କରୋନା ସଂକ୍ରମଣ: ବିମାନବନ୍ଦର, ଷ୍ଟେସନ୍‌ରେ ସତର୍କତା

ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବ‌ନେଶ୍ବର : ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରୁ ପ୍ରତିଦିନି ଯାତ୍ରୀ ବିମାନ ଓ ଟ୍ରେନରେ ଓଡ଼ିଶାକୁ ଫେରୁଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ମନ୍ତ୍ରୀ କହିଛନ୍ତି ଯେ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ତଦାରଖ, ଯୋଜନା, ସମନ୍ବୟ ଓ ଏହାକୁ କିଭଳି ଠିକ୍ ଭାବେ ଲାଗୁ କରାଯାଇ ପାରିବ ସେ ସଂପର୍କରେ ପଦକ୍ଷେପ ନିଆଯିବା ଜରୁରୀ। ଫଳରେ ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକାଯାଇ ପାରିବ। ଗତ କିଛିଦିନ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ କୋଭିଡ ସତର୍କତା ନେଇ ଚିଠି ଜାରି ହୋଇଥିଲା। କୋଭିଡ ସଂକ୍ରମଣ ନେଇ ମାଇକ୍ରୋପ୍ଲାନିଂ କରିବା ସହିତ ଯେଉଁ ଅଞ୍ଚଳରେ ସଂକ୍ରମଣ ବ୍ୟାପିବ ସେଠାରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।

ଦିଲ୍ଲୀରେ କୋଭିଡ ସଂକ୍ରମଣ ବୃଦ୍ଧି ହେବା ପଛରେ କୋଭିଡର ନୂଆ ଭାରିଏଣ୍ଟ ‘ଏକ୍ସଇ’ ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ମାତ୍ର ରାଜ୍ୟରେ କରୋନାର ‘ଏକ୍ସଇ’ ଭାରିଏଣ୍ଟ ବର୍ତମାନ ସୁଦ୍ଧା ଚିହ୍ନଟ ହୋଇନାହିଁ। କିଛିଦିନ ତଳେ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍‌ରେ ହୋଇଥିବା ଜିନୋମ ସିକ୍ବେନ୍ସିଂର କେବଳ ଓମିକ୍ରନ୍ ବିଏ.୧ ଓ ବିଏ.୨ ଚିହ୍ନଟ ହୋଇଛି। ୮୦ ନମୁନାର ସିକ୍ବେନ୍ସିଂ ହୋଇଥିବା ବେଳେ ଏଥିରେ ୧୫ଟି ଓମିକ୍ରନ୍ ବିଏ.୧ ଓ ୬୫ଟି ବିଏ.୨ ଭାରିଏଣ୍ଟ ଠାବ କରାଯାଇଛି। ବିଶେଷଜ୍ଞଙ୍କ ମତରେ ‘ଏକ୍ସଇ’ ଭାରିଏଣ୍ଟ ହେଉଛି ଓମିକ୍ରନ୍‌ର ବିଏ.୧ ଓ ବିଏ.୨ର ସମ୍ମିଶ୍ରଣ। ଦିଲ୍ଲୀରେ ଯଦିଓ ଏହି ଭାରିଏଣ୍ଟ ପାଇଁ ସଂକ୍ରମଣ ବ୍ୟାପୁଛି, କିନ୍ତୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି ଓ କୋଭିଡ ମୃତ୍ୟୁ ମଧ୍ୟ ବିଶେଷ ଦେଖିବାକୁ ମିଳୁନାହିଁ। ତେଣୁ ଲୋକମାନେ ଚତୁର୍ଥ ଲହରକୁ ନେଇ ସେତେଟା ଆତଙ୍କିତ ହେବା ଉଚିତ୍ ନୁହେଁ। ମାତ୍ର ଲୋକମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ବିଶେଷଜ୍ଞ ଜୋର ଦେଉଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୦ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କୌଣସି ନୂତନ କୋଭିଡ ମୃତ୍ୟୁ ଘୋଷଣା ହୋଇନାହିଁ। ଏହାସହ ଆଉ ୧୧ଜଣ ସଂକ୍ରମିତ ସୁସ୍ଥ ହେବା ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୧କୁ ଖସି ଆସିଛି। ରାଜ୍ୟର ୧୨ଟି ଜିଲ୍ଲାରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି।

ସମ୍ବନ୍ଧିତ ଖବର