ଭୁବନେଶ୍ବର: ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ । ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କର ସହାୟତା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି । ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ଏବଂ ସମସ୍ତଙ୍କ ସହଯୋଗରେ ଓଡିଶା ଏହାର ଉପଯୁକ୍ତ ମୁକାବିଲା କରିବାରେ ସମର୍ଥ ହେବ ବୋଲି କହିଛନ୍ତି ନବୀନ ।
ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି। ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ମୁଁ ନିଶ୍ଚିତ ଯେ, ସମସ୍ତଙ୍କ ସହଯୋଗରେ ଓଡ଼ିଶା ଏହାର ଉପଯୁକ୍ତ ମୁକାବିଲା କରିବାରେ ସମର୍ଥ ହେବ। #COVID19 pic.twitter.com/FUwGBAqWkO
— Naveen Patnaik (@Naveen_Odisha) March 15, 2020
ଏଥିସହିତ ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ଦ୍ୱାରା କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସବୁଠାରୁ ଫଳପ୍ରଦ ଉପାୟ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧାର୍ମିକ ଉତ୍ସବ, ବିବାହ ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରରେ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ । ଘର ଭିତରେ ରହିବା, ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ୍ କରିବା ଦ୍ୱାରା ଏହି ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୌଣସି ଗୁଜବ ତଥା ଉଡ଼ା ଖବରକୁ ବିଶ୍ୱାସ ନ କରିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।