ରାଜ୍ୟର ଆର୍ଥିକ ସ୍ଥିତି ଉପରେ କରୋନା ମାଡ଼ : କେନ୍ଦ୍ର ଟଙ୍କା ଦେଲେ ଯାଇ ଖର୍ଚ୍ଚ ହେବ

ସବୁ ବିଭାଗକୁ ଚିଠି ଲେଖିଲେ ଅର୍ଥ ବିଭାଗ ପ୍ରମୁଖ ସଚିବ
୨୦ଟି ବିଭାଗର ଖର୍ଚ୍ଚ ସଂକୁଚିତ
ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗ ପାଇଁ କଟକଣା କୋହଳ

ଭୁବନେଶ୍ବର : କରୋନା ମହାମାରୀ ଯୋଗୁ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ ଟଙ୍କା ମିଳିବା ନେଇ ଅନିଶ୍ଚିତତା ଜାରି ରହିଛି। ରାଜ୍ୟ ରାଜକୋଷରେ ଟଙ୍କା ନାହିଁ ଖର୍ଚ୍ଚ କରନି। କେନ୍ଦ୍ରୀୟ ଅଂଶ ନ ମିଳିବା ଯାଏ ରାଜ୍ୟ ଅଂଶ ଖର୍ଚ୍ଚ ହେବନି। ଆଜି ଏପରି ଉଦବେଗ ପ୍ରକାଶ କରି ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସମସ୍ତ ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର, ଶାସନ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। କରୋନା ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଆଧାରରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି। କେବଳ ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗକୁ ଛାଡ଼ି ସମସ୍ତ ବିଭାଗର ଖର୍ଚ୍ଚକୁ ସଂକୁଚିତ କରାଯାଇଛି। ଆର୍ଥିକ ପରିଚାଳନା ଅନ୍ତର୍ଗତ ବଜେଟ୍‌ ଅର୍ଥର ଅଧିକ ଖର୍ଚ୍ଚ କରୁଥିବା ସରକାରଙ୍କ ୨୦ଟି ବିଭାଗର ପ୍ରଶାସନିକ ଓ କାର୍ଯ୍ୟକ୍ରମ ବ୍ୟୟ ସୀମାକୁ ଏଣିକି ପ୍ରଶାସନିକ ଓ କାର୍ଯ୍ୟକ୍ରମ ବ୍ୟୟବରାଦ ଅର୍ଥ ସୀମିତ ପରିମାଣରେ ଖର୍ଚ୍ଚ କରିପାରିବେ। କିନ୍ତୁ କେନ୍ଦ୍ରୀୟ ଯୋଜନାରେ ନିୟୋଜିତ କର୍ମଚାରୀଙ୍କ ଦରମା ବାବଦ ଅର୍ଥ ପ୍ରଦାନ କରାଯାଇପାରିବ।

ଚିଠି ଅନୁଯାୟୀ, କୋଭିଡ ଯୋଗୁଁ ଭାରତ ସରକାରଙ୍କଠାରୁ ରାଜ୍ୟକୁ ମିଳିବାକୁ ଥିବା ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ରୀୟ ଅଂଶ ମିଳିବା ଠିକ୍‌ ନାହିଁ। ଏ କ୍ଷେତ୍ରରେ ରାଜ୍ୟରେ ଚାଲୁ ରହିଥିବା କେନ୍ଦ୍ରୀୟ ଯୋଜନା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହେବନି। ଶ୍ରୀ ମୀନା ଦର୍ଶାଇଛନ୍ତି, ପୂର୍ବରୁ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ କେନ୍ଦ୍ରୀୟ ଅଂଶ ନ ଆସିଥିଲେ ବି ରାଜ୍ୟସରକାର ତାଙ୍କ ଅଂଶ ଖର୍ଚ୍ଚ କରୁଥିଲେ। କିନ୍ତୁ ଚଳିତ ବର୍ଷ ସେପରି ଅବସ୍ଥା ନାହିଁ। ଯଦି ଅତି ଜରୁରୀ ପରିସ୍ଥିତିରେ କୌଣସି ବିଭାଗ ଚାଲୁ ରହିଥିବା ଯୋଜନା ବାବଦରେ ଖର୍ଚ୍ଚ କରିବେ ତାହେଲେ ସେଥିପାଇଁ ଅର୍ଥ ବିଭାଗର ଅନୁମତି ନେବାକୁ ପଡ଼ିବ। ସେହିପରି ବଜେଟ୍‌ ଆର୍ଥିକ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ଉଭୟ କେନ୍ଦ୍ରୀୟ ଯୋଜନା ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ବିଭାଗଗୁଡ଼ିକର ପ୍ରଶାସନିକ ଓ କାର୍ଯ୍ୟକ୍ରମ ବ୍ୟୟକୁ ଯଥାକ୍ରମେ ୧୫ କୋଟି ଓ ୩୦ କୋଟି ଭିତରେ ସୀମିତ ରଖାଯାଇଛି। ଏଥିରେ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗଣଶିକ୍ଷା, ଏସସି-ଏସଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଶିଳ୍ପ, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ, କୃଷି, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ହସ୍ତତନ୍ତ ଓ ବୟନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଏମ୍‌ଏସ୍‌ଏମ୍‌ଇ ଓ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସାମିଲ ଅଛି।

ସମ୍ବନ୍ଧିତ ଖବର