ବାରିପଦା : ମୟୂରଭଞ୍ଜରେ ସେପ୍ଟେମ୍ବର ମାସ ଆରମ୍ଭରୁ ଲମ୍ଫ ପ୍ରଦାନ କରିଛି କରୋନା। ଆଜି ଏକାବେଳେ ୩୬୫ ଜଣ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଏବଂ କଟକ ପରେ ଏହି ସଂଖ୍ୟା ରାଜ୍ୟରେ ତୃତୀୟ। ମାସର ପ୍ରଥମ ଦିନରେ କରୋନା ଡବଲ୍ ସେଞ୍ଚୁରୀ ମାରିଥିବାବେଳେ ୨ୟ ଦିନରେ ଶହେ ଉପରେ ଏବଂ ୩ୟ ଦିନରେ ୩୬୫ ଜିଲ୍ଲାରେ କରୋନା ଲଢ଼େଇର ସ୍ଥିତିକୁ ନେଇ ଚିନ୍ତା ବଢ଼େଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୩ଜଣ କୋଭିଡ୍ ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ୨୩୬ ପୁରୁଷ ଓ ୧୨୮ ମହିଳାଙ୍କୁ ମିଶାଇ ୩୬୪ ଜଣ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଅତିକ୍ରମ କରିଛି। ଆଜି ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୧୫୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୧ରୁ ୯ ବର୍ଷ ବୟସ ମଧ୍ୟରେ ୧୩ ବାଳକ ଓ ୭ ବାଳିକା, ୬୦ରୁ ୭୦ ମଧ୍ୟରେ ୧୦ ପୁରୁଷ ଓ ୭ମହିଳା , ୭୧ରୁ ୮୦ ବର୍ଷ ବୟସ ମଧ୍ୟରେ ୨ ବୃଦ୍ଧ ଓ ୧ ବୃଦ୍ଧା ଏବଂ ୮୧ରୁ ଅଧିକ ବୟସର ୪ ବୃଦ୍ଧ ରହିଛନ୍ତି ।

Advertisment

ତେବେ ଆଜିର କରୋନା ସଂକ୍ରମିତମାନଙ୍କ ମଧ୍ୟରେ ବାରିପଦା ପୌରପରିଷଦରୁ ସର୍ବାଧିକ ୨୯ ପୁରୁଷ ଓ ୧୧ ମହିଳାଙ୍କୁ ମିଶାଇ ମୋଟ ୪୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବଡ଼ସାହି ବ୍ଲକରେ ୧୯ ପୁରୁଷ ଓ ୭ ମହିଳା, ବହଳଦା ବ୍ଲକରେ ୧୧ ପୁରୁଷ ଓ ୭ ମହିଳା, ବାଙ୍ଗିରିପୋଷି ବ୍ଲକରେ ୧୪ରୁ ୩୦ ବର୍ଷ ମଧ୍ୟରେ ୮ ଜଣ ଯୁବକ ସଂକ୍ରମିତ ହୋଇଛନ୍ତି। ସେହିପରି ଆଜି ଜିଲ୍ଲାରୁ ୧୧୭ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆଜି ସୁଦ୍ଧା ଜିଲ୍ଲାରେ ୨୪୧୯ରେ ପହଞ୍ଚିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧୭୩୨ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୮ରେ ସ୍ଥିର ଅଛି। ତେବେ କରୋନାର ଏପରି ଭୟଙ୍କର ସ୍ଥିତିକୁ ନେଇ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ସମସ୍ତେ ସାମାଜିକ ଦୂରତା ମାନିବା, ମାସ୍କ ପିନ୍ଧିବା ସହିତ ଅଯଥାରେ ବାହାରେ ବୁଲାବୁଲି ନକରିବାକୁ ପରାମର୍ଶ ଦିଆଯାଇଛି।

ଚିନ୍ତା ବଢ଼ଉଛି ବାରିପଦା ପୌରପରିଷଦ
ବାରିପଦା : ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ଉଗ୍ରରୂପ ଧାରଣ କରୁଥିବାବେଳେ ଚିନ୍ତା ବଢ଼ଉଛି ବାରିପଦା ପୌରପରିଷଦ। ଆଜି ପୁଣି ୪୦ଜଣ ନୂଆ କରୋନା ଆକ୍ରାନ୍ତ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଗତକାଲି ମଧ୍ୟ ୪୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ବିଶେଷକରି ବାଘରାରୋଡ, ଗୋଲାପବାଗ ଆଦି ଅଞ୍ଚଳରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।