ରାୟଗଡ଼ାରେ ଅଣାୟତ୍ତ କରୋନା : ବିଡ଼ିଓଙ୍କ ସହ ୯୮ ଆକ୍ରାନ୍ତ, ଜଣେ ମୃତ!

ଉତ୍ପାଦନ ଓ ପରିବହନ ବନ୍ଦ ପାଇଁ ଉତ୍କଳ ଆଲୁମିନାକୁ ନିର୍ଦେଶ

୪୮ ଘଣ୍ଟା ସଟଡାଉନ୍ ରହିବ ରାମନାଗୁଡ଼ା ବ୍ଲକ୍ ଅଫିସ୍
କାଶୀପୁର, ଟିକିରିରୁ ଚିହ୍ନଟ ହୋଇଛନ୍ତି ୫୨ ଆକ୍ରାନ୍ତ

ରାୟଗଡ଼ା : ରାୟଗଡ଼ାରେ ଅଣାୟତ୍ତ ହେଉଛି କରୋନା। କରୋନା ମୁକାବିଲାରେ ନିୟୋଜିତ ଜଣେ ପରେ ଜଣେ ଯୋଦ୍ଧା ଆକ୍ରାନ୍ତ ଯୋଗୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ରାମନାଗୁଡ଼ା ବିଡ଼ିଓଙ୍କ ସମେତ ଜିଲ୍ଲାରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣା କୋଭିଡ଼୍ ହସପିଟାଲରେ କୋଲନରା ବ୍ଲକର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ନେଇ ସରକାରୀ ଭାବେ ଘୋଷଣା ହୋଇନାହିଁ।

କୋଲନରା ବ୍ଲକ୍ ବଡଖିଲାପଦର ପଞ୍ଚାୟତ ପିଣ୍ଡାପଦର ଗାଁର ଜଣେ ଯୁବକ ଗତ କିଛି ଦିନ ହେଲା ଜ୍ବରରେ ପୀଡ଼ିତ ଥିଲେ। ଅବସ୍ଥା ସଂକଟାପନ୍ନ ହେବା ପରେ ଚିକିତ୍ସା ପାଇଁ ପ୍ରଥମେ ବିଜୟନଗରମ୍ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବା ପରେ ବିଶାଖାପାଟଣା କେଜିଏଚକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାବ ପରୀକ୍ଷା ପରେ ଯୁବକ କରୋନା ପଜିଟିଭ୍ ଥିବା ଜଣା ପଡ଼ିଥିଲା। ବିଶାଖାପାଟଣା କୋଭିଡ଼୍ ହସପିଟାଲରେ ଯୁବକ ଚିକିତ୍ସାଧୀନ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଯୁବକଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ସରକାରୀ ଭାବେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି।

କାଶୀପୁର ବ୍ଲକରୁ ଆଜି ସର୍ବାଧିକ ୫୨, ମୁନିଗୁଡାରୁ ୧୪, ରାୟଗଡ଼ା ପୌରାଞ୍ଚଳରୁ ୭, ବ୍ଲକରୁ ୪, ଗୁଣପୁର ବ୍ଲକରୁ ୩, ପୌରାଞ୍ଚଳରୁ ୭, ବିଷମକଟକରୁ ୩, ଚନ୍ଦ୍ରପୁରରୁ ୪, ରାମନାଗୁଡାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଶୀପୁରର ରେଙ୍ଗା ଗାଁରୁ ୫, କାଶୀପୁର ବ୍ଲକ ସଦର ମହକୁମାରୁ ୨, ଓଷାପଡ଼ାରୁ ୪୫ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଛି। ଓଷାପଡ଼ାରେ ଉତ୍କଳ ଆଲୁମିନା କଂପାନି କର୍ମଚାରୀ ରହୁଥିବାରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଅତ୍ୟାବଶ୍ୟକ କାର୍ଯ୍ୟକୁ ଛାଡ଼ିଲେ ପ୍ରକଳ୍ପ ଅଞ୍ଚଳରେ ଉତ୍ପାଦନ, ପରିବହନ ବନ୍ଦ ରଖିବାକୁ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦେଶ ଦେଇଛନ୍ତି। ସେହିପରି ରାମନାଗୁଡ଼ା ବିଡ଼ିଓ କରୋନା ପଜିଟିଭ୍ ଚିହ୍ନଟ ପରେ ବ୍ଲକ୍ ଅଫିସକୁ ୪୮ ଘଣ୍ଟା ସଟଡାଉନ୍ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ୩ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୬୯ ପୁରୁଷ, ୨୯ ମହିଳା ରହିଛନ୍ତି। ୪ ଜଣ ଆନ୍ଧ୍ରପ୍ରଦେଶ, ବିହାର, କେରଳରୁ ଆସିଛନ୍ତି। ୭ ଜଣ ସଙ୍ଗରୋଧ, ୯୧ ଜଣ ହୋମ୍ କ୍ବାରାଣ୍ଟିନରେ ଥିଲେ। ୭୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଆଜି ସୁଦ୍ଧା ପଜିଟିଭ୍ ସଂଖ୍ୟା ୧୬୭୯ ରେ ପହଞ୍ଚିଛି। ସେଥି ମଧ୍ୟରୁ ୧୧୦୧ ସୁସ୍ଥ ହୋଇଥିବା ବେଳେ ୫୬୬ ଚିକିତ୍ସାଧୀନ ଅଛନ୍ତି। ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଜିଲ୍ଲାରେ ୩୦୩ କୋଭିଡ଼୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ବେଳେ ୧୨୧ ସୁସ୍ଥ ୧୮୨ ଚିକିତ୍ସାଧୀନ ଅଛନ୍ତି। ଆଜିଠାରୁ ଜିଲ୍ଲାରେ ଆଣ୍ଟିଜେନ୍ କିଟ୍ ମାଧ୍ୟମରେ ମାସ୍ ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରତି ବ୍ଲକରେ ଦୁଇଟି ଲେଖାଁଏ ଟେଷ୍ଟିଂ କେନ୍ଦ୍ର ଖୋଲା ଯାଇଛି। ଲକ୍ଷଣ ଥିବା ବ୍ୟକ୍ତି ରୋଗକୁ ନ ଲୁଚାଇ ସ୍ବାବ ପରୀକ୍ଷା ପାଇଁ ଆଗେଇ ଆସିବାକୁ ଜିଲ୍ଲାପାଳ ଶ୍ରୀ ବେହେରା ନିବେଦନ କରିଛନ୍ତି। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସର୍ଭେ, ସଚେତନତା ସତ୍ତ୍ବେ କିଛି ଲୋକ ସ୍ବାବ ପରୀକ୍ଷା ପାଇଁ ରାଜି ହେଉନଥିବାରୁ କରୋନାର ମୁକାବିଲା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ ଶ୍ରୀ ବେହେରା।

ସମ୍ବନ୍ଧିତ ଖବର