ରାଜ୍ୟ ବାହାର ଫେରନ୍ତାଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଛି ଆଶଙ୍କା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାକୁ ନିକଟରେ ବିଦେଶରୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରାଯିବା ସହ ସ୍ବଗୃହ ଏକାନ୍ତବାସ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାରେ କରୋନା ପ୍ରଭାବିତ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଆଦିରୁ ଫେରିଥିବା ବାହାର ରାଜ୍ୟର ବ୍ୟକ୍ତିବିଶେଷଙ୍କୁ ଏଯାଏଁ ଠାବ କରାଯାଇପାରିନାହିଁ। ଫଳରେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା ରହିଛି।

ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ଠାରୁ ବିଦେଶରୁ ଫେରିଥିବା ତାଲିକାରେ ୬୧ଜଣ ରହିଛନ୍ତି। ଏହା ସହ ଜିଲ୍ଲା ପ୍ରଶାସନକୁ ମିଳିଥିବା ତଥ୍ୟକୁ ନେଇ ୧୬ଜଣ ବିଦେଶାଗତଙ୍କୁ ସ୍ବଗୃହ ଏକାନ୍ତବାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କ ତାଲିକା ଏଯାଏଁ ପ୍ରସ୍ତୁତ ହୋଇପାରିନାହିଁ। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଶ୍ରମିକ ମହାରାଷ୍ଟ୍ରର ପୁନେ, ମୁମ୍ବାଇ, ଗୁଜରାଟର ସୁରଟ, ଦିଲ୍ଲୀର ନୋଏଡା, ଉତ୍ତରପ୍ରଦେଶ, କେରଳ ଆଦି ଅଞ୍ଚଳରେ କାମ କରୁଛନ୍ତି। ବର୍ତ୍ତମାନ ଦେଶରେ ଏହି ସମସ୍ତ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ରେକର୍ଡ କରାଯାଇଥିବା ବେଳେ ସେଠାରୁ ଫେରିଥିବା ଅନେକ ବ୍ୟକ୍ତିଙ୍କୁ ନେଇ ଜିଲ୍ଲାରେ ଗୋଷ୍ଠୀଗତ ସଂକ୍ରମଣ ବ୍ୟାପିବା ସମ୍ଭାବନା ସୃଷ୍ଟି ହୋଇଛି।

ଜିଲ୍ଲା ପ୍ରଶାସନ ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ଦୋକାନବଜାର ଆଦି ବନ୍ଦ କରିବା, ମନ୍ଦିର, ମସଜିଦ୍‌, ଗୀର୍ଜାରେ ସାମୂହିକ ପ୍ରାର୍ଥନା ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅନେକ ସ୍ଥାନରେ ଏହା ପାଳିତ ହେଉନାହିଁ। ଅପରପକ୍ଷରେ, ଜିଲ୍ଲାକୁ ଫେରିଥିବା ବ୍ୟକ୍ତିମାନେ ସ୍ବଘୋଷିତ ଫର୍ମ ପୂରଣ କରି ଦାଖଲ କରିବାରେ ସରକାର ପୁରସ୍କାର ରାଶି ଘୋଷଣା କରିବା ପରେ ଲୋକଙ୍କ ସଂଖ୍ୟା ଗତ ୪ ଦିନ ମଧ୍ୟରେ ୨୦୦ରୁ ପ୍ରାୟ ୪ହଜାର ବୃଦ୍ଧି ପାଇଛି। ତେବେ ଏହାର ଚୂଡ଼ାନ୍ତ ତାଲିକା ଏଯାଏଁ ଜିଲ୍ଲା ପ୍ରଶାସନ ପାଇପାରି ନଥିବାରୁ ସେମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକ ସ୍ବାସ୍ଥ୍ୟଗତ ପରାମର୍ଶ ଦେଇପାରୁନାହିଁ।

ସମ୍ବନ୍ଧିତ ଖବର