ରାୟଗଡ଼ା : ପୁଣି ପରୀକ୍ଷା ପାଇଁ ୨୧ ସ୍ୱାବ ଗଲା ଭୁବନେଶ୍ୱର

୩ଟି ପର୍ଯ୍ୟାୟରେ ଗଲାଣି ୩୮ ନମୁନା, ଗୃହାବଦ୍ଧରୁ ମୁକୁଳିଲେଣି ୫୧୮

ରାୟଗଡ଼ା : ଗତକାଲି ୭ଟି ସ୍ୱାବର ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ୨୧ଟି ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ୩ଟି ପର୍ଯ୍ୟାୟରେ ଇତି ମଧ୍ୟରେ ୩୮ଟି ସ୍ୱାବ ପରୀକ୍ଷା ପାଇଁ ଯାଇଛି। ସେଥି ମଧ୍ୟରୁ ୭ଟି ରିପୋର୍ଟ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ଯାଇଥିବା ୧୦ଟି ସ୍ୱାବର ରିପୋର୍ଟ ହସ୍ତଗତ ହୋଇନି। ଦିନେ, ଦୁଇ ଦିନ ମଧ୍ୟରେ ରିପୋର୍ଟ ହସ୍ତଗତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତବନ୍ଧୁ ନାୟକ।

ଗୃହାବଦ୍ଧରେ ଥିବା ୯୩୯ ଗ୍ରାମର ୨୯୮୯ ଜଣଙ୍କ ମଧ୍ୟରୁ ୫୧୮ ଜଣ ୧୪ ଦିନ ନୀରିକ୍ଷଣରେ ରହିବା ପରେ ଘରକୁ ଫେରିଛନ୍ତି। ଘରକୁ ଫେରିଥିବା ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ କିଛି ବି ଲକ୍ଷଣ ନଥିବା ସ୍ପଷ୍ଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ବର୍ତ୍ତମାନ ଆହୁରି ୨୪୮୭ ବ୍ୟକ୍ତି ୯୩୯ ଗ୍ରାମରେ ଗୃହାବଦ୍ଧରେ ଥିବାରୁ ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଯାଉଥିବା ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ରିପୋର୍ଟକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେବ। ୩୪ଟି ରାପିଡ୍ ରେସପନସ୍ ଟିମ୍ ୨୪ ଘଣ୍ଟା ସମସ୍ତ ଗୃହାବଦ୍ଧଙ୍କ ଉପରେ ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୮ ତାରିଖରେ ୭ଟି ସ୍ୱାବ, ଦ୍ବିତୀୟ ପର୍ଯ୍ୟାୟ ୩୦ ତାରିଖରେ ୧୦ଟି ଏବଂ ଆଜି ସର୍ବାଧିକ ୨୧ଟି ସ୍ୱାବ ପରୀକ୍ଷା ପାଇଁ ଯାଇଛି। ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସମେତ ଜିଲ୍ଲା ସୀମାନ୍ତକୁ ସିଲ୍ କରି ପୁଲିସ୍ ଜଗିଛି। କିନ୍ତୁ ଗଳା ବାଟ ଓ ରେଳପଥ ଦେଇ ପ୍ରତିଦିନ ଦାଦନ ଶ୍ରମିକ ଜିଲ୍ଲାକୁ ପଶି ଆସୁଥିବାରୁ ପୁଲିସ୍, ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛି। ଧୀରେ ଧୀରେ ଗୃହାବଦ୍ଧଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଦୈନିକ ବାହାର ଜିଲ୍ଲା ଓ ରାଜ୍ୟର ଶ୍ରମିକ ପଶି ଆସୁଥିବାରୁ ସମସ୍ତଙ୍କୁ ଗୃହାବଦ୍ଧରେ ରଖାଯାଉଛି। ସେପଟେ ଗ୍ରାମବାସୀ ଗାଁରେ ବାହାର ଲୋକ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ଏପରିକି ଗାଁର ଯେଉଁ ବ୍ୟକ୍ତି କୌଣସି କାମରେ ବାହାରକୁ ଗଲେ, ଫେରିବା ପରେ ହାତ ଧୋଇ ଗାଁକୁ ପ୍ରବେଶ କରିବା ଉପରେ ଜୋର୍ ଦିଆଯାଇଛି।

ସମ୍ବନ୍ଧିତ ଖବର