟାଗ୍‌ରେ ରଖନ୍ତୁ। ତେବେ ସାମାଜିକ ଦୂରତା, ସଙ୍ଗରୋଧ ଓ ବିଦେଶରୁ ଆସିଥିଲେ ନିଜ ଆଡ଼ୁ ପଞ୍ଜୀକରଣ କରିବା ଉପରେ ଗୁରୁତ୍ବ ଦେବାକୁ ଶ୍ରୀ ବାଗ୍‌ଚୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର