କରୋନା ଅଣାୟତ୍ତ : ରାଜଧାନୀରେ ଆଜି ଶହେ ଟପିବ!

ରାଜ୍ୟରେ ଆଉ ୩ କ‌ରୋନା ମୃତ୍ୟୁ
ଦିନକରେ ୬୧୮ ଚିହ୍ନଟ, ୬୧୨ ସୁସ୍ଥ
ସୁସ୍ଥଙ୍କ ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ବର : ଆଜି ରାଜଧାନୀରେ ଶହେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସାଲିଆସାହି ଅଞ୍ଚଳରୁ ୨୦, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୫, କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ଓ ଘରୋଇ ହସ୍ପିଟାଲରୁ କିଛି ରୋଗୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଯାହାକି ରାଜଧାନୀରେ ରେକର୍ଡ। ସଂକ୍ରମିତ ତାଲିକାରେ ସଙ୍ଗରୋଧରୁ ବହୁ ସଂଖ୍ୟାରେ ରୋଗୀ ରହିଛନ୍ତି। ଆସନ୍ତାକାଲି (ଗୁରୁବାର) ଏ ସଂପର୍କରେ ବିଏମ୍‌ସି ପକ୍ଷରୁ ଘୋଷଣା କରାଯିବ। ଫଳରେ ରାଜଧାନ‌ୀରେ କରୋନା ସଂଖ୍ୟା ସାଢ଼େ ୯ଶହ ଛୁଇଁବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାଜଧାନୀରେ ଗତ କିଛିଦିନ ହେବ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀରୁ ଗଞ୍ଜାମ ସମେତ ଅନ୍ୟ ହଟସ୍ପଟ୍ ଜିଲ୍ଲାରୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ଭୁବେନଶ୍ବରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରୁ ମଧ୍ୟ ବହୁ ସଂଖ୍ୟାରେ ରୋଗୀ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତକାଲି କେବଳ ରାଜଧାନୀରୁ ୯୦ଜଣ ସଂକ୍ରମିତଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।

ଇତିମଧ୍ୟରେ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୧୫ହଜାର ନିକଟତର ହୋଇଛି। ଗତ ୧୫ ଦିନରେ ୭୩୫୩ କ‌ରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସମୁଦାୟ ରୋଗୀଙ୍କ ମଧ୍ୟରୁ ଗଞ୍ଜାମ, ଖୋର୍ଧା ଓ କଟକରୁ ପ୍ରାୟ ୫୦ ପ୍ରତିଶତ ରୋଗୀ ବାହାରିଛନ୍ତି। ଏଥିରେ ସର୍ବାଧିକ ୩୧ ପ୍ରତିଶତ ଗଞ୍ଜାମ ଜିଲ୍ଳାରୁ ହିଁ ରହିଛନ୍ତି। ପ୍ରତ୍ୟେକ ଦିନ ଗଞ୍ଜାମରୁ ଯେଉଁଭଳି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ଖୁବ୍‌ଶୀଘ୍ର ଜିଲ୍ଲା ୫ ହଜାର ସଂଖ୍ୟା ଅତିକ୍ରମ କରିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷରେ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ହାର ପୁଣିଥରେ ୭୦ ପ୍ରତିଶତରେ ପହଞ୍ଚିଯାଇଛି। ଗତ ୨ଦିନ ହେବ ରାଜ୍ୟରେ ୬ଶହରୁ ଅଧିକ ରୋଗୀ ସୁସ୍ଥ ହେବା ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି। କିଛିଦିନ ପୂର୍ବରୁ ରାଜ୍ୟରେ ସୁସ୍ଥ ହାର ୬୬ ପ୍ରତିଶତକୁ ଖସି ଆସିଥିଲା। ଏବେ ଏଥିରେ ସୁଧାର ଆସିଛି।

କେବଳ ପଜିଟିଭ୍ ନୁହେଁ, କରୋନା ମୃତ୍ୟୁରେ ମଧ୍ୟ ଗଞ୍ଜାମ ରାଜ୍ୟରେ ଆଗରେ ରହିଛି। ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୪୬ଜଣଙ୍କ କ‌ରୋନା ଜନିତ ମୃତ୍ୟୁ ସରକାରୀ ଭାବେ ‌ଘୋଷଣା ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୫ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ୩ କରୋନା ମୃତ୍ୟୁ ଥିବା ବେଳେ ଆଉ ୨ଟି ଅଣ କୋଭିଡ୍‌ ମୃତ୍ୟୁ ରହିଥିବା କୁହାଯାଇଛି। ଗଞ୍ଜାମ ଜିଲ୍ଲାର ୮୬ବର୍ଷର ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ୬୫ବ‌ର୍ଷର ମଧୁମେହରେ ପୀଡ଼ିତ ଥିଲେ। ଏହାବାଦ୍ ଭୁବନେଶ୍ବର ୭୨ବର୍ଷର ପୁରୁଷ କରୋନା ଶିକାର ହୋଇଛନ୍ତି। ରାଜ୍ୟରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ଏହାବାଦ୍ ଗଞ୍ଜାମ ଜିଲ୍ଲାର ୭୨ବର୍ଷର ପୁରୁଷ ମସ୍ତିଷ୍କ ଆଘାତର ଶିକାର ହୋଇଥିବା ବେଳେ ଖୋର୍ଧା ଜିଲ୍ଲାର ୫୨ବର୍ଷର ହୃଦ୍‌ରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ତେବେ ଏହି ୨ ମୃତକଙ୍କ ପ୍ରାଥମିକ କାରଣ କରୋନା ନ ଥିବାରୁ ଦୁହିଁଙ୍କୁ ଅଣ କୋଭିଡ୍‌ ମୃତ୍ୟୁ ଘୋଷଣା କରାଯାଇଛି। ଏହି ସଂଖ୍ୟା ରାଜ୍ୟରେ ୨୪ ଛୁଇଁଛି।

Swarajya

ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ରହିଛି। ୨୮୬ ସଂକ୍ରମିତଙ୍କ ମଧ୍ୟରୁ ୩୪ଜଣ କୋଭିଡ୍‌ ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାରେ ସଂଖ୍ୟା ୪୬୨୧ରେ ପହଞ୍ଚିଛି। ଏହାବାଦ୍ ଖୋର୍ଧା ୧୦୭, ବାଲେଶ୍ବର ୬୧, ଜଗତସିଂହପୁର ୨୬, ମୟୂରଭଞ୍ଜ ୨୧, କଟକ ୧୬, ନୟାଗଡ଼ ଓ ସୁନ୍ଦରଗଡ଼ ୧୫, ଅନୁଗୁଳ ୧୪, ମାଲକାନଗିରି ୧୩, ସମ୍ବଲପୁର ୧୦, କେନ୍ଦ୍ରାପଡ଼ା ୯, ଯାଜପୁର, ପୁରୀ ଓ କେନ୍ଦୁଝରରୁ ୫ଜଣ ଲେଖାଏଁ, ବଲାଙ୍ଗୀର, ଢେଙ୍କାନାଳ ଓ ବୌଦ୍ଧରୁ ୨ଜଣ ଲେଖାଏ, କୋରାପୁଟ, ଝାରସୁଗୁଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛି। ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ସଙ୍ଗରୋଧରୁ ଓ ୨୦୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ରେ ପହଞ୍ଚିଛି।

ଆଜି ୬୧୨ଜଣ କରୋନା ରୋଗୀ ସୁସ୍ଥ ହେବା ଫଳରେ ରାଜ୍ୟରେ ନୂଆ ରେକର୍ଡ ହୋଇଛି। ଯାହାଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୦ହଜାର ଟପିଯାଇଛି। ଆଜି ଗଞ୍ଜାମରୁ ୨୭୦, ସୁନ୍ଦରଗଡ଼ ୮୪, କେନ୍ଦୁଝର ୪୮, ଗଜପତି ୩୫, ବାଲେଶ୍ବର ୩୧, ଖୋର୍ଧା ୨୮, ନୟାଗଡ଼ ୨୫, ୨୦ ଯାଜପୁର, ମୟୂରଭଞ୍ଜ ୧୫, କଟକ, କୋରାପୁଟ ଓ ଜଗତସିଂହପୁର ୧୦ଜଣ ଲେଖାଏ, ବରଗଡ଼ ଓ ପୁରୀରୁ ୬ଜଣ ଲେଖାଏଁ, ବଲାଙ୍ଗୀର ୫, କେନ୍ଦ୍ରାପଡ଼ା ୩, କଳାହାଣ୍ଡି ଓ କନ୍ଧମାଳରୁ ୨ଜଣ ଲେଖାଏଁ, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ବ୍ୟକ୍ତିଙ୍କ ସଂଖା ୧୦୪୭୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର