ଦଶପଲ୍ଲା : ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଦଶପଲ୍ଲାରେ ଏହା ଅଣାୟତ୍ତ ହୋଇପଡ଼ିଛି। ପୂରା ଦଶପଲ୍ଲା ଥାନା ଏବେ କରୋନା କବଳରେ । ଥାନା ଅଧିକାରୀଙ୍କ ସମେତ ୧୧ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପ୍ରଶାସନ ପାଇଁ ଯେତିକି ମୁଣ୍ତବିନ୍ଧାର କାରଣ ପାଲଟିନି, ତାହାଠୁ ଅଧିକ ଆତଙ୍କ ଖେଳିଯାଇଛି ଦଶପଲ୍ଲା ଅଞ୍ଚଳରେ।
ଗତକାଲି ଥାନାର ଜଣେ ଏସ୍ଆଇ ଓ ଜଣେ ଏଏସ୍ଆଇଙ୍କ ସମେତ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ମାତ୍ର ଆଜି ସଂଧ୍ୟାରେ ଥାନା ଅଧିକାରୀଙ୍କ ସମେତ ୯ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି। ଯେଉଁଥିରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା କର୍ମଚାରୀ ରହିଛନ୍ତି। ତେବେ ବଡ଼କଥା ହେଉଛି, ଦୈନିକ ଏହି କର୍ମଚାରୀମାନେ ପାଟ୍ରୋଲିଂ କରିବା ସହ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏପରିକି କିଛି କର୍ମଚାରୀ ମଧ୍ୟ କିଛି ସାଧାରଣ ବ୍ୟକ୍ତିଙ୍କ ବାଇକ୍ରେ ଯାତାୟାତ କରିଥିବା କୁହାଯାଉଛି। ଯାହାକୁ ନେଇ ଦଶପଲ୍ଲାରେ ବହୁ ମାତ୍ରାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ଏପଟେ ପୁଲିସ କର୍ମଚାରୀଙ୍କ ସମେତ ଦଶପଲ୍ଲାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେବେ ଜରୁରୀ କାମ ନଥିଲେ ଜନସାଧାରଣ ଥାନାକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଭଳି ସଂକଟଜନକ ସ୍ଥିତିରେ ଦଶପଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିବା ଜରୁରୀ ହୋଇ ପଡ଼ିଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/daspalla-ps.jpg)