ରାଜଧାନୀ ସ୍ଥିତି ଅତି ସାଂଘାତିକ : ୪ ଦିନ ହେଲା ୧୦୦ରୁ ଅଧିକ ଚିହ୍ନଟ, କରୋନା ନେଲାଣି ୧୨ ଜଣଙ୍କ ଜୀବନ
ବିଏମ୍ସି ଆକଳନ ଭୁଲ୍ ହୋଇଗଲା, ୧୭ ଦୃଷ୍ଟିହୀନ ସଂକ୍ରମିତ
ଭୁବନେଶ୍ୱର : ରାଜଧାନୀରେ ଜୁଲାଇ ୨୦ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ ଥିଲା। ଏଥିରେ ୬୧୪ଟି ଆକ୍ଟିଭ୍ କେସ୍ ଥିଲା। ୬୨୫ଜଣ ସୁସ୍ଥ ହୋଇଥିଲେ। ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଧାରାକୁ ଦେଖି ବିଏମ୍ସି କର୍ତ୍ତୃପକ୍ଷ ଆକଳନ କରିଥିଲେ ଯେ ଜୁଲାଇ ୩୧ ତାରିଖ ବେଳକୁ ରାଜଧାନୀରେ ୧୫୫୪ ଜଣ ଆକ୍ରାନ୍ତ ଥିବେ, ୫୦୭ଟି ଆକ୍ଟିଭ୍ କେସ୍ ଥିବ, ୧୦୩୪ଜଣ ସୁସ୍ଥ ହୋଇଯିବେ, ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିବ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଜୁଲାଇ ୨୪ରେ ବିଏମ୍ସିର ଆକଳନ ଭୁଲ୍ ହୋଇଗଲା। ଏହିଦିନ ୨୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ଜୁଲାଇ ୩୧ସୁଦ୍ଧା ଯେତିକି ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ଆକଳନ କରିଥିଲା ତାହା ଭୁଲ୍ ପ୍ରମାଣିତ ହୋଇଗଲା। ଆଜିକା ଦିନରେ ରାଜଧାନୀରେ ୧୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାବେଳେ ୧୦୬୯ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।
ଏତିକି ନୁହେଁ। ରାଜଧାନୀରେ କରୋନା ଅତି ଗୁରୁତର ପରିସ୍ଥିତି ସୃଷ୍ଟି କଲାଣି। ବିଏମ୍ସି ହିସାବ କହୁଛି୧୪ଦିନରୁ କମ୍ ସମୟରେ ଆକ୍ରାନ୍ତସଂଖ୍ୟା ଦୁଇ ଗୁଣା ହେଲେ ଗୁରୁତର ପରିସ୍ଥିତି ବୋଲି କୁହାଯିବ। ଜୁଲାଇ ୧୬ରେ ରାଜଧାନୀରେ ୯୧୯ ଜଣ ଆକ୍ରାନ୍ତ ଥିଲେ। ଏଥିରୁ ୫୦୪ଟି ଥିଲା ଆକ୍ଟିଭ୍ କେସ୍। ଜୁଲାଇ ୨୬ରେ ୧୯୯୧ ଆକ୍ରାନ୍ତ ଥିବାବେଳେ ୧୦୬୯ଟି ଆକ୍ଟିଭ୍ କେସ୍ ଅଛି।
ମାତ୍ର ୭ଦିନରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା, ଆକ୍ଟିଭ୍ କେସ୍ ଦୁଇଗୁଣା ହୋଇଯାଇଛି। ୧୪ଦିନରେ ଦୁଇ ଗୁଣା ହେଲେ ଗୁରୁତର ପରିସ୍ଥିତି ହୋଇଥାନ୍ତା। କିନ୍ତୁ ଏବେ ଏହା ଗୁରୁତରରୁ ଅତି ଗୁରୁତର ହୋଇଯାଇଛି।
ରାଜଧାନୀରେ ଗତ ୪ଦିନ ହେଲା ଲଗାତାର ଭାବେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ଥରେ ଦୁଇ ଶହ ଟପିଯାଇଛି। ଜୁଲାଇ ୨୩ତାରିଖରେ ୧୨୬ଜଣ, ୨୪ରେ ୨୪୮ଜଣ, ୨୫ରେ ୧୧୧ଜଣ , ୨୬ରେ ୧୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ବିଏମ୍ସିର ସବୁ ଅଙ୍କକୁ ଭୁଲ୍ ପ୍ରମାଣିତ କରିଦେଇଛି। ଆଉ ରାଜଧାନୀରେ କରୋନା ବେକାବୁ ହୋଇଛି ବୋଲି ସ୍ପଷ୍ଟ ହୋଇଯାଉଛି।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଭୁବନେଶ୍ବରକୁ ଲକ୍ଡାଉନ୍ କରିଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଲକ୍ଡାଉନ୍ ନେଇ ପ୍ରସ୍ତାବ ଦେବା ପୂର୍ବରୁ ଜୁଲାଇ ୩୧ସୁଦ୍ଧା କେତେ ଆକ୍ରାନ୍ତ ଚିହ୍ନଟ ହେବେ, ରାଜଧାନୀର ସ୍ଥିତି କ’ଣ ହେବ ସେନେଇ ଯେଉଁ ଆକଳନ କରିଥିଲେ ତାହା ୪ଦିନରେ ଅତିକ୍ରମ କରିଯାଇଛି।
ଗଞ୍ଜାମ ଜିଲ୍ଲା ପରେ ରାଜ୍ୟର ସବୁଠୁ ଅଧିକ ସମ୍ବେଦନଶୀଳ ସହର ପାଲଟିଯାଇଛି ଭୁବନେଶ୍ବର। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ପଛକୁ ଖୋର୍ଦ୍ଧା ଜିଲ୍ଲା ରହୁଛି। ଆଉ ଖୋର୍ଦ୍ଧା ଜିଲ୍ଲାର ୭୦%ରୁ ଅଧିକ ଆକ୍ରାନ୍ତ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହେଉଛନ୍ତି। ରାଜଧାନୀରେ ଏମିତି କୌଣସି ଅଞ୍ଚଳ ନାହିଁ ଯେଉଁଠାରୁ କରୋନା ଆକ୍ରାନ୍ତ ବାହାରିନାହାନ୍ତି। କେବଳ ଜୁଲାଇ ମାସରେ ୧୬୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ଏଠାରେ କିପରି କାୟା ମେଲାଉଛି ତାହା ଜଳଜଳ ଦିଶିଲାଣି।
ସୂଚନାଯୋଗ୍ୟ ଯେ, ଜୁନ୍ ୫ ସୁଦ୍ଧା ରାଜଧାନୀରେ ୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁନ୍ ୩୦ ସୁଦ୍ଧା ସ୍ଥିତି କିଛିଟା ନିୟନ୍ତ୍ରଣରେ ଥିଲା। ଏପରିକି ଜୁନ୍ ୩୦ ସୁଦ୍ଧା ରାଜଧାନୀରେ ୩୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିେଲ। ହେଲେ ଜୁଲାଇ ସବୁ ବିଗାଡ଼ିଦେଲା।
୧୭ ଦୃଷ୍ଟିହୀନ ସଂକ୍ରମିତ
ଭୁବନେଶ୍ୱର : ରାଜଧାନୀରେ ୧୭ଜଣ ଦୃଷ୍ଟିହୀନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ସତ୍ୟନଗରସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘରେ ରହୁଥିବା ୧୫ଜଣ ସଦସ୍ୟ ଥିବା ବେଳେ ଜିଜିପି କଲୋନିର ୨ଜଣ ଅଛନ୍ତି। ସମସ୍ତଙ୍କୁ ଏବେ ଦୃଷ୍ଟିହୀନ ସଂଘ ପରିସରରେ ରଖାଯାଇଛି। ଶନିବାର ସଂଧ୍ୟାରେ ସମସ୍ତଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଥିବା ବେଳେ କାହାକୁ ବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇନି।ଦୃଷ୍ଟିହୀନ ସଂଘ ପରିସରରେ ରହୁଥିବା ଜଣେ ଦୃଷ୍ଟିହୀନ ଅଧ୍ୟାପକଙ୍କ ପତ୍ନୀ କିଛି ଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର କେୟାର ଟେକର କରୋନା ଆକ୍ରାନ୍ତ ହୋଇଥିଲେ। ଏହି କେୟାର ଟେକର୍ଜଣଙ୍କ ଦୃଷ୍ଟିହୀନ ସଂଘ ପରିସରରେ ରହୁଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ କରୋନା ଆକ୍ରାନ୍ତ ହୋଇଥିବା ପ୍ରାଥମିକ କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ଭୟରେ ଦୃଷ୍ଟିହୀନ ସଂଘ ପରିସରରେ ରହୁଥିବା ଅନ୍ତେବାସୀମାନଙ୍କୁ ବାହାରକୁ ଛଡ଼ାଯାଉ ନଥିଲା। ଏହି ଆକ୍ରାନ୍ତମାନଙ୍କୁ ଏହି ସଂଘ ପରିସରରେ ରଖି ଚିକିତ୍ସା କରିବାର ଯୋଜନା ଅଛି। ଏହିଠାରେ ହିଁ ଔଷଧ ଦେବା ସହ ନିୟମିତ ଡାକ୍ତରୀ ପରାମର୍ଶ ଦିଆଯିବ ବୋଲି ଜଣାପଡ଼ିଛି।
ଅପରପକ୍ଷେ ଦୃଷ୍ଟିହୀନ ସଂଘ ପରିସର ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ଏପର୍ଯ୍ୟନ୍ତ ବିଶୋଧନ କରାଯାଇନଥିବାରୁ ଅନ୍ୟ ଅନ୍ତେବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।