ମୟୂରଭଞ୍ଜରେ ବଢ଼ୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା, ନୂଆ ୧୫୨ ଆକ୍ରାନ୍ତ ଚିହ୍ନଟ

ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୬ ହଜାର ପାର, ଶୀର୍ଷରେ ବାରିପଦାରେ ସଂକ୍ରମଣ

ବାରିପଦା: ମୟୂରଭଞ୍ଜରେ ବଢ଼ୁଛି କରୋନାଜନିତ ମୃତ୍ୟୁସଂଖ୍ୟା। ଆଜି ପୁଣିଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ମାତ୍ର ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ପ୍ରତିଦିନ କରୋନାଜନିତ ମୃତ୍ୟୁ ସୂଚନା ଆସୁଛି। ଆଜି ପୁଣି ଜିଲ୍ଲାରୁ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ମାତ୍ର ୨ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରୁ ୧୪୨ ଏବଂ ଭୁବନେଶ୍ୱର ଓ କଟକଠାରେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୮ ଜଣଙ୍କୁ ମିଶାଇ ମୋଟ ୧୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୫୮୮କୁ ବୃଦ୍ଧି ପାଇଛି । ତେବେ ଜିଲ୍ଲାରେ ଆଜି ବାରିପଦା ପୌରପରିଷଦରୁ ମଧ୍ୟ ସର୍ବାଧିକ ୬୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ବାରିପଦା ପୌରପରିଷଦରେ ସଂକ୍ରମଣ ଶୀର୍ଷରେ ଥିବା ସ୍ପଷ୍ଟ ହୋଇଛି। ଚଳିତ ସେପ୍ଟେମ୍ବର ମାସରେ ଆଜିସୁଦ୍ଧା ବାରିପଦା ପୌରପରିଷଦରୁ ୭୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେହିପରି ବାରିପଦା, ବହଳଦା, ଜାମଦା, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ଶୁକୃଳି, ଶୁଳିଆପଦା, ରରୁଁଆ ବ୍ଲକ୍, ଉଦଳା ଏନଏସି ଓ ରାଇରଙ୍ଗପୁର ପୌରପରିଷଦରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ସାହି ଓ କୁଳିଅଣାରୁ ୬, ବାଙ୍ଗିରିପୋଷି ଓ ଯଶୀପୁର, କୁସୁମୀ, ଖୁଣ୍ଟା ବ୍ଲକ୍ ଓ କରଞ୍ଜିଆ ଏନଏସିରୁ ୨, ବେତନଟୀରୁ ୧୩, ବିଜାତଳା, ମୋରଡ଼ା, ରାଇରଙ୍ଗପୁର ଓ କରଞ୍ଜିଆରୁ ୩, ବିଶୋଇ ଓ ଗୋପବନ୍ଧୁନଗର ଓ କପ୍ତିପଦାରୁ ୫ ଲେଖାଏଁ, ଉଦଳା ବ୍ଲକରୁ ୪ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଏଥିସହିତ ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୫ ହଜାର ୨୯୫ ଓ ଆଜି ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୧ ହଜାର ୨୭୬ ରହିଛି ।

ସମ୍ବନ୍ଧିତ ଖବର