ବିନା ଲକ୍ଷଣରୁ ଭେଣ୍ଟିଲେଟର୍‌ର ଦୂରତା ମାତ୍ର ୨୪ ଘଣ୍ଟା

କରୋନାର ଲକ୍ଷଣ ଥିଲେ ନ ଲୁଚାଇ ପରୀକ୍ଷା କରାଇ ନିଅନ୍ତୁ

ଭୁବନେଶ୍ବର : ଯଦି ଆପଣଙ୍କ ନିକଟରେ କରୋନା ବା କୋଭିଡ୍‌-୧୯ ର ସାମନ୍ୟତମ ଲକ୍ଷଣ ବି ଦେଖା ଦେଉଛି, ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଏପରିକି ଏହାକୁ ଲୁଚାଇବାର ଅପଚେଷ୍ଟା କରି ନିଜ ଜୀବନକୁ ବିପଦମୁହଁକୁ ଠେଲି ଦିଅନ୍ତୁ ନାହିଁ ବୋଲି ଆଜି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ଅପରାହ୍‌ଣରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ରାଜ୍ୟ ସରକାରଙ୍କ ପାଇଁ ପ୍ରତ୍ୟେକ ରାଜ୍ୟବାସୀଙ୍କ ଜୀବନ ହେଉଛି ମୂଲ୍ୟବାନ। ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କରୋନା ଲକ୍ଷଣର ପରୀକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଜୁନ୍ ୧୬ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଚଳିତମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଆଶା ଦିଦି ଓ ଏଏନ୍‌ଏମ୍‌ମାନେ ଘରକୁ ଘର ବୁଲି ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର କରୋନା ନମୁନା ପରୀକ୍ଷଣର ବ୍ୟବସ୍ଥା କରାଇବେ। ଯଦି ଆପଣଙ୍କ ନିକଟରେ କରୋନାର ସାମନ୍ୟତମ ଲକ୍ଷଣ ବି ଅଛି ତେବେ ବିନା ଭୟରେ ସେମାନଙ୍କୁ ଜଣାଇବା ଦରକାର।

କୋଭିଡ୍‌-୧୯କୁ ନେଇ ଯେଉଁ ସଦ୍ୟତମ ତଥ୍ୟ ସାମନାକୁ ଆସିଛି, ସେଥିରେ ବିନା ଲକ୍ଷଣରୁ ହଠାତ ଲକ୍ଷଣ ଦେଖାଦେବା ସହ ଲୋକଙ୍କୁ ଭେଣ୍ଟିଲେଟର୍‌ର ଆବଶ୍ୟକତା ପଡ଼ୁଛି। ତେଣୁ ବିନା ଲକ୍ଷଣରୁ ଭେଣ୍ଟିଲେଟର୍‌ର ଦୂରତା ମାତ୍ର ୨୪ଘଣ୍ଟା। ଭାରତରେ ଜୁନ୍ ୨୪ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୭୨ହଜାର ୯୮୫ ଥିବା ବେଳେ ଏବେ ଏହା ବୃଦ୍ଧି ପାଇଁ ୬.୨୮ଲକ୍ଷରେ ପହଞ୍ଚିଛି। ଭାରତ ଏବେ ବିଶ୍ୱର ତୃତୀୟ ସର୍ବାଧିକ ସଂକ୍ରମିତ ପାଲଟିଛି। ଆମେରିକାରେ ଗତକାଲି ୨୪ଘଣ୍ଟା ମଧ୍ୟରେ ୫୨ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ଭାରତରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୧ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣର ସ୍ଥିତି ବିପର୍ଯ୍ୟସ୍ତ ହୋଇନାହିଁ। କିନ୍ତୁ କରୋନାକୁ ନେଇ ଉଭୟ ଭୟ ଓ ସାବଧାନତା ମଧ୍ୟରେ ଚଳିବାକୁ ପଡ଼ିବ। ଭୟ କମାଇବାକୁ ପଡ଼ିବ ଓ ସାବଧାନତାର ପରିମାଣ ବଢ଼ାଇବାକୁ ପଡ଼ିବ। ନହେଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। କ୍ଷଣିକ ଟାଇମ୍ ପାସ୍ ଚକ୍କରରେ ଲାଇଫକୁ ଫେଲ୍ କରନ୍ତୁ ନାହିଁ ଓ କରୋନା ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଲୁଚିଯିବେ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର