କରୋନା ମାଡ଼ରେ ଅର୍ଥନୀତି ଚେପା : କଠୋର ନିଷ୍ପତ୍ତି ପାଇଁ ବଢ଼ୁଛି ଚାପ

ସବୁଥିରେ କାଣ୍ଟଛାଣ୍ଟ କରିପାରନ୍ତି ସରକାର
ଅଟକିପାରେ ଭିତ୍ତିଭୂମି ଖର୍ଚ୍ଚ
ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ବ
କେନ୍ଦ୍ର ସହ ଉତ୍ତମ ସଂପର୍କ ଲାଭ ଦେଇପାରେ
ସ୍ବତନ୍ତ୍ର କରୋନା ସେସ୍ ପାଇଁ ପ୍ରସ୍ତାବ ଦେଉ ରାଜ୍ୟ

ଭୁବନେଶ୍ବର : କରୋନା ଜନିତ ଲକ୍‌ଡାଉନ ଅବଧିକୁ ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରି କହିଥିଲେ ଯେ ଅର୍ଥନୀତି ଅପେକ୍ଷା ମଣିଷ ଜୀବନ ସରକାରଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ସେହି କାରଣରୁ ସେ ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସୂଚାଇ ଦେଉଛି ଯେ ଓଡ଼ିଶା ଆର୍ଥିକ ସ୍ଥିତି ଭୀଷଣ କ୍ଷତିଗ୍ରସ୍ତ ହେବାକୁ ଯାଉଛି। ସରକାର ଅନୁମାନ ଲଗାଇ ସାରିଛନ୍ତି। ହେଲେ ଅର୍ଥନୀତିରେ ସୁଧାର ଅଣାଯାଇପାରିବ, କିନ୍ତୁ ମଣିଷକୁ ଫେରାଇ ଅଣାଯାଇପାରିବ ନାହିଁ। ଅନ୍ୟପଟେ ଅର୍ଥନୀତିଜ୍ଞମାନେ ମତ ରଖିଲେଣି ଯେ କରୋନା ଜନିତ ଆର୍ଥିକ ଦୁଃସ୍ଥିତିର ପ୍ରଭାବ ଦୁଇ ବର୍ଷ ପର୍ଯ୍ୟନ୍ତ ରହିପାରେ। ତା’ ପୂର୍ବରୁ ଏକ୍ଷେତ୍ରରେ ସୁଧାର ଆସିବା ସମ୍ଭାବନା କ୍ଷୀଣ।

ବିଶେଷଜ୍ଞମାନେ ଆହୁରି କହୁଛନ୍ତି ଯେ ଏବେ ପାଖାପାଖି ୧୦ଲକ୍ଷ ବେକାରୀଙ୍କ ଚାପ ରାଜ୍ୟ ଅର୍ଥନୀତି ଉପରେ ରହିବ। ଏଭଳିସ୍ଥଳେ ସରକାର ଯେଉଁ ଆଧାରରେ ବଜେଟ୍ ପ୍ରସ୍ତୁତ କରିଛନ୍ତି, ସେଥିରେ ଏକ ବଡ଼ ଧରଣର ପରିବର୍ତନ ଆବଶ୍ୟକ ହୋଇପାରେ। କାରଣ ଭୋକ ଓ ବେକାରୀକୁ ଦୂର କରିବା ଲାଗି ସରକାରଙ୍କୁ ଅଧିକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡିପାରେ। ଏଭଳିସ୍ଥିତିରେ କେବଳ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ନୁହେଁ, ବରଂ ସବୁ ବର୍ଗର ବେକାରୀଙ୍କୁ କିଛି ସମୟ ପାଇଁ ବେକାରୀ ଭତ୍ତା ଭଳି ଆବଶ୍ୟକତା ପଡ଼ିପାରେ।

ଅର୍ଥନୀତିଜ୍ଞମାନଙ୍କ ମତ ଓ ରାଜ୍ୟ ସରକାରଙ୍କ ଲକ୍‌ଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ପରିପ୍ରେକ୍ଷୀରେ ରାଜ୍ୟ ଅର୍ଥନୀତିର ଗତି କେଉଁଆଡ଼େ ହେବ, ସେ ନେଇ ଉଭୟ ସରକାରୀ ଓ ବେସରକାରୀସ୍ତରରେ ହିସାବନିକାସ ଆରମ୍ଭ ହୋଇଗଲାଣି। ନବୀନଙ୍କ ଆଭିମୁଖ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ଓ ସମାନ୍ତରାଳ ଭାବେ ରାଜ୍ୟ ଅର୍ଥନୀତିରେ କିଭଳି ସୁଧାର ଆସିବ, େସ ନେଇ ବିକଳ୍ପ ଫର୍ମୁଲା କଣ ହୋଇପାରେ, ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି।

ଗୋଟିଏ ଗୋଷ୍ଠୀ ମତ ରଖିଛନ୍ତି ଯେ ରାଜ୍ୟ ସରକାର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ କରିଛନ୍ତି, ସେମାନେ ସ୍ଥିତି ଅନୁଧ୍ୟାନ କରି ଅବଶ୍ୟ ସୁପାରିସ କରିବେ। କେତେକ ବିଶେଷଜ୍ଞଙ୍କୁ ଏହି କମିଟିରେ ସରକାର ସାମିଲ କରିବେ ଓ ସରକାରୀ ବ୍ୟବସ୍ଥାରେ ଥିବା କିଛି ଅଧିକାରୀଙ୍କୁ ମଧ୍ୟ ସାମିଲ କରିପାରନ୍ତି। ଏହି ରିପୋର୍ଟକୁ ସରକାର ନିଶ୍ଚୟ ଅପେକ୍ଷା କରିବେ।

ତେବେ ରାଜ୍ୟ ସରକାରଙ୍କ ପାଇଁ ଆଶ୍ବାସନାର କଥା ହେଲା ଯେ କେନ୍ଦ୍ର ସହିତ ଉତ୍ତମ ସଂପର୍କ ରଖିଥିବା ପରିପ୍ରେକ୍ଷୀରେ ଓଡ଼ିଶା ଅଧିକ କେନ୍ଦ୍ରୀୟ ଅନୁଦାନ ହାସଲ କରିବା ସମ୍ଭାବନା ଉଜ୍ଜ୍ବଳ। ପୂର୍ବରୁ ଭୀଷଣ ସାମୁଦ୍ରିକ ବାତ୍ୟା ଫନି ବେଳେ ବି ରାଜ୍ୟ ସରକାର ଏହି କାରଣରୁ ଏକ ବଡ଼ ପରିମାଣର ଆର୍ଥିକ ସହାୟତା ହାସଲ କରିଥିଲେ, ଯାହା ଓଡ଼ିଶା ଇତିହାସରେ କେବେ ବି ହୋଇନଥିଲା। ଏଣୁ ସଂପର୍କର ଦ୍ବାହି ଦେଇ ନବୀନ କେନ୍ଦ୍ରଠାରୁ ଅଧିକ ଅର୍ଥ ପାଇବା ଲାଗି ଢେର୍ କସରତ କରିପାରନ୍ତି। ଏହା ରାଜ୍ୟର ଆର୍ଥିକ ଚାପକୁ ଏଡ଼ାଇବା ଦିଗରେ ଏକ ବଡ଼ ଅସ୍ତ୍ର ହୋଇପାରେ।

ଓଡ଼ିଶାର ଅର୍ଥ ବ୍ୟବସ୍ଥା ସହିତ ଯୋଡ଼ି ହୋଇଥିବା ବିଶେଷଜ୍ଞମାନଙ୍କର ମତ ହେଉଛି ଯେ ସରକାରଙ୍କ ପାଖରେ ବର୍ତମାନ ପରିସ୍ଥିତିରେ ଡଜନେ ବିକଳ୍ପ ଫର୍ମୁଲା ରହିଛି, ଯାହା ଉପରେ ପଦକ୍ଷେପ ନିଆଯାଇପାରେ। କେଉଁ କେଉଁ ସୂତ୍ରରୁ ଅର୍ଥ ଆଣି ଓଡ଼ିଶା ଅର୍ଥନୀତିକୁ ସୁରକ୍ଷା ଦିଆଯାଇପାରିବ, ସେ ଦିଗରେ ତାଲିକା ପ୍ରସ୍ତୁତି ଏକ ସ୍ବାଭାବିକ ପ୍ରକ୍ରିୟା।

କାରଣ ବର୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ପାଇଁ ଯେଉଁ ବଡ଼ ଧରଣର ପୁଞ୍ଜି ବିନିଯୋଗ ଲାଗି ରାସ୍ତା ଖୋଲିଥିଲେ,ତାହା ଗଭୀର ଭାବେ ପ୍ରଭାବିତ ହେବ। କାରଣ ଲୋକଙ୍କ ପେଟ ଉପରେ ନିର୍ଘାତ ପ୍ରହାର ଦେଇଛି କରୋନା। ଏଣୁ ଅର୍ଥନୀତିରେ ସୁଧାର ଆଣି ତୁରନ୍ତ ଅଧିକରୁ ଅଧିକ ସାମାଜିକ ଯୋଜନା ସରକାର ଘୋଷଣା କଲେ ଯାଇ ଜନଜୀବନ ସ୍ବାଭାବିକ ହେବ ବୋଲି କୁହାଯାଉଛି। ଏହା ସରକାରଙ୍କ ପାଇଁ ଏବେ ମୁଖ୍ୟ ଚ୍ୟାଲେଞ୍ଜ।

ଏହି ପରିପ୍ରେକ୍ଷୀରେ ସରକାର କିଛି ଅପ୍ରୀତିକର ନିଷ୍ପତ୍ତି ନେଇପାରନ୍ତି। ଦୁଇବର୍ଷ ପର୍ଯ୍ୟନ୍ତ କର୍ବାମଚାରୀଙ୍କୁ ବର୍ଷକ‌ରେ ଦୁଇଥର ଦିଆଯାଉଥିବା ମହଙ୍ଗା ଭତ୍ତା ବାତିଲ୍ କରିପାରନ୍ତି। କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ଦରମାରେ ୩୦ ପ୍ରତିଶତ କାଟ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି କେନ୍ଦ୍ର ନିଷ୍ପତ୍ତି ନିଏ, ତେବେ ରାଜ୍ୟ ସରକାର ଅନୁରୂପ ରାସ୍ତାରେ ଯାଇ ନିଜ ସରକାରୀ କର୍ମଚାରୀଙ୍କ ଦରମାରେ ହାତ ମାରିପାରନ୍ତି। ବିଭିନ୍ନ ସରକାରୀ ଉଦ୍ୟୋଗକୁ ଦିଆଯାଉଥିବା ଅନୁଦାନକୁ ବନ୍ଦ କରିବା ସହିତ ଲାଭଜନକ ସଂସ୍ଥାକୁ ଅଧିକ ଡିଭିଡେଣ୍ଟ ଦେବାକୁ ନିର୍ଦେଶ ମଧ୍ୟ ଅନ୍ୟ ଏକ ବିକଳ୍ପ ବୋଲି କୁହାଯାଉଛି।

ସେହିଭଳି ବେତନ କମିସନ ସୁପାରିସ ବାବଦ ଯେଉଁ ବକେୟା ୪୦ ପ୍ରତିଶତ ଅର୍ଥ ଚଳିତବର୍ଷ ଦେବା ପାଇଁ ସରକାର ବଜେଟରେ ବ୍ୟୟବରାଦ କରିଥିଲେ, ତାହାକୁ କେବଳ ଅବସର ନେଉଥିବା କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟମାନଙ୍କ ପାଇଁ ପୁଣି ସ୍ଥଗିତ ରଖାଯାଇପାରେ। ଅଫିସରଙ୍କ ବିଦେଶଗସ୍ତ, ନୂଆ ନିଯୁକ୍ତି ଉପରେ କଟକଣା ଲାଗିବା ମଧ୍ୟ ଏକ ଉପାୟ।

ବିଶେଷଜ୍ଞଙ୍କର କହିବା କଥା ହେଉଛି ଯେ କେରଳ ବନ୍ୟା ପରେ ସଂପୃକ୍ତ ରାଜ୍ୟକୁ ସ୍ବତନ୍ତ୍ର ସେସ୍ ଆଦାୟ ଲାଗି କେନ୍ଦ୍ର ସମ୍ମତି ଦେଇଥିଲା। ଏବେ ରାଜ୍ୟ ସରକାର କେନ୍ଦ୍ରକୁ କରୋନା ସେସ୍ ଆଦାୟ ପାଇଁ ପ୍ରସ୍ତାବ ଦେବା ଉଚିତ। ଏହା ଜିଏସଟି ଉପରେ ଅତିରିକ୍ତ ଭାବେ ଆଦାୟ ହେବ ଓ ଏହାକୁ ଜିଏସ୍‌ଟି ପରିଷଦ ଅନୁମୋଦନ ଦେଲେ ଏ ବାବଦ ଅଧିକ ଟିକସ ରାଜ୍ୟ ରାଜକୋଷକୁ ଆସିପାରିବ।

ଏମିତିରେ ବି ଗତ ୧୨ବର୍ଷ ଧରି ରାଜସ୍ବ ବଳକା ରାଜ୍ୟ ଭାବେ ପରିଗଣିତ ହେଉଥିବା କାରଣରୁ ଓଡ଼ିଶା ଏଥର କେନ୍ଦ୍ରୀୟ ସ୍ବତନ୍ତ୍ର ଅନୁଦାନ ହରାଇଛି। ଏବେ କିନ୍ତୁ ସ୍ଥିତି ଅତି ଜଟିଳ ଓ ଅର୍ଥବଳକା ସମ୍ଭାବନା ଏକ ଅବାସ୍ତବ ପରିକଳ୍ପନା। ସରକାର େକନ୍ଦ୍ରକୁ ଏକଥା ଜଣାଇ ସ୍ବତନ୍ତ୍ର ଅନୁଦାନ ପାଇଁ ଚାପ ରଖିବା ଦରକାର। ଏମିତିରେ ବି କିଛି ରାଜ୍ୟ ଏଫ୍‌ଆରବିଏମ୍ ଆଇନରେ ସଂଶୋଧନ ଆଣି ଜିଡିପିର ୪ରୁ ୪.୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ନେବା ଲାଗି ଅନୁମତି ଦେବାକୁ ପ୍ରସ୍ତାବ ରଖିଲେଣି। କେନ୍ଦ୍ର ସରକାର ବି ଏହି ରାସ୍ତାରେ ଅଛନ୍ତି। ଏମିତି ହେଲେ ଏକ ବଡ଼ ପରିମାଣର ଅର୍ଥ ସରକାର ଖୋଲା ବଜାରରୁ ଋଣ ଆକାରରେ ପାଇବେ ଓ ଏହା ଅର୍ଥନୀତିକୁ ଏକ ନୂଆ ଦିଶା ଦେଇପାରେ। ତେବେ ଏ କ୍ଷେତ୍ରରେ ବ୍ୟାଙ୍କମାନଙ୍କ ଆର୍ଥିକ ସ୍ଥିତି ଏକ ବଡ଼ ବାଧକ ହୋଇପାରେ।

ସମ୍ବନ୍ଧିତ ଖବର