କରୋନା ଭାଇରସ୍‌ ଲିଫଲେଟ୍‌କୁ ନେଇ ତନାଘନା : ଡା. ଅଭିନ ଚନ୍ଦ୍ର ନାଁରେ ଘୂରି ବୁଲୁଛି ଲିଫଲେଟ୍‌, କଲେଜରେ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଯାଞ୍ଚ

ଭୁବନେଶ୍ବର : କରୋନା ଭୂତାଣୁକୁ ନେଇ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହି ଭୂତାଣୁ ପାଇଁ କୌଣସି ଟିକା ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯିବା ସହ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଉଛି। ତେବେ ଏହା ଏକ ଫ୍ଲୁ ହୋଇଥିବାରୁ ରାଜଧାନୀର ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜରେ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଉପଲବ୍ଧ ହେଉଥିବା ନେଇ ଘୂରି ବୁଲୁଥିବା ଲିଫଲେଟ୍‌କୁ ନେଇ ଏବେ ଚରିଆଡ଼େ ଚର୍ଚା। ବିଶେଷକରି ହ୍ବାଟସଆପ୍ ଓ‌ ଫେସବୁକ୍ ଜରିଆରେ ଏହି ଲିଫଲେଟ୍‌ ଗୋଟିଏ ପରେ ଗୋଟିଏ ଗ୍ରୁପ୍‌ରେ ଘୂରି ବୁଲୁଛି।

ତେବେ ଏହି ଘଟଣା ନଜରକୁ ଆସିବା ପରେ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। କରୋନା ଭୂତାଣୁ ପାଇଁ ବିଶ୍ବରେ ଏ ପର୍ଯ୍ୟନ୍ତ ପ୍ରତିଷେଧକ ବ୍ୟବସ୍ଥା ନ ଥିବା ବେଳେ ଡା‌. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଏଥିପାଇଁ ଔଷଧ ମିଳିବାକୁ ହଜମ କରିପାରି ନ ଥିଲା ସ୍ବାସ୍ଥ୍ୟ ବିଭାଗ। କେଉଁ ପରିସ୍ଥିତିରେ ଏଭଳି ଲିଫଲେଟ୍‌ ଛପାଗଲା ଏବଂ କଲେଜରେ ସ୍ବତନ୍ତ୍ର ଭାବେ ଖୋଲିଥିବା ଓପିଡି ବା ବହିର୍ବିଭାଗ କାର୍ଯ୍ୟ କରୁଛି କି ନାହିଁ, ତାହାର ଯାଞ୍ଚ ହୋଇଛି। ତେବେ ନିର୍ଦ୍ଦେଶାଳୟ ପକ୍ଷରୁ ଏହାକୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।

କରେନା ଭୂତାଣୁ ପାଇଁ ଆୟୁଷରେ ପ୍ରତିଷେଧକ ବ୍ୟବସ୍ଥା ରହିଥିବା କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆୟୁଷର ହୋମିଓପ୍ୟାଥିକ ଓ ୟୁନାନିରେ କରୋନା ଭୂତାଣର ପ୍ରତିଷେଧ ହୋଇପାରିବ ବୋଲି କୁହାଯାଇଥିଲା। ଏହାର କିଛି ଦିନ ପରେ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ‌କଲେଜରେ ଏଥିପାଇଁ ଆର୍ସେନିକ ଆଲବମ୍‌-୩୦ ଔଷଧ ଲୋକମାନଙ୍କୁ ଦିଆଯାଇଥିଲା। ଅନ୍ୟ ଭୂତାଣୁଜନିତ ରୋଗ ପାଇଁ ଏହି ଔଷଧ ପ୍ରଦାନ କରାଯାଇଥିବାରୁ କରୋନା ଭୂତାଣୁ କ୍ଷେତ୍ରରେ ମଧ୍ୟ ଏହା ପ୍ରତିଷେଧକ ଭଳି କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ଔଷଧ ଦିଆଯାଉଥିବା ଖବର ପ୍ରଚାରିତ ହେବା ପରେ କଲେଜରେ ଲୋକମାନଙ୍କ ଭିଡ଼ ଜମିଥିଲା । ବିଶେଷକରି ଏକ ଲିଫଲେଟ୍‌ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିଲା। ତେବେ ଏହାକୁ କିଏ ଛାପିଲା, ତାହା ସ୍ପଷ୍ଟ ହୋଇପାରି ନ ଥିଲା।

ଏସବୁ ଘଟଣା ନଜରକୁ ଆସିବା ପରେ ଗତ ୪ ତାରିଖରେ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ କରୋନା ଭୂତାଣୁ ଚିକିତ୍ସା ସଂପର୍କିତ କୌଣସି ମତାମତ ଦେବାକୁ ଆୟୁଷ ଡାକ୍ତରଙ୍କୁ କଟକଣା ଜାରି କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ବିନା ଅନୁମତିରେ କୌଣସି ମତାମତ ନ ଦେବାକୁ କୁହାଯାଇଥିଲା। ରାଜ୍ୟର ସମସ୍ତ ଆୟୁର୍ବେଦିକ, ହୋମିଓପାଥିକ କଲେଜ, ଡିଏଚଏମଓ, ଡିଏଏମଓ ଓ ସମସ୍ତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ଅଧୀକ୍ଷକଙ୍କୁ ଚିଠି ଜାରି ହୋଇଛି। ଏହାସହ ନିର୍ଦେଶାଳୟର ୨ଜଣିଆ ଟିମ୍ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକରେ ଏହାର ଯାଞ୍ଚ କରିଥିଲେ। ମାତ୍ର କଲେଜରେ ଲିଫଲେଟ୍‌ର କୌଣସି ଗନ୍ଧ କଲେଜରେ ମିଳି ନ ଥିବା ବେଳେ ଓପିଡି ମଧ୍ୟ ବନ୍ଦ କରି ଦିଆଯାଇଥିଲା। ତେବେ ଏହି ଲିଫଲେଟ୍ କିଏ ଛାପିଲା, ତାହା ସନ୍ଦେହ ଭିତରେ ରହିଛି। କଲେଜର ଅଧ୍ୟକ୍ଷ ଏହି ଲିଫଲେଟ୍ ସଂପର୍କରେ କିଛି ଜାଣି ନ ଥିବା କହିଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଲେଜର କେହି କର୍ମଚାରୀ ହିଁ ଏହି ଲିଫଲେଟ୍‌କୁ ଛାପିଛନ୍ତି। ତେବେ ତନାଘନା ହେବା ପରେ ଏହାକୁ ନଷ୍ଟ କରି ଦିଆଯାଇଛି।

ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଡା. ଅଜିତ କୁମାର ମହାନ୍ତି କହିଛନ୍ତି, ଆର୍ସେନିକ ଆଲବମ-୩୦ରେ କରୋନା ଭୂତାଣୁ ଭଲ ହେବା ନେଇ ପ୍ରମାଣ ହୋଇନାହିଁ। ଏ ଦୃଷ୍ଟିରୁ ଆୟୁଷ ଡାକ୍ତରଙ୍କୁ ଏହାର ଔଷଧ ସଂପର୍କରେ ମତାମତ ଦେବାକୁ ବାରଣ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏଭଳି ଏକ ଲିଫଲେଟ୍‌ ଘୂରି ବୁଲିଥିବା ନଜରକୁ ଆସିଛି। ତେବେ ଆୟୁଷର ୨ଜଣ ଟିମ୍ ଡା. ଅଭିନ ଚନ୍ଦ୍ରକୁ ଯାଇ ଏହାର ତଦନ୍ତ କରିଥିଲେ ଓ ଏହାର ରିପୋର୍ଟ ପ୍ରଦାନ କରିଥିବା ଡା. ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର