ଦିନକରେ ସବୁ ରେକର୍ଡ : ଦିନିକିଆ ଆକ୍ରାନ୍ତରେ ଗଞ୍ଜାମକୁ ଟପିଲା ଖୋର୍ଧା

ନମୁନା: ୧୬,୦୫୫ , ଆକ୍ରାନ୍ତ: ୧,୮୩୩, କୋଭିଡ୍‌ ମୃତ୍ୟୁ: ୧୨, ସୁସ୍ଥ: ୧,୮୧୦

ଭୁବନେଶ୍ବର : ରାଜ୍ୟରେ କରୋନା ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ କରିଛି। ଦିନିକିଆ ନମୁନା ପରୀକ୍ଷା, ଆକ୍ରାନ୍ତ, ମୃତ୍ୟୁ ଓ ସୁସ୍ଥ ସଂଖ୍ୟାକୁ ପୂର୍ବାପେକ୍ଷା ପଛରେ ପକାଇ ଦେଇଛି। ଗତ ୨୪ ଘଣ୍ଟାରେ ୧୬୦୫୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବ‌େଳେ ୧୮୩୩ଜଣ ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ଏବଂ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ୧୮୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା‌ ସରକାରୀ ଭାବେ ଘୋଷଣା ହୋଇଛି। ରାଜ୍ୟରେ ସଂକ୍ରମଣ ଆରମ୍ଭ ହେବାଠାରୁ ଗୋଟିଏ ଦିନରେ ଏହି ୪ଟି କ୍ଷେତ୍ରରେ ଏତେ ସଂଖ୍ୟା କେବେ ହୋଇନଥିଲା।

ଆଜିକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୨୫୫୦ ଲୋକ ଆକ୍ରାନ୍ତ ହୋଇଛନ୍ତି। କୋଟ୍ ୨୪୭ଜଣ କରୋନାରେ ପ୍ରାଣ ହରାଇଥିବା ବେ‌ଳେ ୪୫ଜଣଙ୍କର ଅଣ-କୋଭିଡ୍‌ରେ ମୃତ୍ୟୁ ହୋଇଛି। ରାଜ୍ୟର ୧୧ଟି ଜିଲ୍ଲାରେ ଏବେ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଦିନିକିଆ ପଜିଟିଭ୍‌ ଚିହ୍ନଟ ହେବାରେ ପ୍ରଥମଥର ଲାଗି ଗଞ୍ଜାମକୁ ଟପି ଯାଇଛି ଖୋର୍ଧା ଜିଲ୍ଲା। ଗଞ୍ଜାମରେ ସଂକ୍ରମଣ କମୁଥିବା ବେଳେ ଖୋର୍ଧାରେ ଏହା ଦ୍ରୁତ ଗତିରେ ବଢ଼ୁଥିବା ସ୍ପଷ୍ଟ ହୋଇଯାଇଛି।

VectorStock

କରୋନାରେ ପ୍ରାଣ ହରାଇଥିବା ୧୨ଜଣଙ୍କ ମଧ୍ୟରେ ୧୦ଜଣ ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍‌ନି ଓ ସିଓପିଡି ଭଳି ଜଟିଳ ରୋଗରେ ଆକ୍ରାନ୍ତ ଥିଲେ। ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ଜଣ ପ୍ରାଣ ହରାଇଛନ୍ତି। ମୟୂରଭଞ୍ଜର ୫୫ବର୍ଷର ପୁରୁଷ, କେନ୍ଦ୍ରାପଡ଼ାର ୩୬ବର୍ଷର ଯୁବକ, ସମ୍ବଲପୁରର ୭୮ବର୍ଷର ମହିଳା, ଭଦ୍ରକର ୫୫ବର୍ଷର ପୁରୁଷ, ଢେଙ୍କାନାଳର ୬୧ବର୍ଷର ପୁରୁଷ, ସୁନ୍ଦରଗଡ଼ର ୭୭ ଓ ୬୬ବର୍ଷର ପୁରୁଷ, ଗଞ୍ଜାମର ୫୦ ଓ ୬୨ବର୍ଷର ପୁରୁଷ, ଗଜପତି ଜିଲ୍ଲାର ୩୪ବର୍ଷର ଜଟିଳ ରୋଗରେ ପୀଡ଼ିତ ଥାଇ କରୋନାର ଶିକାର ହୋଇଛନ୍ତି। ଗଞ୍ଜାମର ୫୨ବର୍ଷର ପୁରୁଷ ଓ ସୁନ୍ଦରଗଡ଼ର ୭୭ବର୍ଷର ପୁରୁଷଙ୍କ କୌଣସି ଜଟିଳ ରୋଗ ନ ଥିବା ବେଳେ ‌ଦୁହେଁ କେବଳ ଭୂତାଣରୁ ଶିକାର ହୋଇ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧୨୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଧାରେ ୩୧, ସୁନ୍ଦରଗଡ଼ ୧୬, ଗଜପତି ୧୫, କଟକ ୧୧, ରାୟଗଡ଼ା ୧୦ ମୃତ୍ୟୁ ହୋଇଛି। ଏ ପର୍ଯ୍ୟନ୍ତ ରାଜ୍ୟର ୨୪ଟି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ଘଟି ସାରିଲାଣି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରେ ଏହି ସଂଖ୍ୟା ଶହେ ଉପରେ ରହିଛି। ଗଞ୍ଜାମ ୨୭୯, ଖୋର୍ଧା ୨୯୮, ରାୟଗଡ଼ା ୧୫୨, କଟକ ୧୨୪, ସୁନ୍ଦରଗଡ଼ ୧୧୦, କଳାହାଣ୍ଡି ୮୪, ବାଲେଶ୍ବର ୬୯, ପୁରୀ ୬୭, ନୟାଗଡ଼ ୬୧, ଭଦ୍ରକ ୫୦, କୋରାପୁଟ ୪୭, ଢେଙ୍କାନାଳ ୪୩, ସମ୍ବଲପୁର ୩୯, ବଲାଙ୍ଗୀର ୩୭, ମାଲକାନଗିରି ୩୬, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ବୌଦ୍ଧରୁ ୩୪ଜଣ ଲେଖାଏଁ, ସୋନପୁର ୩୩, ଝାରସୁଗୁଡ଼ା ୩୦, କେନ୍ଦୁଝର, କନ୍ଧମାଳ ଓ ଜଗତ୍‌ସିଂହପୁରରୁ ୧୬ଜଣ ଲେଖାଏଁ, ନବରଙ୍ଗପୁର ୧୧, ଅନୁଗୁଳ ୯, ବରଗଡ଼ ୮ ଓ ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୮ଜଣ ସଙ୍ଗରୋଧ ଓ ୭୧୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ହାର ୩୯ ପ୍ରତିଶତ ରହିଛି, ଯାହାକି ବେଶ୍ ଚିନ୍ତାଜନକ।

Northeast Now

ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ଭାବେ ଗଞ୍ଜାମ ୧୨୩୫୯ରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୫୮୨୯, କଟକ ୨୮୫୫, ସୁନ୍ଦରଗଡ଼ ୧୯୯୨, ଗଜପତି ୧୮୬୯, ଯାଜପୁର ୧୫୨୭, ରାୟଗଡ଼ା ୧୩୨୫, ବାଲେଶ୍ବର ୧୨୪୫, ପୁରୀ ୧୧୨୬, କୋରାପୁଟ ୧୦୯୪ ଓ କେନ୍ଦୁଝରରେ ୧୦୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ପଞ୍ଚମ ଦିନ ଲାଗି ଆଜି ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇଛି। ଆଜି ୧୮୧୦ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମର ୭୦୦ ରୋଗୀ ରହିଛନ୍ତି। ଖୋର୍ଧା ୨୦୨, କଟକ ୧୪୭, ଗଜପତି ୧୩୬, ଢେଙ୍କାନାଳ ୧୧୬, ସୁନ୍ଦରଗଡ଼ ୧୦୬, ସମ୍ବଲପୁର ୬୨, ରାୟଗଡ଼ା ୫୫, କେନ୍ଦୁଝର ୩୭, ଅନୁଗୁଳ ୩୪, କଳାହାଣ୍ଡି ୨୪, କୋରାପୁଟ ୨୨, ଯାଜପୁର ୨୦, ବରଗଡ଼ ୧୯, ବାଲେଶ୍ବର ୧୭, ବଲାଙ୍ଗୀର ଓ ମୟୂରଭଞ୍ଜ ୧୫ଜଣ ଲେଖାଏଁ, କେନ୍ଦ୍ରାପଡ଼ା ୧୪, ଭଦ୍ରକ ୧୩, ଦେବଗଡ଼ ଓ ନବରଙ୍ଗପୁର ୧୧ଜଣ ଲେଖାଏଁ, ଜଗତ୍‌ସିଂହପୁର ଓ ଝାରସୁଗୁଡ଼ାରୁ ୮ଜଣ ଲେଖାଏଁ, ପୁରୀ ୬, ବୌଦ୍ଧ ୫, ସୋନୁପୁର ୪ ଓ ମାଲକାନଗିରିରୁ ୩ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୮୬୯୭‌ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର