କରୋନା ମୁକାବିଲା : ମାଆଙ୍କୁ ଦାୟିତ୍ୱ ଦେଲେ ନବୀନ

ହାଡ଼ଫୁଟି ଭଳି କରୋନା ପାଇଁ ସତର୍କ କରାଅ, ମୁକାବିଲାରେ ମାଆମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

୧୯ ତାରିଖ ପଞ୍ଚାୟତ ସଭାରେ ସ୍ଥିର ହେବ ଭତ୍ତା ବଣ୍ଟନ
ଏପ୍ରିଲ ୧ରୁ ତିନିମାସ ପାଇଁ ପିଡିଏସ୍ ସାମଗ୍ରୀ
ଅନ୍ୟ ରାଜ୍ୟରୁ ଆସିଲେ ବି ୧୪ ଦିନ ପାଇଁ ସଙ୍ଗରୋଧ
ଅଙ୍ଗନବାଡି ଛୁଆଙ୍କ ଶୁଖିଲା ରାସନ ଘରେ ଦିଆଯିବ
ପ୍ରଶାସନ ସହ ଆଲୋଚନା କଲେ ମୁଖ୍ୟସଚିବ ଓ ୫ଟି ସଚିବ

ଭୁବନେଶ୍ବର : କରୋନା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସମସ୍ତ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ପାଇଁ ଏକ ୮ ସୂତ୍ର୍ରୀ ନିର୍ଦେଶନାମା ଜାରି କରିଛନ୍ତି। ପଞ୍ଚାୟତର ସମସ୍ତ ପ୍ରତିନିଧିଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ଗୋଟିଏ ସମୟରେ ହାଡ଼ଫୁଟି ଭଳି ଏକ ଭୟାନକ ରୋଗକୁ ଓଡ଼ିଶା ସାମ୍ନା କରୁଥିଲା। ସେତେବେଳେ ସବୁ ଘରେ ଊଣା ଅଧିକେ ସମସ୍ତେ ହାଡ଼ଫୁଟିରେ ପୀଡ଼ିତ ହେଉଥିଲେ। ଆଜି ହାଡ଼ଫୁଟି ପରେ ଆଉ ଏକ ରୋଗ କରୋନା ଆସିଛି। ହାଡ଼ଫୁଟି ଭଳି କରୋନା ପାଇଁ କୌଣସି ଔଷଧ ନାହିଁ। ଏହା ମଧ୍ୟ ଅତି ସଂକ୍ରାମକ ରୋଗ। ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିବା ସବୁଠାରୁ ବଡ଼ ସୁରକ୍ଷା।

ଏଣୁ ମାଆମାନେ ଯେପରି ହା଼ଡ଼ଫୁଟି ପାଇଁ ସମସ୍ତଙ୍କୁ ୧୪ ଦିନ ଅଲଗା ରଖି ଘରେ ଯତ୍ନ ନେଉଥିଲେ, ସେମିତି କରୋନା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ହେବ। ଏହାକୁ ଭୟ ନ କରି ମୁକାବିଲା କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରବର୍ତାଇବା ସହିତ ସମସ୍ତେ ନିଜ ନିଜସ୍ତରରେ ସତର୍କ ରହିବା, ସଚେତନ କରାଇବା ଲାଗି ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିତାଧିକାରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ୪ମାସ ପାଇଁ ଏକକାଳୀନ ଦିଆଯିବ। ଜନସମାବେଶକୁ ସୀମିତ ରଖିବା ନିମନ୍ତେ ଏହି ଭତ୍ତା ରାଶି ହିତାଧିକାରୀଙ୍କୁ ସେମାନଙ୍କ ଗାଁରେ ହିଁ ପ୍ରଦାନ କରାଯିବ। ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଥିବା ପ୍ରତ୍ୟେକ ପଞ୍ଚାୟତ ସଭାରେ ଗ୍ରାମଵାରି ଭତ୍ତା ବଣ୍ଟନ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିର କରାଯିବ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୪୫ ଦିନ ମଧ୍ୟରେ ତିନିମାସ ପାଇଁ ଚାଉଳ, ଗହମ ଓ କିରାସିନି ପ୍ରଦାନ କରାଯିବ। ରାସନ ଦୋକାନୀମାନଙ୍କୁ ଗହଳି ମୁକ୍ତ ରଖି ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ। କରୋନା ଅତି ସଂକ୍ରମଣ ଜନିତ ରୋଗ ହୋଇଥିବା କାରଣରୁ ଇ-ପିଓଏସ୍, ବାଇଓମେଟ୍ରିକ୍ ଓ ଆଇଆରଆଇଏସ୍ ସ୍କାର୍ନିଂ କରାଯିବ ନାହିଁ।

ଦେଶ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ପଞ୍ଜୀକରଣ ସହିତ ନିଜ ଗୃହରେ ସଙ୍ଗରୋଧ (କ୍ବାରେଣ୍ଟିନ) କରି ରହିବେ। ଏହି ସଙ୍ଗରୋଧ ସୀମା ସଫଳତାର ସହିତ ଶେଷ କରିଥିବା ପଞ୍ଜୀକୃତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ହୋଇଛି। ଏହାର ନିୟମିତ ଭାବେ ତଦାରଖ କରାଯିବ। ଏହାବ୍ୟତୀତ ଗ୍ରାମ ପଞ୍ଚାୟତର ସଭ୍ୟମାନେ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କର ପଞ୍ଜୀକରଣ ପାଇଁ ସୂଚନା ଦେବେ।

କରୋନା ଯେହେତୁ ଏକ ସଂକ୍ରାମକ ରୋଗ, ତେଣୁ ବିଶେଷ ସତର୍କତା ଅବଲମ୍ବନ କରାଯିବା ଜରୁରୀ। ଦେଶର ଅନ୍ୟ ରାଜ୍ୟରେ ମଧ୍ୟ କରୋନା ରୋଗ ଦେଖାଦେଇଛି। ତେଣୁ ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରତି ବ୍ୟକ୍ତିଙ୍କୁ ସ୍ବେଚ୍ଛାରେ ୧୪ ଦିନ ପର୍ଯ୍ୟନ୍ତ ନିଜ ଘରେ ଅଲଗା ରଖିବା ଲାଗି କୁହାଯାଇଛି। ତେବେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ ରାଜ୍ୟସ୍ତରରେ କୌଣସି ରେଜିଷ୍ଟ୍ରେସନ ବା ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ।

୬୦ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଯଥାସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦେଇ ସରକାର କହିଛନ୍ତି ଯେ ଯେହେତୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନଵାଡି କେନ୍ଦ୍ର ବନ୍ଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି, ତେଣୁ ୩ରୁ ୬ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ପାଇଁ ଶୁଖିଲା ରାସନ୍ ଅଙ୍ଗନଵାଡି କର୍ମୀ ଓ ସହାୟିକା ଘରେ ନେଇ ଯୋଗାଇ ଦେବେ। ପ୍ରତି ଗ୍ରାମରେ ଏଏନ୍ଏମ୍ ବା ଆଶା କର୍ମୀଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଯଥା ପାରାସିଟାମଲ୍, ଓଆରଏସ୍ ଇତ୍ୟାଦି ଉପଲବ୍ଧ ରହିଛି। ଅତ୍ୟାବଶ୍ୟକ ଓ ଜୀବନ ରକ୍ଷାକାରୀ ସମସ୍ତ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ନିରାମୟ କାଉଣ୍ଟରେ ଉପଲବ୍ଧ ହେବ।

ସେହିଭଳି ପ୍ରତି ଗ୍ରାମପଞ୍ଚାୟତରେ ବିଜୁଳି, ପାଣି, ଶୌଚାଳୟ ଏବଂ ପାଵାର ବ୍ୟାକ୍ ଅପ୍ ସୁବିଧା ଥିବା ଏକ ନିର୍ଦିଷ୍ଟ ଘର ପ୍ରସ୍ତୁତ ହେବ। ଆବଶ୍ୟକ ପଡିଲେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୫ଲକ୍ଷ ଟଙ୍କା ଅର୍ଥରାଶି ମଞ୍ଜୁର କରିଛନ୍ତି।

ଆଜି ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ବରିଷ୍ଠ ଅଧିକାରୀମାନେ ସବୁ ଜିଲ୍ଲାର ଜିଲ୍ଲାପାଳ, ପିଡି, ୩୧୪ ବ୍ଲକର ବିଡିଓଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମୁଖ୍ୟଶାସନ ସଚିବ ଏହି ସମୟରେ କହିଥିଲେ ଯେ ଲୋକଙ୍କ ଭିତରେ ସଚେତନତା ଆସିଲେ, ମୁକାବିଲା କରିବା ସହଜ ହେବ। କରୋନା ସଂପର୍କରେ ରାଜ୍ୟ ସରକାରଙ୍କ ବିଭିନ୍ନ ପରାମର୍ଶ, ନିର୍ଦେଶାବଳୀ ସଂପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର