କେନ୍ଦୁଝରରେ କରୋନା ସନ୍ଦିଗ୍ଧଙ୍କୁ ନେଇ ଚର୍ଚ୍ଚା

ସନ୍ଦେହ ଥିଲା, କିନ୍ତୁ କରୋନା ନୁହେଁ: ସିଡିଏମ୍‌ଓ

କେନ୍ଦୁଝର : ଜ‌ଣେ କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଆଜି ଦିନତମାମ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ମାତ୍ର ଚିକିତ୍ସିତ ବ୍ୟକ୍ତି କରୋନା ଆକ୍ରାନ୍ତ ନୁହନ୍ତି, ବରଂ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ଦାସ ସ୍ପଷ୍ଟ କରିଥିଲେ। ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା କରୋନା ଆକ୍ରାନ୍ତଜନିତ ଘଟଣା ନୁହେଁ ବୋଲି ଟୁଇଟ୍‌ କରି ସ୍ପଷ୍ଟ କରାଯାଇଛି। ଏଥିସହ ସାଧାରଣ ସତର୍କତା ଦୃଷ୍ଟିରୁ ସିଡିଏମ୍‌ଓ ଏବଂ ସମସ୍ତ ଡାକ୍ତରୀ ଟିମ୍‌ ସଜାଗ ରହିଥିବା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ବଳଙ୍କ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଜଣେ ବ୍ୟକ୍ତି ଆଣ୍ଡାମାନରେ ସିଆଇଏସ୍‌ଫ ଯବାନ ଭାବେ କାର୍ଯ୍ୟ କରନ୍ତି। ସେ କିଛିଦିନ ତଳେ ଘରକୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ସେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ନାୟକ କରୋନା ସନ୍ଦେହରେ ଆଜି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ସ୍ବତନ୍ତ୍ର କ୍ୟାବିନରେ ରଖାଯିବା ସହ ସିଡିଏମ୍‌ଓଙ୍କ ଉପ‌ସ୍ଥିତିରେ ଦୁଇ/ତିନିଜଣ ଡାକ୍ତର ପରୀକ୍ଷା କରିଥିଲେ। ତାଙ୍କୁ କରୋନା ନୁହେଁ ବରଂ ସେ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଅପରାହ୍‌ଣରେ ତାଙ୍କୁ ଡିସ୍‌ଚାର୍ଜ କରିଦିଆଯାଇଛି।

ଏ ସଂପର୍କରେ ଆମ ହରିଚନ୍ଦନପୁର ପ୍ରତିନିଧି ସଂପୃକ୍ତ ଯବାନଙ୍କ ସହ କଥା ହୋଇଥିଲେ। ତାଙ୍କ କହିବା ଅନୁସାରେ ଗତ ୨୫ ତାରିଖରେ ସେ ଆଣ୍ଡାମାନରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ସେହି ସମୟରେ ବର୍ଷା ହେଉଥିବାରୁ ଭିଜିଯାଇଥିଲେ। ଘରେ ପହଞ୍ଚିବା ପରେ ତାଙ୍କୁ ପ୍ରବଳ ଥଣ୍ଡା ହୋଇଥିଲା। ତେଣୁ ଗତକାଲି (୩ ତାରିଖ) ସକାଳେ ଯାଇ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ଡାକ୍ତର ତାଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଇଥିଲେ। ଏବଂ ଅପରାହ୍‌ଣରେ ସେଠାରୁ ଡିସ୍‌ଚାର୍ଜ ହେବା ପରେ ସନ୍ଧ୍ୟାରେ ଆସି ନିଜ ଘରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର