ଅକ୍ଷୟ ତୃତୀୟାରେ ବାରିପଦାରେ ସୁନା ବେପାର ମାନ୍ଦା : ଗତବର୍ଷ ଫନି ଚଳିତ ବର୍ଷ କରୋନା ମାଡ଼, ଦୋକାନ ଖୋଲା, ଗ୍ରାହକ ନାହାନ୍ତି

ବାରିପଦା : ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ସୁନା ରୂପା କିଣିଲେ ଧନଧାନ୍ୟ ବୃଦ୍ଧି ପାଇବା ସହିତ ଭାଗ୍ୟରେ ସମୃଦ୍ଧି ଘଟିଥାଏ। ଏହି ବିଶ୍ବାସ ଫଳରେ ଅକ୍ଷୟ ତୃତୀୟା ଦିନ ସୁନା ଗହଣା ବିକ୍ରିରେ ଉତ୍ସାହ ପରିଲକ୍ଷିତ ହୋଇଥାଏ। ଦୀର୍ଘ ଦିନର ଲକ୍‌ଡାଉନ ଫଳରେ ବାରିପଦାରେ ବନ୍ଦ ଥିବା ସୁନା ଦୋକାନ ସବୁ ଆଜି ସକାଳୁ ଖୋଲିଥିଲା। ପ୍ରତିବର୍ଷ ଭଳି ଅକ୍ଷୟ ତୃତୀୟାରେ ହେଉଥିବା ଭିଡ କିନ୍ତୁ ଆଜି ଦେଖିବାକୁ ମିଳିନଥିଲା। ଲକ୍‌ଡାଉନରେ ସୁନା ଦୋକାନ ଖୋଲୁଥିବା ସାଧାରଣ ଲୋକ ଜାଣିବାକୁ ପାଇନଥିଲେ। ତେଣୁ ଦୋକାନ ଖୋଲାଥିଲେ ମଧ୍ୟ ଗ୍ରାହକଙ୍କର ଦେଖା ନଥିଲା।

ଗତବର୍ଷ ଫନି ପ୍ରଭାବରୁ ସାମାନ୍ୟ ମାନ୍ଦା ହୋଇଥିଲା ଗହଣା ବ୍ୟବସାୟ। ସେହିପରି ଚଳିତ ବର୍ଷ ବାରିପଦାରେ ଗହଣା ବ୍ୟବସାୟ ଉପରେ କରୋନାଦାଉ ସାଜିଥିବା ଗହଣା ବ୍ୟବସାୟୀମାନେ ମତ ଦେଇଛନ୍ତି। ଗତବର୍ଷ ବାରିପଦାରେ ପ୍ରାୟ ୨୦କେଜିରୁ ଊର୍ଧ୍ବ ସୁନା ବିକ୍ରି ହୋଇଥିଲା। ମାତ୍ର ଚଳିତ ବର୍ଷ ଏହାର ୧୦ ପ୍ରତିଶତ ମଧ୍ୟ ବିକ୍ରି ହୋଇନାହିଁ। ଗହଣା ଦୋକାନ ସବୁ ସକାଳ ୮ରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଖୋଲା ଥିଲା। ମାତ୍ର ଲକ୍‌ଡାଉନ କାରଣରୁ ସେପରି ବ୍ୟାବସାୟିକ କାରବାର ହୋଇନାହିଁ ବୋଲି ବାରିପଦାର ଜଣାଶୁଣା ଜୁଏଲର୍ସ ସୋରୁମ୍ ସୋନା ଚାନ୍ଦି ଜୁଏଲର୍ସର ମୁଖ୍ୟ ଅରୁପ କୁମାର ଦାସ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସୁନା ମୂଲ୍ୟ ୧୦ଗ୍ରାମକୁ ୪୫ହଜାର ୮୦୦ ରହିଛି। ବାରିପଦାରେ ପ୍ରାୟ ୩୦ରୁ ଊର୍ଧ୍ବ ସୁନା ଦୋକାନ ରହିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ବାରିପଦାରେ ପ୍ରାୟ ୨୦ କେଜିରୁ ଊର୍ଧ୍ବ ବିକ୍ରିବଟା ହୋଇଥାଏ। ମାତ୍ର ଚଳିତ ବର୍ଷ କିନ୍ତୁ ସୁନା ବେପାର ପୁରା ମାନ୍ଦା ପଡ଼ିଯାଇଥିବା ଅରୁପ ଦାସ ସୂଚନା ଦେଇଛନ୍ତି। ତେବେ ପ୍ରଶାସନର ନିଷ୍ପତି ଅନୁସାରେ ଆସନ୍ତାକାଲିଠାରୁ ପୁଣିଥରେ ସୁନା ଦୋକାନ ସବୁ ବନ୍ଦ ରହିବ।

ସମ୍ବନ୍ଧିତ ଖବର