ଭୁବନେଶ୍ବରରେ କରୋନା ପରୀକ୍ଷା

ଆୟର୍ଲାଣ୍ଡ ନାଗରିକଙ୍କ ସମେତ ୨ ଜଣଙ୍କ ରିପୋର୍ଟ ନେଗେଟିଭ୍‌
ଭୁବନେଶ୍ବର ଏମ୍‌ସ ସଂପୂର୍ଣ୍ଣ ପ୍ରସ୍ତୁତ: ନିର୍ଦ୍ଦେଶିକା
ସବୁ ଆନ୍ତର୍ଜାତିକ ବିମାନଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ
ସମସ୍ତଙ୍କ ପାଇଁ ମାସ୍କ୍‌ର ଆବଶ୍ୟକତା ନାହିଁ

ଭୁବନେଶ୍ବର : ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ସାଜିଥିବା କରୋନା ଭାଇରସ୍ (କୋଭିଡ୍-୧୯)ର ପରୀକ୍ଷା ଏଣିକି ଭୁବନେଶ୍ବର ଆରଏମ୍ଆରସିରେ କରାଯିବ। ଗତକାଲିଠାରୁ ଆରଏମ୍ଆରସିରେ ଏହି ପରୀକ୍ଷା ଆରମ୍ଭ ହୋଇଛି। ହୋଟେଲରୁ ଧରାପଡ଼ିଥିବା ଆୟର୍ଲାଣ୍ଡ ନାଗରିକଙ୍କ ସମେତ ଦୁଇଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। କେବଳ ପୁଣେସ୍ଥିତ ଏନ୍‌ବିଆଇର ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୂର୍ବରୁ କରୋନା ସଂଦିଗ୍ଧଙ୍କ ଲାଳ ଓ ସ୍ବାବ୍‌ର ନମୁନା ପରୀକ୍ଷା ଲାଗି ପୁଣେ ଓ କୋଲକାତା ପଠାଇବାକୁ ପଡ଼ୁଥିଲା। ଏବେ ରାଜ୍ୟରେ ହିଁ ଏହି ପରୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ କଟକ ବଡ଼ ମେଡିକାଲରେ ମଧ୍ୟ ପରୀକ୍ଷା କରାଯିବା ପାଇଁ ବ୍ୟବସ୍ଥା କରାଯିବ। ଆଜି ଅପରାହ୍‌ଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି।

ଶ୍ରୀ ଧଳ ଆହୁରି କହିଛନ୍ତି ଯେ ସମସ୍ତ ମେଡିକାଲ କଲେଜ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ସ୍କ୍ରିନିଂ ସହ ସ୍ବତନ୍ତ୍ର ଵାର୍ଡ ଖୋଲାଯାଇଛି। ଏହାସହ ୯ ମାସ ପର୍ଯ୍ୟନ୍ତ ନିରାମୟ ଯୋଜନାରେ ସମସ୍ତ ମେଡିସିନ୍ ବିପୁଳ ପରିମାଣରେ ମହଜୁଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଆସୁଥିବା ସବୁ ବିମାନ ଯାତ୍ରୀଙ୍କର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ, ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ କ୍ବାରେଣ୍ଟାଇନ୍‌ ପାଇଁ ଜାଗା ଚିହ୍ନଟ କରାଯାଇଛି। ଆଜି ପୂର୍ବାହ୍ନରେ ବଡ଼ ବଡ଼ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଛି। ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର ଵାର୍ଡ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି କରୋନା ସନ୍ଦିଗ୍ଧ ସମ୍ପୃକ୍ତ ହସ୍ପିଟାଲକୁ ଆସନ୍ତି, ସେମାନଙ୍କର ଚିକିତ୍ସା କରିବା ପାଇଁ ଅନୁରୋଧ କରାଯାଇଛି। ଥଣ୍ଡା, କାଶ, ଛିଙ୍କରେ ଆକ୍ରାନ୍ତ ହୋଇ ଯେଉଁ ସନ୍ଦିଗ୍ଧମାନେ ଆସୁଛନ୍ତି, ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ସେମାନଙ୍କ ସହ ଡାକ୍ତର ନିୟମିତ ଯୋଗାଯୋଗରେ ରହୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୩୧ଜଣ ସନ୍ଦିଗ୍ଧଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି। ସାମାଜିକ ମିଳାମିଶା ନ କରିବାକୁ ପରାମର୍ଶ ଦିଆଯାଉଛି। ସେହିପରି ମାସ୍କ ପାଇଁ ବ୍ୟସ୍ତ ନ ହେବାକୁ କୁହାଯିବା ସହ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଧଳ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ଭୁବନେଶ୍ବର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବି. କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଏମ୍‌ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସମସ୍ତ ଅତ୍ୟାଧୁନିକ ଉପକରଣ, ଯନ୍ତ୍ରପାତି ସହ ସ୍ବତନ୍ତ୍ର ଵାର୍ଡ ଖୋଲାଯାଇଛି। ରାଜ୍ୟ ସରକାର ଯେତେବେଳେ ଚାହିବେ, ଏମ୍‌ସର ସହଯୋଗ ନେଇ ପାରିବେ। ଅନ୍ୟପକ୍ଷରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ସବୁ କାଶ, ଛିଙ୍କ ଓ ଜ୍ବର କରୋନା ଭାଇରସ୍ ନୁହେଁ। ସାଧାରଣ ଫ୍ଲୁ’ ହୋଇପାରେ। ଯାହା ୪ରୁ ୫ ଦିନ ଭିତରେ ଭଲ ହୋଇଯାଇଥାଏ। ତେଣୁ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଯେଉଁମାନେ ସନ୍ଦିଗ୍ଧ, ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ହାସଲ କରାଯାଉଛି। ଯେପରି ବିଦେଶ ଗସ୍ତ କିମ୍ବା ବିଦେଶୀ ପର୍ଯ୍ୟଟକଙ୍କ ସହ ସଂସ୍ପର୍ଶରେ ଆସିବା ଭଳି ତଥ୍ୟ ହାସଲ କରାଯିବା ପରେ ନମୁନା ପରୀକ୍ଷା କରାଯାଉଛି। ଆରଏମ୍ଆରସିରେ ଦିନକୁ ପ୍ରାୟ ୧୫ରୁ ୨୦ଟେଷ୍ଟ ହୋଇପାରିବାର ସୁବିଧା ଉପଲବ୍ଧ ରହିଛି ବୋଲି ଏହାର ନୋଡାଲ୍ ଅଫିସର୍‌ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍(୦୬୭୪-୨୩୯୦୪୬୬) ଖୋଲାଯାଇଛି। ଏହା ସହ ଡାକ୍ତରଙ୍କ ସହ ସିଧାସଳଖ (ମୋ- ୯୪୩୯୯୯୪୮୫୭, ୯୪୩୯୯୯୪୮୫୯)ରେ ଯୋଗାଯୋଗ କରିପାରିବେ। ଶିକ୍ଷାନୁଷ୍ଠାନ, କର୍ମସ୍ଥଳୀ ପାଇଁ ସ୍ବତନ୍ତ୍ର ଆଡଭାଇଜରି ଜାରି କରାଯାଇଛି। ପୂର୍ବରୁ ଏସସିବି ମେଡିକାଲରୁ ୬ଟି, ବୁର୍ଲା ଭିମସାରରୁ ୨ଟି, କ୍ୟାପିଟାଲ ହସ୍ପିଟାଲରୁ ୨ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ଏହା ନେଗେଟିଭ୍ ଆସିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର