‘କରୋନା’ ଆତଙ୍କ ଯୋଗୁଁ ଓଡ଼ିଶାରେ ସ୍କୁଲ ବନ୍ଦ ହେବନି: ମନ୍ତ୍ରୀ

ଭୁବନେଶ୍ବର : ‘କରୋନା’ ପାଇଁ ସାରା ବିଶ୍ବରେ ଆତଙ୍କ । ଆକ୍ରାନ୍ତଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସ୍ଥିତି ଏମିତି ହେଲାଣି ଯେ ସେଠାରେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ତେବେ ଓଡ଼ିଶାରେ ସ୍କୁଲ ବନ୍ଦ ହେବା ନେଇ ଏପର୍ଯ୍ୟନ୍ତ କୌଣସି ବି ଆଲୋଚନା କରାଯାଇ ନଥିବା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେରଳ ପରି ଦେଶର ଆଉ କିଛି ରାଜ୍ୟ ବି ଏଦିଗରେ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ବେଳେ ଓଡ଼ିଶା ସରକାର ବି ତତ୍ପରତା ପ୍ରକାଶ କରିଛନ୍ତି। ସ୍କୁଲସ୍ତରରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ଆଜିଠାରୁ ଭୁବନେଶ୍ବର ସହରର ସମସ୍ତ ସରକାରୀ ବିଦ୍ୟାଳୟରେ ପେପର ସୋପ୍‌ ଓ ମାସ୍କ ବଣ୍ଟନ ଆରମ୍ଭ ହୋଇଛି। ୩ରୁ ୪ ଦିନ ମଧ୍ୟରେ ସହରର ସମସ୍ତ ସରକାରୀ ବିଦ୍ୟାଳୟରେ ଏହି ସୋପ୍‌ ଓ ମାସ୍କ୍‌ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି।

କରୋନା ସଚେତନତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଆଜି ପୂର୍ବାହ୍ନରେ କ୍ୟାପିଟାଲ ହାଇସ୍କୁଲଠାରେ ଛାତ୍ରଛାତ୍ରୀମାନଙ୍କୁ ପେପର ସୋପ୍‌ ଓ ମାସ୍କ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏଥିସହ ଛାତ୍ରୀଛାତ୍ରୀଙ୍କୁ କରୋନା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଦୁଇ ପ୍ୟାକେଟ୍‌ ଲେଖାଏ ପେପର ସୋପ୍‌ ଦିଆଯାଇଛି। ଏହାକୁ ସେମାନେ ନିଜ ପାଖରେ ରଖିବେ। ନିରନ୍ତର ବ୍ୟବଧାନରେ ହାତ ସଫା କରିବେ। ଏହାଦ୍ୱାରା କରୋନା ଜନିତ ସଂକ୍ରମଣକୁ ରୋକାଯାଇ ପାରିବ। ଏହା ବ୍ୟତୀତ ବିଦ୍ୟାଳୟଗୁଡ଼ିକୁ ମାସ୍କ ପ୍ରଦାନ କରାଯାଇଛି। ଆବଶ୍ୟକ ସ୍ଥଳେ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଥଣ୍ଡାଜ୍ୱରରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ମାସ୍କ ପ୍ରଦାନ କରିବେ। ‘ଆଫୋର୍ଡ’ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଏହି ସୋପ୍‌ ଓ ମାସ୍କ ବଣ୍ଟନ କରୁଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ବ୍ଲକ୍‌ ଶିକ୍ଷା ଅଧିକାରୀ ସସ୍ମିତା ମାଳି, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୋନାମିକା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ଦିନରେ ରାଜଧାନୀର ୧୦ଟି ବିଦ୍ୟାଳୟରେ ପେପର୍‌ ସୋପ୍‌ ଓ ମାସ୍କ ବଣ୍ଟନ ହୋଇଛି।

ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ। ଯେତେଦୂର ସମ୍ଭବ ସତର୍କତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି। ଏଦିଗରେ ରାଜ୍ୟ ସରକାର ଏକାଧିକ ପଦ‌‌କ୍ଷେପ ନେବା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା‌ ଦିଗରେ ବିଭାଗ ପ୍ରାଥମିକତା ଦେଉଛି। ବିଦ୍ୟାଳୟରେ ସଭା, ସମିତି ନ କରିବାକୁ ବି ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର