ମନସ୍ତତ୍ତ୍ବବିତ୍‌ଙ୍କ ପକ୍ଷରୁ ୧୨ସୂତ୍ରୀ ଖସଡ଼ା ପ୍ରସ୍ତୁତ : ସଂକ୍ରମିତ ଓ ତାଙ୍କ ପରିବାରକୁ ଦୋଷୀ ନଜରରେ ଦେଖନ୍ତୁନି

ଭୁବନେଶ୍ବର : କରୋନା ଭଳି ଏକ ଅସାଧାରଣ ସମୟରେ ମନସ୍ତାତ୍ତ୍ବିକ ଦୃଷ୍ଟ କୋଣରୁ ଲୋକଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ମନସ୍ତତ୍ତ୍ବବିତ୍‌ଙ୍କ ପକ୍ଷରୁ ୧୨ସୂତ୍ରୀ ଖସଡ଼ା ଲୋକମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଶ୍ରୀ ବାଗଚୀ କହିଥିଲେ ଯେ, ପରିସ୍ଥିତିକୁ ସ୍ବୀକାର କରିବାକୁ ପଡ଼ିବ। ପରିସ୍ଥିତିକୁ ଅସ୍ବୀକାର କଲେ କଷ୍ଟ ଅଧିକ ହେବ। ସାହସ, ଆଶା ରଖିବା ସହିତ ପ୍ରଶାସନ ଉପ‌ରେ ଭରସା ରଖନ୍ତୁ। ସେହିପରି ଭୟ ଓ ଆଶଙ୍କା ଏକ ସାଧାରଣ ପ୍ରତିକ୍ରିୟା, କିନ୍ତୁ ସେଥିପାଇଁ ଆମକୁ ପରସ୍ପରକୁ ଆଶ୍ବାସନା ଦେବାକୁ ପଡ଼ିବ। ଏହି ସମୟରେ ପରସ୍ପର ଭିତରେ ଥିବା ମନୋମାଳିନ୍ୟକୁ ଭୁଲି ଏକାଠି କାମ କରିବାକୁ ହେବ। ମଣିଷ ଏକାଠି ହେଲେ ମନୋମାଳିନ୍ୟ ହେବା ସ୍ବାଭାବିକ୍। ତେବେ ଏହି ସମୟ ମନୋମାଳିନ୍ୟର ସମୟ ନୁହେଁ। ଘରେ ଲକ୍‌ଡାଉନ୍‌ରେ ରହିବା ସମୟରେ କର୍ମଜୀବନ, ଗୃହସ୍ଥ ଜୀବନ ଓ ସାମାଜିକ ଅସ୍ତିତ୍ବ ମିଶି ଯାଉଛି। ପୂର୍ବରୁ ଏହା ଅଲଗା ରହୁଥିଲା। ତେଣୁ ଯେତେଦୂର ସମ୍ଭବ ଘରର ସମୀରେଖା ଭିତରେ ମଧ୍ୟ ଏହି ୩ଟି ଜିନିଷକୁ ଅଲଗା ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟକ୍ତିଗତ ତ୍ୟାଗର ସମୟ ଆସୁଛି। ଆଗକୁ କଷ୍ଟର ସମୟ ଆସୁଛି। ସେଥିପାଇଁ ଏବେଠାରୁ ମାନସିକ ପ୍ରସ୍ତୁତି ରଖିବାକୁ ପଡ଼ିବ। ଧନୀ, ଗରିବ, ଗ୍ରାମବାସୀ ଓ ସହରବାସୀ ସମ‌ସ୍ତେ କରୋନା ଆଖିରେ ସମାନ। ନିଜକୁ ପୀଡ଼ିତ ବୋଲି ନ ଭାବି, ସମସ୍ତେ ଏକାଭେଳାରେ ଭାସୁଛେ ବୋଲି ମନେ ରଖିବାକୁ ହେବ। ପରସ୍ପର-ପରସ୍ପର ପ୍ରତି ସହନଶୀଳ ହେବା ସହିତ ସମସ୍ତେ ଏକାଠି ହେବାକୁ ପଡ଼ିବ। ମିଥ୍ୟା ଆଶ୍ବାସନା ପାଇବା ପାଇଁ ନିଶାଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। କରୋନା ସଂକ୍ରମିତ ବ୍ୟକ୍ତି ଓ ତାଙ୍କ ପରିବାରକୁ ଦୋଷୀ ଆଖିରେ ଦେଖିବା ଉଚିତ୍ ନୁହେଁ। ସମବେଦନା ହିଁ ମାନବିକତାର ପରିଚୟ ଦେଇଥାଏ। ପ୍ରତ୍ୟେକ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ବନ୍ଦ କରିବା। ଆଗକୁ ଯଦି ଆମମାନଙ୍କ ଭିତରୁ କେହି ଯଦି କରୋନା ଆକ୍ରାନ୍ତ ହୁଅନ୍ତି ତେବେ ଏହି ସ୍ବାସ୍ଥ୍ୟକର୍ମୀମାନେ ହିଁ ଆମମାନଙ୍କ ପାଇଁ ଭଗବାନ। ନିଜର ସମୟକୁ ନିଜେ ସଜାଡ଼ିବା ଉଚିତ୍। ପ୍ରତ୍ୟେକ ଦିନର ରୁଟିନ୍‌ରେ ବ୍ୟାୟାମ, ଧ୍ୟାନ, ଯୋଗାଭ୍ୟାସ, ବହି ପଢ଼ିବା, ନିଜ ସାଙ୍ଗରେ ଏକାକୀ ବିତାଇବା ସହିତ ଶାରୀରିକ ପରିଶ୍ରମ ଓ ଆବଶ୍ୟକ ବିଶ୍ରାମ ମଧ୍ୟ ନେବାକୁ ହେବ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର