୧୦୪ ନମ୍ବର, ସ୍ବତନ୍ତ୍ର ପୋର୍ଟାଲରେ ସୂଚନା ଦେବାକୁ ନିର୍ଦେଶ
କ୍ବାରେଣ୍ଟିନ୍ ପୂରଣ ପରେ ୧୫ହଜାର ଟଙ୍କାର ପ୍ରୋତ୍ସାହନ
ମଧ୍ୟପ୍ରାଚ୍ୟ ଓ ଅନ୍ୟ ସ୍ଥାନର ଓଡ଼ିଆଙ୍କ ତଥ୍ୟ ଆକଳନ ଚାଲିଛି
ନିର୍ଦେଶନାମା ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Advertisment

ଭୁବନେଶ୍ବର : କରୋନାକୁ ରୋକିବା ଲାଗି ରାଜ୍ୟ ସରକାର ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିଦେଶରୁ ଯେଉଁମାନେ ଫେରୁଛନ୍ତି, ସେମାନଙ୍କ ପଞ୍ଜୀକରଣ କରିବା ଲାଗି ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ ବିଦେଶ ଫେରନ୍ତା ବ୍ୟକ୍ତି ଓଡ଼ିଶା ଛୁଇଁବାର ୨୪ ଘଣ୍ଟା ଭିତରେ ନିଜର ପଞ୍ଜୀକରଣ କରିବାକୁ ବାଧ୍ୟ। ଆସନ୍ତାକାଲି ସକାଳୁ ସେମାନେ ୧୦୪ ଟୋଲ ଫ୍ରି ନମ୍ବର କିମ୍ବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ୱେବପୋର୍ଟାଲ ଜରିଆରେ ନିଜର ପଞ୍ଜୀକରଣ କରିପାରିବେ। ଯାହାଫଳରେ ସେମାନଙ୍କୁ ପରବର୍ତୀ ସମୟରେ ଟ୍ରାକିଂ କରାଯାଇ ପାରିବ। ସେହି ବ୍ୟକ୍ତିମାନେ ଘରେ ପୃଥକ୍ ଭାବେ ବା କ୍ବାରେଣ୍ଟାଇନ୍ ରହିବେ ଓ ସେମାନଙ୍କ ସହିତ ନିୟମିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯୋଗ କରାଯିବ। କ୍ବାରେଣ୍ଟାଇନ୍ ସମୟ ଶେଷ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ଦେଶରେ ପ୍ରଥମ।

ଶ୍ରୀ ତ୍ରିପାଠୀ କହି‌ଥିଲେ ଯେ କରୋନା ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ଭୂତାଣୁର ମୁଖ୍ୟ ଉତ୍ସ ବିଦେଶ ହୋଇଥିବାରୁ ସେଠାରେ ରହୁଥିବା ଲୋକମାନେ ଏବେ ଓଡ଼ିଶାକୁ ଫେରିବା ଆରମ୍ଭ କରିଛନ୍ତି। ତେଣୁ ଯେଉଁ ବ୍ୟକ୍ତିମାନେ ବିଦେଶରୁ ଆସୁଛନ୍ତି ସେମାନେ ପହଞ୍ଚିବାର ୨୪ଘଣ୍ଟା ପୂର୍ବରୁ ପଞ୍ଜୀକରଣ କଲେ ଭଲ। ମାତ୍ର ଯେଉଁ ବ୍ୟକ୍ତିମାନେ ଚଳିତମାସ ୪ତାରିଖ ପରେ ଓଡ଼ିଶାକୁ ଫେରିଛନ୍ତି ସେମାନେ ଆସନ୍ତା ୪୮ଘଣ୍ଟା ଭିତରେ ପଞ୍ଜୀକରଣ କରିବା ଜରୁରୀ। ଏହି ବ୍ୟକ୍ତିମାନେ covid19.gov.in ଜରିଆରେ ନିଜର ପଞ୍ଜୀକରଣ କରିପାରିବେ। ଆସନ୍ତାକାଲି ସକାଳ ୬ଟାରୁ ଏହି ୱେବପୋର୍ଟାଲ କାର୍ଯ୍ୟ କରିବା ଆରମ୍ଭ କରିବ।

ସରକାର କହିଛନ୍ତି ଯେ ଏଥିରେ ସଂପୃକ୍ତ ବ୍ୟକ୍ତି ନିଜର ନାମ, ଠିକଣା, ଇ-ମେଲ ଆଦି ଉଲ୍ଲେଖ କରିବେ। ଆସନ୍ତା ଏପ୍ରିଲ ମାସ ୧୫ତାରିଖ ପର୍ଯ୍ୟନ୍ତ ଏହି ନିର୍ଦେଶନାମାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଦରକାର ପଡ଼ିଲେ ପଞ୍ଜୀକରଣ ସମୟକୁ ବଢ଼ାଇ ଦିଆଯିବ। ଓଡ଼ିଶାକୁ ଆସିବା ପରେ ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନ୍‌ରେ ରଖାଯିବ। ଏସ୍‌ଓପି ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପ୍ରତ୍ୟେକ ଦିନ ସେମାନଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରିବେ। ଯେଉଁ ବ୍ୟକ୍ତି ଏହି ନିର୍ଦେଶନାମାକୁ ଉଲ୍ଲଂଘନ କରିବେ, ଆଇନ ଅନୁଯାୟୀ ଅର୍ଥାତ୍ ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି) ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ ଯେଉଁ ବ୍ୟକ୍ତିମାନେ ଗାଇଡଲାଇନ୍‌କୁ ଅନୁପାଳନ କରିବେ ସେମାନଙ୍କୁ ୧୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଥ‌ିଲେ।

ଅପରପକ୍ଷରେ ଆସନ୍ତା ଗୁରୁବାର ଠାରୁ ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ସମିତିର ସଚେତନତା ସଭା ଅନୁଷ୍ଠିତ ହେବ। ଏହାସହ ଯେଉଁ ଏନ୍‌ଜିଓମାନେ ସଚେତନତାରେ ସାମିଲ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଆବଶ୍ୟକ ଆଇଇସି ମାଟେରିଆଲ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‌ଚୀ, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ଶିଳ୍ପ ସଚିବ ହେମନ୍ତ ଶର୍ମା, ମିସନ୍‌ ଶକ୍ତିର ପ୍ରମୁଖସଚିବ ଅନୁ ଗର୍ଗ, ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ କୁମାର ସିଂହ ଓ ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।