‘କ‌େରାନା’ ଭୂତାଣୁ ପାଇଁ ସ୍ବାସ୍ଥ୍ୟ ବିଭାଗର ତନାଘନା : ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହେଲା ସ୍କ୍ରିନିଂ

ଚୀନ୍ ଯାତ୍ରୀଙ୍କ ତଥ୍ୟ ଦେବାକୁ ତାରକା ହୋଟେଲକୁ ନିର୍ଦେଶ, ଆଜି ସବୁ ଜିଲ୍ଲା ସିଡିଏମ୍‌ଓଙ୍କୁ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଥିବା କରୋନା ଭୂତାଣୁ ଯେପରି ରାଜ୍ୟରେ ନ ବ୍ୟାପିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ହସ୍ପିଟାଲରେ ଆଇସୋଲେସନ୍‌ ୱାର୍ଡ ପ୍ରସ୍ତୁତ କରାଯାଇଥିବା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୯ ଜଣ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଥିବା ସୂଚନା ମିଳିଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କେବଳ ମାଲେସିଆକୁ ସିଧାସଳଖ ବିମାନ ଯାଉଥିବାରୁ ଓଡ଼ିଶାକୁ ମାଲେସିଆ ପଟୁ କରୋନା ଭୂତାଣୁ ଆସିବା ଭୟ ରହିଥିବା ଆଶଙ୍କା କରାଯାଉଛି। ଏହାସହ ଆସନ୍ତାକାଲି ସମସ୍ତ ଜିଲ୍ଲାର ସିଡିଏମ୍‌ଓଙ୍କୁ ନେଇ କରୋନା ଭୂତାଣୁ ସଂପର୍କରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହେବ। ତେବେ ଜନସାଧାରଣ ଏଥିପାଇଁ ଅଯଥାରେ ଆତଙ୍କିତ ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଲେ, ଭୁବନେଶ୍ବରରୁ ମାଲେସିଆ ସିଧାସଳଖ ବିମାନ ଚଳାଚଳ କରୁଛି। ମାଲେସିଆରେ ୩ଟି କରୋନା ଭୂତାଣୁ ପଜିଟିଭ୍ କେସ୍ ନଜରକୁ ଆସିଛି। କେନ୍ଦ୍ର ସରକାର ପୂର୍ବରୁ ଯେଉଁ ବିମାନ ବନ୍ଦରରେ ସ୍କ୍ରିନିଂ କରାଯିବା ପାଇଁ ଘୋଷଣା କରିଥିଲେ ତହିଁରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନ ଥିଲା। ପରବର୍ତୀ ସମୟରେ ଏ ବିମାନ ବନ୍ଦରକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମାଲେସିଆକୁ ସିଧାସଳଖ ବିମାନ ଯାଉଥିବାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ସତର୍କତାମୂଳକ ପଦେକ୍ଷପ ସ୍ବରୂପ ଚୀନ୍‌ରୁ ଓଡ଼ିଶାକୁ ଗତ ଏକ ମାସ ମଧ୍ୟରେ ଆସିଥିବା ଯାତ୍ରୀମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ ଓ ହୋଟେଲରେ ରହୁଥିବା ବ୍ୟକ୍ତିବିଶେଷଙ୍କୁ ଆତ୍ମଘୋଷଣା ବା ସେଲ୍‌ଫ ଡିକ୍ଲାରେସନ୍‌ ଦେବା ପାଇଁ ତାରକା ହୋଟେଲ ସଂଘକୁ ନିର୍ଦେଶ ଦିଆଯାଇଛି। ବିଶେଷକରି ଭୁବନେଶ୍ବର, ଝାରସୁଗୁଡ଼ା ଓ ପାରାଦୀପକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଭଳି ଯାତ୍ରୀଙ୍କ ତଥ୍ୟ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ଝାରସୁଗୁଡ଼ାରେ ଥିବା ପାୱାର ପ୍ଲାଣ୍ଟ୍‌ରେ ଚୀନ୍‌ର ଅନେକ ନାଗରିକ କାର୍ଯ୍ୟ କରୁଛନ୍ତି। ତେଣୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭୂତାଣୁ ସଂପର୍କରେସତର୍କ ରହିବା ପାଇଁ ସୂଚନା ଜାରି ହୋଇଛି। ଏଥିପାଇଁ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଆବଶ୍ୟକସ୍ଥଳେ ଜନସାଧାରଣ କଣ୍ଟ୍ରୋଲ ରୁମ୍‌ ସହିତ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ଧଳ କହିଛନ୍ତି।ସେ ଆହୁରି ଧ୍ୟ କହିଥିଲେ ଯେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ, ବୁର୍ଲାର ଭିମ୍‌ସ‌ାର୍‌ ମେଡ଼ିକାଲ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଭୂତାଣୁ ରୋଗୀମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ ଖୋଲାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାସହ ପାରାଦୀପ ବନ୍ଦର କର୍ତୃପକ୍ଷଙ୍କୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି, କରୋନା ଭୂତାଣୁ ଶତାବ୍ଦୀ ଧରି ସାଧାରଣ ଥଣ୍ଡା ରୋଗର କାରଣ ରହିଆସିଛି। ମାତ୍ର ୨୦୦୨ ମସିହା ପରଠାରୁ ଏଥରକୁ ମିଶାଇ ୩ଥର ଏହି ସଂକ୍ରମଣ ଉଗ୍ର ରୂପ ନେଇଛି। ଏବେ ନୂତନ ଭାବେ ଚିହ୍ନଟ ହୋଇଥିବା ନଭେଲ କରୋନା ଭୂତାଣୁ ଅନ୍ୟ କରୋନା ଭୂତାଣୁ ଭଳି ପ୍ରଥମେ ସର୍ଦ୍ଦି, କାଶ, ଥଣ୍ଡା ଦେହ ହାତ ଘୋଳାବିନ୍ଧାରୁ ଆରମ୍ଭ ହୋଇ ପରବର୍ତୀ ସମୟରେ ନିମୋନିଆ ଭଳି ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି। ନୂତନ ଭୂତାଣୁ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ଓ ପ୍ରତିଷେଧକ ବାହାରି ନାହିଁ। ମାତ୍ର ସଂକ୍ରମଣର ଲକ୍ଷଣକୁ ଦେଖି ଚିକିତ୍ସା କରାଯାଇ ପାରିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଯେଉଁମାନଙ୍କଠାରେ କରୋନା ଭୂତାଣୁ ନ ଥିଲା, କିନ୍ତୁ ସନ୍ଦେହ ରହିଛି ସେମାନଙ୍କୁ ୧୪ଦିନ ପାଇଁ ନଜରରେ ରଖାଯିବ। ଏହାସହ ଯଦି କୌଣସି ବ୍ୟକ୍ତିଙ୍କଠାରୁ କରୋନା ଲକ୍ଷଣ ଦେଖାଯିବ ସେମାନଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯିବ। ରାଜ୍ୟରେ କରୋନା ଭୂତାଣୁ ପଜିଟିଭ ଆସିବା ଆଶଙ୍କା ଯଥେଷ୍ଟ କମ୍। ପୂର୍ବରୁ ବିଭାଗର ଏକ ଗ୍ରୁପ୍‌ ଦିଲ୍ଲୀରେ ତାଲିମ୍ ନେଇଛନ୍ତି। ସେମାନେ କୋର ଗ୍ରୁପ୍‌ ଭାବେ କାର୍ଯ୍ୟ କରିବେ। ସମସ୍ତ ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ସଚେତନ କରାଯିବା ପରେ ସେମାନେ ଅନ୍ୟମାନଙ୍କୁ ସଚେତନ କରିବେ। ତେବେ ରାଜ୍ୟରେ କରୋନା ଭୂତାଣୁ ପରୀକ୍ଷା ପାଇଁ ଟେଷ୍ଟିଂ କିଟ୍‌ ନାହିଁ। ଆସନ୍ତା ୧ରୁ୨ସପ୍ତାହ ମଧ୍ୟରେ ଆର୍‌ଏମ୍‌ଆର୍‌ସିରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଜନସାଧାରଣ ସାବୁନରେ ହାତ ଧୋଇବା ସହିତ କାଶ ଓ ଛିଙ୍କ ସମୟରେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇବା ଆବଶ୍ୟକ। ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବା ଉଚିତ୍। ବନ୍ୟ କିମ୍ବା ଫାର୍ମ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ପ୍ରଫେସର ମହାନ୍ତି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ଅଜିତ ମହାନ୍ତି, ସ୍ବତନ୍ତ୍ର ସଚିବ(ପିଏଚ୍‌) ଡା.ହର ପଟ୍ଟନାୟକ, ଡା.ସରୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର