ବ୍ରହ୍ମପୁର : ଚୀନ୍ରେ ଦେଖା ଦେଇଥିବା କରୋନା ଭାଇରସ୍ ପାଇଁ ଏବେ ବିଶ୍ବବ୍ୟାପୀ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଭୟ ଯୋଗୁଁ ଜାପାନରେ ଫସି ରହିଛନ୍ତି ବ୍ରହ୍ମପୁରର ଜଣେ ଯୁବ ଇଂଜିନିୟର ଶିବାଶିଷ ନାୟକ(୨୭)। ପ୍ରାୟ ୧୫ଦିନ ହେଲା ସମୁଦ୍ରରେ ଜାହାଜ ଭିତରେ ଜଳବନ୍ଦୀ ଅବସ୍ଥାରେ ଥିବା ଶିବାଶିଷଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଛଳଛଳ ଆଖିରେ ଆକୁଳ ନିବେଦନ କରିଛନ୍ତି ବାପା ଲିଙ୍ଗରାଜ ନାୟକ। ପୁଅର ଏଭଳି ଅବସ୍ଥା ଯୋଗୁଁ ପୁରୁଣା ବ୍ରହ୍ମପୁର ପନ୍ଦରାସାହି ନିବାସୀ ଲିଙ୍ଗରାଜ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଭାରତ ସରକାର ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ପୁଅକୁ ସେଠାରୁ ଉଦ୍ଧାର କରି ଆଣନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ବ୍ରହ୍ମପୁର ବଡ଼ବଜାର ଥାନା ପନ୍ଦରାସାହି ନିବାସୀ ଲିଙ୍ଗରାଜ ଜଣେ ବ୍ୟବସାୟୀ। ତାଙ୍କ ପୁଅ ଶିବାଶିଷ ଦିଲ୍ଲୀ ଗୁରଗାଓଁ ସ୍ଥିତ ଏକ କମ୍ପାନିରେ ଇଂଜିନିୟର ଭାବେ କାମ କରୁଛନ୍ତି। ଗତ ଜାନୁଆରି ୧୦ ତାରିଖରେ କମ୍ପାନି କାମରେ ୬ଜଣ ଜାପାନ ଯାତ୍ରା କରିଥିଲେ। ସେମାନଙ୍କ ମଧ୍ୟରେ ଶିବାଶିଷ ମଧ୍ୟ ସାମିଲ ଥିଲେ। ଗତ ୪ତାରିଖରେ ସେମାନେ ଭାରତ ଫେରିଥାନ୍ତେ। ଅଫିସ କାମ ସରିବା ପରେ ସେମାନେ ଭିଏତ୍ନାମ୍ ଯାଇଥିଲେ। ସେଠାରୁ ଜାନୁଆରି ୨୫ତାରିଖରେ ଡାଇମଣ୍ଡ୍ ପ୍ରିନ୍ସେସ୍ ନାମକ ଏକ ଜାହାଜରେ ଭାରତ ଅଭିମୁଖେ ବାହାରିଥିଲେ। ଜାହାଜରେ ବିଭିନ୍ନ ଦେଶର ପ୍ରାୟ ୩ହଜାର ୭ଶହ ଜଣ ନାଗରିକ ଅଛନ୍ତି। ସେମାନେ ଫେରୁଥିବା ବେଳେ ଜାହାଜରେ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟରୁ କରୋନା ଭାଇରସ୍ ପଜିଟିଭ୍ ଆସିଥିଲା। ଫଳରେ ସେଠାକାର ସରକାର ଜାହାଜକୁ ସମୁଦ୍ର ମଧ୍ୟରେ ଅଟକାଇ ଦେଇଥିଲେ। ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଭାରତରୁ ଯାଇଥିବା ଶିବାଶିଷ ଓ ଅନ୍ୟମାନଙ୍କର ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ପୁଅ ଶିବାଶିଷ ଓ ତାଙ୍କ କମ୍ପାନିର ଅନ୍ୟ ଇଂଜିନିୟର ସାଥୀଙ୍କ ନମୁନା ନେଗେଟିଭ୍ ଆସିଥିବା ବାପା ଲିଙ୍ଗରାଜ କହିଛନ୍ତି। ତଥାପି ପ୍ରାୟ ୧୫ଦିନ ହେଲା ସେମାନଙ୍କୁ ଜାହାଜରେ ଅଟକ ରଖାଯାଇଛି। ଗୋଟିଏ ଲେଖାଏଁ ରୁମ୍ରେ କିଛି କିଛି ଲୋକଙ୍କୁ ଏକ ପ୍ରକାର ବନ୍ଦୀ ଭାବେ ରଖାଯାଇ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାପା ଲିଙ୍ଗରାଜ କହିଛନ୍ତି। କରୋନା ବ୍ୟାପିବା ଭୟରେ ଜାହାଜରେ ଥିବା ଯାତ୍ରୀଙ୍କୁ ପରସ୍ପର କଥା ହେବାକୁ ମଧ୍ୟ ମନା କରାଯାଇଛି। ତେଣୁ ହ୍ବାଟ୍ସଆପ୍ରେ ପୁଅ ସହିତ ଯାହା କିଛି କଥା ହେଉଛି ବୋଲି ବାପା କହିଛନ୍ତି। ଜାହାଜରେ ଖାଦ୍ୟ ସରି ଯାଇଥିବାରୁ ସମସ୍ତେ ବଡ଼ କଷ୍ଟରେ ରହିଥିବା ଲିଙ୍ଗରାଜ କହିଛନ୍ତି। ଅନ୍ୟ ଦେଶର ନାଗରିକଙ୍କୁ ତାଙ୍କର ସରକାର ଉଦ୍ଧାର କରି ନେଇ ସାରିଛନ୍ତି। ତେଣୁ ଭାରତ ସରକାର ମଧ୍ୟ ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରି ପୁଅକୁ ଫେରାଇ ଆଣିବା ଦିଗରେ ଉଦ୍ୟମ କରୁ ବୋଲି ବାପା ଲିଙ୍ଗରାଜ ଅନୁରୋଧ କରିଛନ୍ତି।