ସେପ୍ଟେମ୍ବର ପରେ ଆସିପାରେ କରୋନା ଟିକା

ଭୂତାଣୁର ଭୟାବହତା ଜଣାଇଲେ ରେଡ୍ଡି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ପ୍ରଶାସନ ସାମିଲ

ଭୁବନେଶ୍ବର : କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡାକ୍ତର କେ ଶ୍ରୀନାଥ ରେଡ୍ଡି ଏହାର ଭୟାବହତା ଏବଂ ଏହାର କିଭଳି ମୁକାବିଲା କରାଯାଇପାରିବ ସେସଂପର୍କରେ ରାଜ୍ୟ ସରକାରଙ୍କୁ ମନ୍ତ୍ର ଦେଇଛନ୍ତି। ଆଜି ଭିଡ଼ିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲା ପ୍ରଶାସନ ଯୋଡି ହୋଇ ଡାକ୍ତର ରେଡ୍ଡିଙ୍କୁ ଶୁଣିଥିଲେ।

ଡାକ୍ତର ରେଡ୍ଡି ସତର୍କ କରାଇ ଦେଇଛନ୍ତି ଯେ କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ। ତା ସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତଃନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ। କେତେକ କ୍ଷେତ୍ରରେ ଏହା ଥମ୍ବୋସିସ୍ ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ। ବୟସ ନିର୍ବିଶେଷରେ ଏହି କରୋନା ଭାଇରସ, ସମସ୍ତଙ୍କୁ ସଂକ୍ରମିତ କରିଥାଏ। ଯେହେତୁ ଯୁବ ଗୋଷ୍ଠୀ ବାହାରେ ଅଧିକ ସମୟ ରହନ୍ତି, ତାଙ୍କ ଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ହେଁ ବୟସ୍କ ତଥା ରୋଗୀମାନେ ଗୁରୁତର ଭାବେ ପୀଡ଼ିତ ହେବା ଓ ମୃତ୍ୟୁ ମୁଖରେ ପଡିବାର ଆଶଙ୍କା ରହିଛି। ଯେହେତୁ କରୋନା ଭାଇରସ ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟିକା ବା ଔଷଧ ଉଦ୍ଭାବନ ହୋଇନାହିଁ, ଏଣୁ ସାମାଜିକ ଦୂରତ୍ବ ଗୁରୁତ୍ବପୂର୍ଣ୍ଣ। ଏ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ। ବୟସ୍କମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଦରକାର।

ବନ୍ୟଜନ୍ତୁ ବିଶେଷକରି ବାଦୁଡିଠାରୁ ମଣିଷ ସଂକ୍ରମିତ ହୋଇଥିବା ଏହି ଭାଇରସ୍ ନାକ, ଆଖି ଓ ପାଟି ଦ୍ବାରା ମଣିଷ ଶରୀରରେ ପ୍ରବେଶ କରିଥାଏ। ମଣିଷ ଶରୀରରୁ କାଶ ଓ ଛିଙ୍କ ସମୟରେ ବାହାରୁ ଥିବା କଣିକା ଦ୍ବାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ କୋଭିଡ୍ ଯୁଦ୍ଧରେ ଆମେ ବିଜୟ ହୋଇପାରିବା ବୋଲି ଡାକ୍ତର ରେଡ୍ଡି ପରାମର୍ଶ ଦେଇଥିଲେ।

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷକରି ଓଡ଼ିଶା ସଫଳତାର ଡାକ୍ତର ରେଡ୍ଡି ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶାର ପଦକ୍ଷେପ ଅନୁକରଣୀୟ। ବିଟ୍ରେନ୍, ଆମେରିକା, ସ୍ବିଡେନ୍ ଭଳି ଆଗୁଆ ଦେଶମାନେ ଲକଡାଉନ୍ ନ କରିବା ଫଳରେ ସେ ଦେଶକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଛି। କିନ୍ତୁ ଭିଏତନାମ ଭଳି ଦେଶ ଏକାନ୍ତବାସ, ଅଧିକ ଟେଷ୍ଟିଂ ଦ୍ବାରା ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିିଛନ୍ତି। ଉଚ୍ଚ ତାପମାତ୍ରା ସହିତ ଆର୍ଦ୍ରତାର ପ୍ରଭାବରେ ଏହି ଭାଇରସ୍ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଛି। ଭାରତୀୟମାନେ ବିସିଜି, ପୋଲିଓ ଟିକା ସହିତ ମାଲେରିଆ ଭଳି ଔଷଧ ବ୍ୟବହାର କରୁଥିବାରୁ କୋଭିଡ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ଡାକ୍ତର ରେଡ୍ଡି ଆଶ୍ବାସନା ଦେଇଛନ୍ତି।

ତେବେ ଏସବୁ ଉପରେ ବିଶେଷ ଗୁରୁତ୍ବ ନ ଦେଇ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଡାକ୍ତର ରେଡ୍ଡି ପରାମର୍ଶ ଦେଇଥିଲେ। ଭାରତ ସହିତ ବିଭିନ୍ନ ଦେଶରେ କରୋନା ଭାଇରସ ପାଇଁ ପ୍ରତିଷେଧକ ଟିକା ଉପରେ ଗବେଷଣା ଚାଲିଥିବା ବେଳେ ସେପ୍ଟେମ୍ବର/ଅକ୍ଟୋବର ସୁଦ୍ଧା ଏହା ବାହାରିପାରେ ବୋଲି ସେ ଏକ ବଡ଼ ଆଶା ଦେଖାଇଥିଲେ। ଏଥିସହିତ ଲକ୍ଷଣ ଭିତ୍ତିକ ରୋଗ ଅନୁସନ୍ଧାନ ଉପରେ ସେ ଗୁରୁତ୍ବ ଦେଇଥିଲେ। ଅନ୍ୟପକ୍ଷରେ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଅପେକ୍ଷା ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ।

ଡାକ୍ତର ରେଡ୍ଡି କହିଥିଲେ ଯେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପରି ପୁଲିସ କର୍ମଚାରୀ ମଧ୍ୟ ଅଧିକ ବିପଦସଙ୍କୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର। ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ୍ ଓ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡାକ୍ତର ରେଡ୍ଡିଙ୍କୁ ସ୍ବାଗତ କରି ଆଲୋଚନା ଆରମ୍ଭ କରିଥିଲେ। ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଡାକ୍ତର ରେଡ୍ଡି ଆଶା ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା ଓ ଦିବ୍ୟଶଙ୍କର ମିଶ୍ର କୋଭିଡ଼ ପରିଚାଳାର ବିଭିନ୍ନ ଦିଗ ଉପରେ ଡାକ୍ତର ରେଡ୍ଡି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର