ବୁଧବାରଠୁ ଭୁବନେଶ୍ବର ଏମ୍‌ସରେ ହୋଇପାରେ କରୋନା ପରୀକ୍ଷା

ଏମ୍‌କେସିଜିରେ ଆଉ ଜଣେ ସନ୍ଦିଗ୍ଧ, ସଙ୍ଗରୋଧ କକ୍ଷରେ ଏବେ ୪ ଜଣ

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପରୀକ୍ଷା କେନ୍ଦ୍ର ଭାବେ ଭୁବନେଶ୍ବର ଏମ୍‌ସରେ କରୋନା(କୋଭିଡ-୧୯) ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମ୍‌ସ କର୍ତ୍ତୃପକ୍ଷ ଆଜି ଏହାର ପରୀକ୍ଷାନିରୀକ୍ଷା କରିଛନ୍ତି। ଯଦି ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ଦିଆଯିବ, ତା’ ହେଲେ ଆସନ୍ତା ବୁଧବାରଠାରୁ ଏମ୍‌ସ ଭୁବନେଶ୍ବରରେ ଏହି ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବି.। ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଏମ୍‌ସକୁ ନିୟମିତ ଓପିଡି ବା ବର୍ହିବିଭାଗକୁ ନିୟମିତ ଚିକିତ୍ସା ପାଇଁ ନ ଆସିବା ଲାଗି ଏମ୍‌ସ କର୍ତୃପକ୍ଷ ରୋଗୀଙ୍କୁ ଅନୁରୋଧ କରିଛନ୍ତି। ଏବେ ଏମ୍‌ସରେ କେବଳ ଜରୁରୀକାଳୀନ ଶଲ୍ୟ ଚିକିତ୍ସା ବା ଏମର୍ଜେନ୍ସି ଚିକିତ୍ସା କରାଯାଉଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏବେ ରାଜ୍ୟରେ କେବଳ ଆରଏମ୍‌ଆରସିରେ କରୋନା ପରୀକ୍ଷା କରାଯାଉଛି। ଯଦି ଏମ୍‌ସ ଭୁବନେଶ୍ବରକୁ କରୋନା ପରୀକ୍ଷା ପାଇଁ ଅନୁମତି ମିଳେ, ତା’ ହେଲେ ଆରଏମ୍‌ଆରସି ଉପରେ ହେଉଥିବା ଚାପ କିଛି ମାତ୍ରରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଏମ୍‌କେସିଜିରେ ଆଉ ଜଣେ ସନ୍ଦିଗ୍ଧ, ସଙ୍ଗରୋଧ କକ୍ଷରେ ଏବେ ୪ ଜଣ
ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନା କାଜୁଆଲ୍‌ଟିରେ ଖୋଲା ଯାଇଥିବା ସଙ୍ଗରୋଧ କକ୍ଷରେ ଆଜି ପୁଣି ଜଣେ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ଯୁବକ ଜଣକ ହୁମ୍ମା ଅଞ୍ଚଳର ବୋଲି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି।

ଯୁବକ ଜଣକ ଗତ ପ୍ରାୟ ୧ମାସ ତଳେ ଓମାନ୍‌ରୁ ଫେରିଥିଲେ। କିଛିଦିନ ତଳେ ଜ୍ବର, କାଶ ହେବାରୁ ତାଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାଉନ୍‌ସେଲିଂ ପରେ ତାଙ୍କୁ କରୋନା ସନ୍ଦିଗ୍ଧଙ୍କ ପାଇଁ ଖୋଲା ଯାଇଥିବା ସଙ୍ଗରୋଧ କକ୍ଷରେ ଭର୍ତ୍ତି କରାଯାଇଛି। ପରୀକ୍ଷା ନିମନ୍ତେ ସ୍ବାବ ସଂଗ୍ରହ କରି ଭୁବନେଶ୍ବର ପଠାଯିବ। ସେପଟେ ପୂର୍ବରୁ ଭର୍ତ୍ତି ହୋଇଥିବା ୩ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ଆସି ନାହିଁ। ଆସନ୍ତାକାଲି ତାଙ୍କର ରିପୋର୍ଟ ଆସିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

୩ଜଣଙ୍କ ମଧ୍ୟରୁ ଜଣେ ମେକ୍ସିକୋରୁ ଫେରିଥିବା ବେଳେ ଜଣେ ସାଉଦିଆରବ ଏବଂ ଅନ୍ୟ ଜଣେ ଯୁବକ କେରଳରୁ ଆସିଥିଲେ।

ସମ୍ବନ୍ଧିତ ଖବର