ପାରାଦୀପରେ ‘କରୋନା’ ଭୟ, ଏସ୍‌ସିବିରେ ଭର୍ତ୍ତିହେଲେ ଜାହାଜର ଇଂଜିନିୟର ଦମ୍ପତି

ଜଗତସିଂହପୁର/ କଟକ: ପାରାଦୀପ ବନ୍ଦର ଅଞ୍ଚଳରେ ‘କରୋନା’ ଆତଙ୍କ ସୃଷ୍ଟି ହୋଇଛି। ଆଜି ବନ୍ଦର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଙ୍କରେଜ୍‌ରେ ଥିବା ଏକ ଜାହାଜର କର୍ମଚାରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ‌ ବେଳେ ଜଣଙ୍କୁ କରୋନା ସନ୍ଦେହରେ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି। ଚୀନ୍‌ରୁ ଆସିଥିବା ‘କେମେଷ୍ଟାର୍‌ ସେଲର୍‌’ ନାମକ ଜାହାଜରେ ଦ୍ବିତୀୟ ଇଂଜିନିଅର ଭାବେ କାର୍ଯ୍ୟରତ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ଯୁବକ ଜଣକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କ ସହ ଥିବା ପତ୍ନୀଙ୍କୁ ମଧ୍ୟ କଟକ ବଡ଼ ମେଡିକାଲ ପଠାଯାଇଥିଲେ ବି ଇଂଜିନିୟରଙ୍କ ପତ୍ନୀଙ୍କୁ କରୋନା ସନ୍ଦେହକୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଖଣ୍ଡନ କରିଛନ୍ତି। ସଂପୃକ୍ତ ଇଂଜିନିୟର୍‌ଙ୍କୁ କେବଳ କରୋନା ସନ୍ଦେହରେ ଏସ୍‌ସିବି ପଠାଯାଇଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ୍‌ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କିନ୍ତୁ ଆଜି ଅପରାହ୍ନରେ ଏସ୍‌ସିବିରେ ଖୋଲା ଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡ଼ରେ ଏହି ଦମ୍ପତିଙ୍କୁ ଭର୍ତ୍ତି କରାଯାଇଛି। ଆସନ୍ତାକାଲି(ବୁଧବାର) ଭୁବନେଶ୍ବର ଆର୍‌ଏମ୍‌ଆର୍‌ସି ମାଧ୍ୟମରେ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ସେମାନଙ୍କ ରକ୍ତ ଓ ଲାଳ ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ୍‌ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ସଂପୃକ୍ତ ଇଂଜିନିୟର୍‌ଙ୍କ ଶରୀରର ତାପମାତ୍ରା ୯୯.୧ ଡିଗ୍ରି ସେଲସିୟସ୍‌ ଥିବା ସହ ଗଳା ମଧ୍ୟ ସଂକ୍ରମିତ ହୋଇ ଭୀଷଣ ଥଣ୍ତାରେ ଆକ୍ରାନ୍ତ ଥିଲେ। ତେବେ ଏହି ଜାହାଜରେ ଥିବା ଅନ୍ୟ ୨୩ ଜଣ ସଦସ୍ୟଙ୍କ ନିକଟରେ ସେମିତି କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ଜ୍ବରରେ ଆକ୍ରାନ୍ତ ଇଂଜିନିୟର୍‌ଙ୍କୁ ଏସ୍‌ସିବିକୁ ପଠାଇବା ନିମନ୍ତେ ବନ୍ଦର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ପ୍ରଥମେ ଏ ନେଇ ଜଗତସିଂହପୁର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ବନ୍ଦର ସ୍ବାସ୍ଥ୍ୟ ବିଭାଗ ଆଲୋଚନା କଲାପରେ ସେମାନଙ୍କୁ ତୁରନ୍ତ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଏସ୍‌ସିବିକୁ ପଠାଯାଇଥିଲା। ଏହି ଆମ୍ବୁଲାନ୍ସରେ ଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅନ୍ୟ ସଦସ୍ୟମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ ଆବଶ୍ୟକ ସରଞ୍ଜାମ ଓ ପ୍ରତିଷେଧକ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ବନ୍ଦର ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ କ୍ୟାପଟେନ୍ ନିମାଇଁ ଚରଣ ପୃଷ୍ଟି, ମୁଖ୍ୟ ଚିକିତ୍ସାଧିକାରୀ ପ୍ରହ୍ଲାଦ ପଣ୍ତା ଓ ଦୀପ୍ତିରଂଜନ ଦାଶ ଏହି ଜାହାଜରେ ପହ‌ଞ୍ଚି କର୍ମଚାରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯା‌ଞ୍ଚ କରିଥିଲେ।

ଅନ୍ୟପକ୍ଷରେ, ଜାହାଜଟିକୁ ୧୫ ମିନିଟ୍ ପାଇଁ ଇଫ୍‌କୋ ବର୍ଥକୁ ଅଣାଯାଇଥିଲା। ସେଠାରେ ଏହି ଦମ୍ପତିଙ୍କୁ ଓହ୍ଲାଇ ଦିଆଯାଇଥିଲା। ପରେ ଜାହାଜଟିକୁ ପୁଣି ଥରେ ଆଙ୍କରେଜ୍‌କୁ ପଠାଇ ଦିଆଯାଇଛି। କେମଷ୍ଟାର ସେଲର ନାମକ ଏହି ଜାହାଜ ଗତ ମାସ ୧୦ ତାରିଖରେ ଚୀନ୍‌ରୁ ବାହାରି ୧୫ରେ ଦକ୍ଷିଣ କୋରିଆ ଓ ୨୫ରେ ସିଙ୍ଗାପୁରରୁ ଆସି ଗତ ୧ ତାରିଖରେ ପାରାଦୀପ ବନ୍ଦରର ଆଙ୍କରେଜ୍‌ରେ ପହଁଚିଥିଲା। ଏହି ଜାହାଜ ଇଫ୍‌କୋ ପାଇଁ ୨୦ ହଜାର ମେଟ୍ରିକ୍ ଟନ୍‌ର ସଲଫ୍ୟୁରିକ୍ ଏସିଡ୍ ଆଣି ଆସିଥିଲା। ବନ୍ଦର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିନକୁ ଦୁଇ ଥର ଉଭୟ ଆଙ୍କରେଜ୍ ଓ ବର୍ଥରେ ଥିବା ଜାହାଜ ସଦସ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ‌ କରାଯାଉଛି।

ସମ୍ବନ୍ଧିତ ଖବର