ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ରକ୍ତ ନମୁନା ଗଲା କୋଲକାତା

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି ସଂଦିଗ୍ଧ କରୋନା ସଂକ୍ରମିତଙ୍କ ରକ୍ତ ନମୁନା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ମେଡିକାଲ ରିସର୍ଚ ସେଣ୍ଟରରୁ କୋଲକାତା ପଠାଯାଇଥିବା ଜଣାପଡ଼ିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରିପୋର୍ଟ ଜଣାପଡ଼ିଯିବ ବୋଲି ଛାତି-ଯକ୍ଷ୍ମା ବିଭାଗ ମୁଖ୍ୟ ଏସ.ପୋଥାଲ କହିଛନ୍ତି। ଏହି ସମୟ ଭିତରେ ରୋଗୀଙ୍କୁ ବୁର୍ଲା ବଡ଼ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡ଼ରେ ରଖା ଯାଇଥିବାବେଳେ ରୋଗୀଙ୍କ ବାପା, ମା’ଙ୍କୁ ମଧ୍ୟ ଘରେ ଏକୁଟିଆ ରହିବାକୁ ଏବଂ ବାହ୍ୟ ଲୋକଙ୍କ ସହିତ ମିଳିମିଶା ନ କରିବାକୁ ପରାମର୍ଶ ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ଏହି ରୋଗୀଜଣକ ଦକ୍ଷିଣ କୋରିଆରେ କାର୍ଯ୍ୟ କରୁଥିଲେ। ସଂପୃକ୍ତ ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖାଦେବାରୁ ଗତକାଲିଠାରୁ ଚିକିତ୍ସା ପାଇଁ ତାଙ୍କୁ ସୁନ୍ଦରଗଡ଼ ସ୍ବାସ୍ଥ୍ୟ ଟିମ୍‌ ପକ୍ଷରୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଇତିମଧ୍ୟରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ତାଙ୍କ ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ ଡାକ୍ତରଖାନାରେ ପ୍ରଫେସର, ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର, ୪ ଜଣ ଡାକ୍ତର ଫେକଲ୍‌ଟି, ୧୦ ଜଣ ଆବାସିକ ଡାକ୍ତରଙ୍କ ସହିତ ପ୍ରତି ସିଫ୍ଟରେ ଜଣେ ନର୍ସଙ୍କୁ ନିଯୁକ୍ତ କରାଯାଇଛି। ଗାଇଡଲାଇନ ଅନୁସାରେ, ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଡାକ୍ତର କିମ୍ବା ନର୍ସ ରୋଗୀଙ୍କ ନିକଟକୁ ଗଲେ ଯାଉଛନ୍ତି। ଏଥିପାଇଁ ସେମାନେ ମାସ୍କ, ଗଗଲ୍‌ସ, କେପ୍‌, ଗାଉନ୍‌, ଗ୍ଲୋଭ୍ସ ପିନ୍ଧୁଛନ୍ତି। ପରୀକ୍ଷଣ ପରେ ଉପଯୁକ୍ତ ବ୍ୟବସ୍ଥା ସହିତ ଏହାକୁ ନଷ୍ଟ କରାଯାଉଛି। ରୋଗୀଙ୍କ ପାଖକୁ କାହାକୁ ଛଡ଼ା ଯାଉନାହିଁ। ତାଙ୍କର ସମ୍ପର୍କୀୟଙ୍କୁ ଯିବା ପାଇଁ କଟକଣା ଲଗାଯାଇଥିବା ଡ.ପୋଥାଲ କହିଛନ୍ତି।

ସମ୍ବନ୍ଧିତ ଖବର