ଲକ୍ଷେ ଟପିଲା କରୋନା ସଂକ୍ରମଣ, ଦେଶରେ ୧୧ତମ ରାଜ୍ୟ ପାଲଟିଲା ଓଡ଼ିଶା

ଦିନକରେ ଆଉ ୧୨ ମୃତ, ୩୦୧୪ ପଜିଟିଭ୍‌
ସୁସ୍ଥ‌ ହେଲେ ପ୍ଲାଜ୍‌ମା ନେଇଥିବା ୧୦୪ ରୋଗୀ
ଖୁବଶୀଘ୍ର ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ୧ଲକ୍ଷ ସଂଖ୍ୟା ପାର୍ କରିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦୧୪ ସଂକ୍ରମିତ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୩୪ରେ ପହଞ୍ଚିଛି। ଲକ୍ଷେ ସଂଖ୍ୟା ଅତିକ୍ରମ କରିବା ଲାଗି ଓଡ଼ିଶାକୁ ୧୬୭ଦିନ ଲାଗିଛି। ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏହାସହ ୧ଲକ୍ଷ ସଂଖ୍ୟା ଟପିବାରେ ଓଡ଼ିଶା ଦେଶରେ ୧୧ତମ ରାଜ୍ୟ। ଏହା ପୂର୍ବରୁ ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ଆସାମ ଓ ତେଲେଙ୍ଗାନା ଲକ୍ଷେ ସଂଖ୍ୟା ପାର୍ କରି ସାରିଛନ୍ତି।

ଅପରପକ୍ଷରେ ଚଳିତମାସ ୧୧ତାରିଖରେ ରାଜ୍ୟରେ କରୋନା ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏହାର ୧୮ଦିନ ପ‌ରେ ୧ଲକ୍ଷ ସଂଖ୍ୟା ଅତିକ୍ରମ କରିଛି। ଓଡ଼ିଶା ପରେ କେବଳ ତେଲେଙ୍ଗାନା ଏଥିପାଇଁ ୧୭୩ ଦିନ ସମୟ ନେଇଛି। ଅନ୍ୟ ରାଜ୍ୟମାନେ ଓଡ଼ିଶା ତୁଳନାରେ କମ୍ ଦିନରେ ୧ଲକ୍ଷ ସଂଖ୍ୟାକୁ ଅତିକ୍ରମ କରିଛନ୍ତି। ଯଦିଓ ରାଜ୍ୟରେ କରୋନା ୧ଲକ୍ଷ ପାର୍ କରିଛି ମାତ୍ର ଦୈନିକ ବୃଦ୍ଧି ଓ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ଖସିଆସିଛି। ଏଥିରେ କୋଭିଡ୍‌ ନମୁନା ପରୀକ୍ଷାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ରାଜ୍ୟରେ ଏବେ ଦୈନିକ ନମୁନା ପରୀକ୍ଷା ୫୦ହଜାର ଅତିକ୍ରମ କରିଛି। ମାତ୍ର ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ ବହୁତ୍ କମ୍ ସଂଖ୍ୟକ ନମୁନା ପରୀକ୍ଷା କରାଯାଉଥିଲା। ଏବେ ଅଧିକ ନମୁନା ପରୀକ୍ଷା ହେଉଥିବା ବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଫଳ‌ରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୦ହଜାର ୬୪୬ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ଆଜି ଆଉ ୧୨ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଏଥିରେ ୪ଜଣ ଗଞ୍ଜାମର ଥିବା ବେଳେ ଭୁବନେଶ୍ବର, କଟକ, ରାୟଗଡ଼ା, ପୁରୀ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର ଓ ମାଲକାନଗିରିର ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୧୮୯ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧାରେ ୬୨, ସୁନ୍ଦରଗଡ଼ ୩୫, କଟକ ୩୧, ରାୟଗଡ଼ା ୨୩, ଗଜପତି ୧୮, ସମ୍ବଲପୁର ୧୪, ପୁରୀ ୧୩,ନୟାଗଡ଼ ୧୨ ଓ ବାଲେଶ୍ବରରୁ ୧୧ଜଣ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ୩୦୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୮ ସଙ୍ଗରୋଧରୁ ଓ ୧୧୪୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୬୮୪ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୩୩୭, ମୟୂରଭଞ୍ଜ ୨୯୨, ଗଞ୍ଜାମ ୨୧୬, ବାଲେଶ୍ବର ୧୩୮, ବରଗଡ଼ ୧୨୪, କୋରାପୁଟ ୧୨୦, ପୁରୀ ୧୧୮, ରାୟଗଡ଼ା ୧୦୪, ସମ୍ବଲପୁର ୧୦୨, ସୁନ୍ଦରଗଡ଼ ୯୧, କେନ୍ଦୁଝର ୬୮, ଜଗତସିଂହପୁର ୬୬, କନ୍ଧମାଳ ୬୦, ଢେଙ୍କାନାଳ ୪୯, ଝାରସୁଗୁଡ଼ା ୪୫, କେନ୍ଦ୍ରାପଡ଼ା ଓ ସୋନପୁରରୁ ୪୪ ଲେଖାଏଁ, କଳାହାଣ୍ଡି ଓ ଭଦ୍ରକ ୪୦ ଲେଖାଏଁ, ଯାଜପୁର ଓ ନବରଙ୍ଗପୁରରୁ ୩୮ ଲେଖାଏଁ, ବଲାଙ୍ଗୀର ୩୫, ନୟାଗଡ଼ ୨୯, ଅନୁଗୁଳ ୨୫, ନୂଆପଡ଼ା ୭ ଓ ଦେବଗଡ଼ରୁ ୨ଜଣ ରହିଛନ୍ତି। ଗଞ୍ଜାମରେ ସର୍ବାଧିକ ୧୭୬୭୨ଜଣଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାରେ ୧୬୧୪୬ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଓ ଖୋର୍ଧା ଜିଲ୍ଲା ମଧ୍ୟରେ ମାତ୍ର ୧୫୨୬ ଆକ୍ରାନ୍ତଙ୍କ ବ୍ୟବଧାନ ରହିଛି।

ଗଞ୍ଜାମରେ ସଂକ୍ରମଣ କମିଥିବା ବେଳେ ଖୋର୍ଧାରେ ହୁ ହୁ ହୋଇ ବଢ଼ି ଚାଲିଛି। ତେଣୁ ଖୁବଶୀଘ୍ର ଖୋର୍ଧା ଜିଲ୍ଲା ଗଞ୍ଜାମକୁ ଅତିକ୍ରମ କରିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ରାଜ୍ୟରେ ଆଜି ୨୫୧୯ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ଲାଜମା ନେଇଥିବା ୧୦୪ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧାର ୪୧୯ଜଣ ରହିଛନ୍ତି। ଏହାବାଦ୍ ଗଞ୍ଜାମ ୨୧୬, ପୁରୀ ୨୧୦, ରାୟଗଡ଼ା ୨୦୫, କୋରାପୁଟ ୧୬୯, ମୟୂରଭଞ୍ଜ ୧୫୦, କଟକ ୧୨୯, ବାଲେଶ୍ବର ୧୦୦, ନୟାଗଡ଼ ୯୫, ସମ୍ବଲପୁର ୮୫, ମାଲକାନାଗିରି ୮୪, ଭଦ୍ରକ ୭୭, ଢେଙ୍କାନାଳ ୭୬, ନବରଙ୍ଗପୁର ୫୮, କନ୍ଧମାଳ ୪୮, ବଲାଙ୍ଗୀର ୪୫, ସୁନ୍ଦରଗଡ଼ ୪୨, ଗଜପତି ୪୦, କେନ୍ଦ୍ରାପଡ଼ା ୩୯, ଝାରସୁଗୁଡ଼ା ଓ କେନ୍ଦୁଝର ୩୮ ଲେଖାଏଁ, ସୋନପୁର ୩୩, ନୂଆପଡ଼ା ୨୮, ଜଗତସିଂହପୁର ୨୭, ବରଗଡ଼ ୨୫, କଳାହାଣ୍ଡି ୧୯, ଯାଜପୁର ୧୨, ଦେବଗଡ଼ ୭, ବୌଦ୍ଧ ୪ ଓ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୩୨୩୩ରେ ପହଞ୍ଚିଛି। ରାଜ୍ୟରେ ଏବେ ୨୭,୧୬୬ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର