ସାଲେପୁର : ପରୀକ୍ଷା ପାଇଁ ଗଲା ୨୪ ଜଣଙ୍କ ନମୁନା

ସାଲେପୁର : ଯାଜପୁର ଜିଲ୍ଲା ବ୍ରହ୍ମବରଦାର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏବେ ଅକଳରେ ପଡିଛନ୍ତି ସାଲେପୁର ବ୍ଲକ ମୀର୍ଜାପୁର ପଂଚାୟତର ୧୨ ଓ ୧୩ ନମ୍ବର ୱାର୍ଡ ବାସିନ୍ଦା। ସଂପୃକ୍ତ ବ୍ୟକ୍ତି ଗୋଟିଏ ଦିନ ଉକ୍ତ ଅଞ୍ଚଳକୁ ଆସି ତାଙ୍କ ନିଜ ପରିବାରଠାରୁ ଆରମ୍ଭ କରି ପାଖାପାଖି ୫୦ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଜିଲ୍ଲା ପ୍ରଶାସନ ଏଭଳି ତଥ୍ୟ ପାଇବା ପରେ ସାଲେପୁର ବ୍ଲକ୍ ମୀର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ୱର୍ ୱାର୍ଡକୁ ସିଲ୍ କରିଦେଇଛି। ମୀର୍ଜାପୁର୍ ପଞ୍ଚାୟତର ଦାରିଆପୁର୍ ବେହେରା ସାହି ଛକ ଓ ଦାରୋଗାନି ପୋଲ ନିକଟରେ ବ୍ୟାରିକେଡ୍ କରାଯାଇ ଉଭୟ ୱାର୍ଡକୁ ସିଲ୍ କରାଯାଇଛି। ଆଜି ପ୍ରଶାସନ ପକ୍ଷରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୪ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି ବୋଲି ସାଲେପୁର ବିଡ଼ିଓ ଦେବରାଜ ସେଠୀ ସୂଚନା ଦେଇଛନ୍ତି।

ବିଡ଼ିଓ ଶ୍ରୀ ସେଠୀଙ୍କ ସୂଚନା ଅନୁସାରେ, ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉଭୟ ୱାର୍ଡ଼ ସିଲ୍ ରହିବ । ଅପରପକ୍ଷେ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସିଲ୍ ହୋଇଥିବା ଉଭୟ ୱାର୍ଡର ଜନସାଧାରଣଙ୍କୁ ଭୟଭୀତ ନହୋଇ ସରକାରଙ୍କ ନିୟମକୁ ପାଳନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ସିଲ୍ ହୋଇଥିବା ଗ୍ରାମର ଲୋକମାନେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାରେ ହଇରାଣ ହେବେ ନାହିଁ, ସେ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏ କ୍ଷେତ୍ରରେ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ମୀର୍ଜାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ ଦାସ ଓ ପୂର୍ବତନ ସାଲେପୁର ବ୍ଲକ ବିଜେଡ଼ି ସଂଖ୍ୟାଲଘୁ ସେଲ୍ ସଭାପତି ସୟଦ ଅଲିମ୍ ସୂଚନା ଦେଇଛନ୍ତି। କିନ୍ତୁ ଏହି ପଞ୍ଚାୟତରେ ଏଯାଏ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ କରାଯାଇନାହିଁ। ଏପରିକି ସିଲ୍ ଥିବା ଦୁଇଟି ୱାର୍ଡରେ ମଧ୍ୟ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର