କେନ୍ଦୁଝରରେ ଗୁଜବ : ୨ଟି ପୁଅ ଥିବା ଦମ୍ପତିଙ୍କଠାରୁ ୫ଟଙ୍କା ନେଇ ଗୋଟିଏ ପୁଅ ଥିବା ଦମ୍ପତି ପୂଜା କଲେ ହେବ ନାହିଁ କରୋନା

କେନ୍ଦୁଝର: ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବ ନାହିଁ, କିଛି ଦିନ ତଳେ ପୁରୀ ବଡ଼ପଣ୍ଡାଙ୍କ ନାଁରେ ଏମିତି ଗୁଜବ ସୃଷ୍ଟି ହୋଇଥିଲା। ଆଉ ସେଇ ଗୁଜବ ପଛରେ ମାତିଥିଲା ସାରା ଓଡ଼ିଶା। ଠିକ୍‌ ସେମିତି ଏକ ଗୁଜବ ପଛରେ ଏବେ ମାତିଛନ୍ତି କେନ୍ଦୁଝରବାସୀ। କରେନା ସଂକ୍ରମଣର ଭୟରେ ଏବେ କେନ୍ଦୁଝରରେ ଲୋକେ ଶନି ମନ୍ଦିରରେ ଭିଡ଼ ଜମାଇଛନ୍ତି।

ପିଲାଛୁଆଙ୍କୁ ଧରି ମହିଳାମାନେ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଜିଲ୍ଲାରେ ପ୍ରଚାର ହେଉଥିବା ଗୁଜବକୁ ନେଇ ଲୋକ ଏଭଳି ପୂଜାର୍ଚ୍ଚନା କରୁଥିବା ଜଣା ପଡ଼ିଛି। ସୂଚନା ମୁତାବକ,  ୨ଟି ପୁଅ ଥିବା ଦମ୍ପତିଙ୍କ ଠାରୁ ୫ଟଙ୍କା ନେଇ ଗୋଟିଏ ପୁଅ ଥିବା ଦମ୍ପତି ଶନି ମନ୍ଦିରରେ ପୂଜା କଲେ କରୋନା ସଂକ୍ରମଣ ହେବ ନାହିଁ  ବୋଲି ଗୁଜବ ଆରମ୍ଭ ହୋଇଥିଲା। ଯାହା ପରେ ଲୋକେ ସେଭଳି କରିବା ଆରମ୍ଭ କରିଦେଇଥିଲେ। ୨ଟି ପୁଅ ଥିବା ୭ଜଣ ମହିଳାଙ୍କଠାରୁ ୫ଟଙ୍କା ଆଣି ସେହି ଟଙ୍କାରେ ଶନି ଦେବତାଙ୍କୁ ପୂଜା କରିଥିଲେ ଗୋଟିଏ ପୁଅ ଥିବା ମହିଳା।

ଶନି ମନ୍ଦିରକୁ ପୂଜା ପାଇଁ ପହଞ୍ଚିଥିବା ଜଗନ୍ନାଥପୁରର ଜଣେ ମହିଳା କହିଛନ୍ତି, କରୋନାଭାଇରସ୍ ସଂକ୍ରମଣରୁ ମୋ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଦୁଇଟି ପୁଅ ଥିବା ୭ଜଣ ମହିଳାଙ୍କଠାରୁ ୫ଟଙ୍କା ସଂଗ୍ରହ କରିବା ପରେ ମୁଁ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ଏଠାକୁ ଆସିଛି।

ଅନ୍ୟପକ୍ଷରେ, ଗତକାଲି ଓଡ଼ିଶା ସରକାର ଏହି ମାରାତ୍ମକ ସଂକ୍ରମଣକୁ ‘ରାଜ୍ୟ ବିପର୍ଯ୍ୟୟ’ ବୋଲି ଘୋଷଣା କରିବା ସହ ସାଧାରଣ ସଭା, ସମ୍ମିଳନୀ ଏବଂ ଅନ୍ୟ କୌଣସି ଜନସମାଗମକୁ ସୀମିତ ରଖିବା ବ୍ୟତୀତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ସିନେମା ହଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୌଣସି ପ୍ରକାରର ମିଥ୍ୟ ଖବରର ପ୍ରଚାର-ପ୍ରସାର ନ କରିବାକୁ ତାଗିଦ୍ କରାଯାଇସାରିଥିଲେ ମଧ୍ୟ ଏଭଳି ଗୁଜବ ଦେଶର ଅନେକ କୋଣରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର