ପୁରୀରେ କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସଦ୍ୟ ନିର୍ଦେଶାବଳୀ ଜାରି

ପୁରୀ: କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ଜିଲ୍ଲା ବୁଧବାର ଦିନ ଜିଲ୍ଲା ପ୍ରଶାସନ ନୌକା ପରିବହନ, ମଲ୍‌ ଏବଂ ହୋଟେଲ୍‌ମାନଙ୍କ ପାଇଁ କେତେକ ସଦ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ନିର୍ଦେଶାବଳୀ ଜାରି କରିଛି। ନିର୍ଦେଶାବଳୀ ଅନୁସାରେ, ସାତପଡ଼ାରୁ ଜହ୍ନିକୁଦକୁ ଯାତ୍ରୀ ପରିବହନ କରୁଥିବା ସିଡିଏ ପରିଚାଳିତ ଘାଟଡଙ୍ଗା ସେବାର ଯାତ୍ରୀ ପରିବହନ କ୍ଷମତା ଏକତୃତୀୟାଂଶକୁ ହ୍ରାସ କରାଯାଇଛି।

ସେହିଭଳି ଲାଇସେନ୍‌ସ୍‌ ପ୍ରାପ୍ତ ଘରୋଇ ଡଙ୍ଗାଗୁଡ଼ିକର ଯାତ୍ରୀ ପରିବହନ କ୍ଷମତା ମଧ୍ୟ ଏକତୃତୀୟାଂଶ କରାଯାଇଛି। ଯାତ୍ରୀ ଯାତ୍ରୀଙ୍କ ମଧ୍ୟରେ ୧ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ଏ ଭଳି ନିମୟ ଲାଗୁ କରାଯାଇଥିବା ଜଣାପଡ଼ିଛି।

ସହରର ସମସ୍ତ ସପିଙ୍ଗ୍‌ ମଲ୍‌ ବନ୍ଦ ରହିଛି। ସପିଙ୍ଗ୍‌ ମଲ୍‌ର ଯେଉଁ ଭାଗରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ହୁଏ ତାହା ଖୋଲା ରଖିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସେଠାରେ ଗ୍ରାହକ ଓ ବିକ୍ରୟକାରୀ କର୍ମଚାରୀଙ୍କ ମଧ୍ୟରେ ୧ ମିଟର ସାମାଜିକ ଦୂରତା ରହିବା ଅପରିହାର୍ଯ୍ୟ ବୋଲି ନିର୍ଦେଶ ଦିଆଯାଇଛି।

ସହରରେ ଥିବା ବାର୍‌ ଏବଂ ବିୟର୍‌ ପାର୍ଲର୍‌ ସବୁ ବନ୍ଦ ରହିଛି।

ଏକତ୍ର ଭୋଜନ ପାଇଁ ବ୍ୟବହୃତ ଡାଇନିଙ୍ଗ୍‌ ଟେବୁଲ, କନ୍‌ଫରେନ୍‌ସ୍‌ ହଲ୍‌ ଓ ଡାଇନିଙ୍ଗ୍‌ ହଲ୍‌ ବ୍ୟବହାର ନ କରିବାକୁ ହୋଟେଲ୍‌ଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ବିକଳ୍ପ ଭାବେ ରୁମ୍‌ କ୍ୟାଟରିଙ୍ଗ୍‌ ସର୍ଭିସ୍‌ ଏବଂ ହୋମ୍‌ ଡେଲିଭରି ସର୍ଭିସ୍‌ ଉପରେ ଗୁରତ୍ୱ ଦେବାକୁ କୁହାଯାଇଛି। କିନ୍ତୁ, ଅତ୍ୟାବଶ୍ୟକ ପରିସ୍ଥିତିରେ ୧ ମିଟର ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ କରିବାକୁ ଉପଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର