କରୋନା ମୁକାବିଲା ଚିନ୍ତା : ତାରାତାରିଣୀ ଯାତ୍ରା‌ରେ ଶ୍ରଦ୍ଧାଳୁ ସମାଗମ କମାଇବାକୁ ଅଣ୍ଟାଭିଡ଼ା

ମନ୍ଦିର ତଳେ ଓ ଉପରେ ରହିବ ହାତଧୁଆ କେନ୍ଦ୍ର, ଆଜି ପୁଣି ଜରୁରୀ ବୈଠକ

ଗଞ୍ଜାମ : କରୋନାକୁ ସରକାର ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ପରେ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ଜିଲ୍ଲାବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ସଚେତନତାକୁ ବ୍ୟାପକ କରାଯାଇଛି। ଏପରିକି ପ୍ରସିଦ୍ଧ ମା’ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାରେ ଭକ୍ତଙ୍କ ସମାଗମକୁ କମ୍ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏମର୍ମରେ ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଧାୟକ, ମା’ଙ୍କ ମନ୍ଦିରର ସମସ୍ତ ସେବାୟତ, ରାଇପୁର ସରପ‌ଞ୍ଚ, ପୁରୁଷୋମପୁର ବିଡିଓ, ତହସିଲଦାର ଏବଂ ଗଞ୍ଜାମ ଏସ୍‌.ପି.ଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଡକାଯାଇଛି।

ମା’ ତାରାତାରିଣୀଙ୍କ ପାରମ୍ପରିକ ଚୈତ୍ର ଯାତ୍ରାକୁ ବନ୍ଦ କରାଯିବନି। ଯାତ୍ରା ପାଇଁ ସାଜସଜ୍ଜା ରହିବ। ତେବେ ଦ୍ବିତୀୟ ଓ ତୃତୀୟ ପାଳିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ଭକ୍ତଙ୍କ ସଂଖ୍ୟା କିଭଳି କମ୍ କରାଯାଇପାରିବ ଏଥିପାଇଁ ଲୋକପ୍ରତିନିଧି, ପୁଲିସ, ପ୍ରାଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଜରିଆରେ ସଚେତନ କରାଯିବ। ମନ୍ଦିରର ତଳ ଓ ଉପରି ଭାଗରେ ଦୁଇଟି ଲେଖାଁଏ ହାତ ଧୋଇବା ନିମନ୍ତେ କେନ୍ଦ୍ରର ବ୍ୟବସ୍ଥା କରାଯିବ। ୧୦ ବର୍ଷ ବୟସରୁ କମ୍ ଶିଶୁ, ବୃଦ୍ଧବୃଦ୍ଧା ଓ ରୋଗୀଙ୍କୁ ଯାତ୍ରାସ୍ଥଳକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ନରହି ପରିବାରର ଜଣେ ସଦସ୍ୟ ରହିବା ଠିକ୍ ହେବ। ସେହିପରି ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଯାତ୍ରାକୁ ଆସିବା ଲାଗି ସଂପୂର୍ଣ୍ଣ ଭାବେ ବାରଣ କରାଯିବ। ଏହା ଉପରେ ସ୍ଥାନୀୟ ପୁଲିସଅଧିକାରୀ ଏବଂ ପଞ୍ଚାୟତପ୍ରତିନିଧି ମାନେ ତୀକ୍ଷ୍‌ଣ ନଜର ରଖିବେ। ସେହିପରି ଜିଲ୍ଲାରେ କୌଣସି ଉତ୍ସବ ଓ ପର୍ବକୁ ଜାକଜକମରେ ପାଳନ ନକରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ପ୍ରସିଦ୍ଧ ଦଣ୍ତନାଚ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଅନ୍ୟପକ୍ଷରେ ବିଭିନ୍ନ ମନ୍ଦିର ସମ୍ମୁଖରେ ସଚେତନତା ବାର୍ତ୍ତା ଲେଖାଯାଇଥିବା ପୋଷ୍ଟର୍ ମରାଯିବ। ଆଳତି ବେଳେ ଭିଡ଼ ନଜମାଇବା ଓ ପରସ୍ପରଠୁ ଏକ ମିଟର କିମ୍ବା ଦେଢ଼ମିଟର ଦୂରରେ ଛିଡ଼ା ହେବାକୁ ସଚେତନ କରାଯିବ। କରୋନା ମୁକାବିଲା ପାଇଁ ସମସ୍ତଙ୍କ ସାମୂହିକ ସହଯୋଗ ନିତାନ୍ତ ଆବଶ୍ୟକ। ଜିଲ୍ଲାର ସମସ୍ତ ଡାକ୍ତରଖାନା ପ୍ରସ୍ତୁତ ରହିବା ଏବଂ ଜିଲ୍ଲା ପାଇଁ ମଞ୍ଜୁରି ହୋଇଥିବା ନୂତନ ଡାକ୍ତର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ। ଡାକ୍ତରଖାନାର ପରିପାର୍ଶ୍ବକୁ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ବୈଠକରେ ଅନ୍ୟାମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡୁଡ଼ା ପିଡି ସୁଦାମ ଚରଣ ମଣ୍ତଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶରତ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍.ଜଗଦୀଶ୍ ପଟ୍ଟନାୟକ ଓ ଗଞ୍ଜାମ ଏମ୍‌ଭିଆଇ ଏସ୍‌.କେ.ପରିଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର