ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର : ବାହାରୁ ଆସିଥିବା ୨,୮୫୬ ଜଣ ଗାଏବ

ଯାହାକୁ ସରକାର ଡରୁଥିଲେ, ସେୟା ଘଟିଲା

ସଙ୍ଗରୋଧ ପାଇଁ ଖୋଜୁଛନ୍ତି, ମିଳୁନାହାନ୍ତି
ତୁରନ୍ତ ଜିଲ୍ଲାପାଳମାନେ ଖୋଜିବାକୁ ନିର୍ଦେଶ
ସ୍ବାସ୍ଥ୍ୟ ସଚିବ ଚିଠି ଲେଖି ନିଖୋଜ ଥିବା ଜଣାଇଲେ

ଭୁବନେଶ୍ବର : କରୋନା ସଂକ୍ରମିତ ତୃତୀୟ ବ୍ୟକ୍ତିଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆହୁରି ଏକ ଆତଙ୍କ ସୃଷ୍ଟି କରିବା ଭଳି ଏକ ଖବର ସାମ୍ନାକୁ ଆସିଲାଣି। ଜଣେ ନୁହେଁ କି ଦୁଇଜଣ ନୁହେଁ, ଗତ ୧୪ ଦିନ ଭିତରେ ବାହାରୁ ଆସୁଥିବା ୨ ହଜାର ୮୫୬ଜଣ ବ୍ୟକ୍ତିଙ୍କ ସଂପର୍କରେ କେହି କିଛି ଟେର୍ ପାଉନାହାନ୍ତି। ଏମାନେ ଓଡ଼ିଶାକୁ ଆସିଛନ୍ତି କିନ୍ତୁ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି। ନା ପ୍ରଶାସନକୁ ଜଣାଇଛନ୍ତି ନା ସରକାରଙ୍କ ୧୦୪ନମ୍ବରକୁ। ଏହି ଲୋକମାନଙ୍କ ସଂପର୍କରେ ଖବର ଜାଣିବା ପରେ ରାଜ୍ୟ ସରକାରଙ୍କ ମୁଣ୍ଡ ଗୋଳମାଳ ହୋଇଯାଇଛି। ଓଡ଼ିଶା ଆସି ଏହି ଲୋକମାନେ କେଉଁଠି ଅଛନ୍ତି, କ୍ବାରାଣ୍ଟିନରେ ଅଛନ୍ତି ନା ସାଧାରଣ ଲୋକଙ୍କ ସହିତ ଖୋଲାଖୋଲି ମିଶାମିଶି କରୁଛନ୍ତି। ସେ ସଂପର୍କରେ ସରକାର କିଛି ବି ଠଉରାଇ ପାରୁନାହାନ୍ତି। ଯଦି ସାଧାରଣ ଲୋକଙ୍କ ସହିତ ମିଶୁଥାନ୍ତି, ତେବେ ସ୍ଥିତି ଅଣାୟତ୍ତ ହୋଇଯାଇପାରେ ବୋଲି ଆଶଙ୍କା କରି ଆଜି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ସବୁ ଜିଲ୍ଲାପାଳମାନଙ୍କର ସହଯୋଗ ଲୋଡିଛନ୍ତି। ଜଣାଇଛନ୍ତି ଯେ ଏମାନଙ୍କ ସଂପର୍କରେ ସର୍ଭିଲାନ୍ସ ଟିମ୍ କିଛି ବି ଖବର ପାଉନି। ଏସବୁ ବ୍ୟକ୍ତିଙ୍କୁ ଯେ କୌଣସି ମତେ ଖୋଜି ସଙ୍ଗରୋଧ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଶ୍ରୀ ଧଳ ଆଜି ଚିଠି ଲେଖିଛନ୍ତି।

‘କରୋନା’ ସଂକ୍ରମଣ ଷ୍ଟେଜ୍‌-୨ରୁ ଷ୍ଟେଜ୍‌-୩କୁ ନ ଯିବା ପାଇଁ ରାଜ୍ୟ ସରକାର ଏବେ ଦିନରାତି ଏକ କରିଦେଇଛନ୍ତି। ହେଲେ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଲାଣି, ସେ ଘଟଣାର ଗମ୍ଭୀରତାକୁ ବହୁଗୁଣିତ କରିଦେଇଛି। ଏବେ ଷ୍ଟେଜ୍‌-୩ କେତେବେଳେ ଯେ ପହଞ୍ଚିଯିବ, ସେ ଡର ସରକାରଙ୍କର ହଜାଇ ଦେଲାଣି। କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ବିଦେଶ କିମ୍ବା ରାଜ୍ୟ ବାହାରୁ ଯେତେଜଣ ଯିଏ କେହି ଆସିଲେ ବି ତାକୁ ସଙ୍ଗରୋଧରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଏପରିକି ସମ୍ପୃକ୍ତ ବ୍ୟକ୍ତି ପାଖରେ ସାଧାରଣ ଫ୍ଲୁ ରୋଗ ଦେଖାଯାଉ କି ନ ଦେଖାଯାଉ ତାକୁ ସଙ୍ଗରୋଧ ରଖାଯିବ। ସରକାରଙ୍କ ଏହି ନିର୍ଦ୍ଦେଶକୁ ଏବେ ଫୁ’ କରିଦେଇଛନ୍ତି ଏସବୁ ବ୍ୟକ୍ତି।

ଚିଠିରେ ଶ୍ରୀ ଧଳ ଉଦ୍‌ବେଗ ପ୍ରକାଶ କରି ଦର୍ଶାଇଛନ୍ତି, କୋଭିଡ୍‌-୧୯ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ଭୂତାଣୁକୁ ପ୍ରତିହତ କରିବା ପାଇଁ ଭାରତରେ ୩ଟି ସତର୍କତା ଅବିଳମ୍ବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମଟି ହେଲା କରୋନା ପ୍ରଭାବିତ ହୋଇଥିବା ଦେଶ କିମ୍ବା ରାଜ୍ୟରୁ ଯିଏ କେହି ବ୍ୟକ୍ତି ଆସିଲେ ସେମାନଙ୍କୁ ତତ୍‌କ୍ଷଣାତ୍‌ ସଙ୍ଗରୋଧ କରି ରଖାଯିବ। ସେମାନଙ୍କଠାରେ କୌଣସି ପ୍ରକାର ଥଣ୍ଡା, ଜ୍ବର ଲକ୍ଷଣ ଦେଖାନଗଲେ ବି ଏକାନ୍ତବାସରେ ରଖିବା ନିୟମ ରହିଛି। ଦ୍ବିତୀୟରେ କରୋନା ସଂକ୍ରମିତ ବ୍ୟକ୍ତିକୁ ସଙ୍ଗରୋଧ କରି ଚିକିତ୍ସା କରାଯିବା ସହ ରୋଗୀର ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ। ତୃତୀୟରେ କରୋନା ରୋଗୀ ସଂସ୍ପର୍ଶରେ ଆସିଥିବା ସେସବୁ ବ୍ୟକ୍ତିମାନଙ୍କ ପାଖରେ କରୋନା ଲକ୍ଷଣ ଦେଖାନଗଲେ ବି ସଙ୍ଗରୋଧ କରି ରଖିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କିନ୍ତୁ ଦୁର୍ଭାଗ୍ୟର କଥା ଜିଲ୍ଲା ସର୍ଭେଲାନ୍‌ସ୍‌ ଟିମ୍‌ର ରିପୋର୍ଟ ଅନୁଯାୟୀ ପ୍ରାୟ ୨୮୫୬ ଲୋକଙ୍କ ପତ୍ତା ନ ମିଳିବା ଗଭୀର ଉଦବେଗର ବିଷୟ।

ମିଳୁଥିବା ସୂଚନା ଅନୁସାରେ, ଏମାନଙ୍କ ମଧ୍ୟରେ ଭୁବନେଶ୍ବରର ପ୍ରାୟ ୪୦୦ ଲୋକଙ୍କର ନାମ ରହିଛି। ସେହିପରି ଖୋର୍ଧାର ଅନ୍ୟାନ୍ୟ ଅଞ୍ଚଳର ୪୫୦ ପାଖାପାଖି ଲୋକ ଥିବା କୁହାଯାଉଛି। ଗଞ୍ଜାମର ୬୫୦ ଜଣ ଓ କଟକର ୩୫୦ ଜଣ ବୋଲି ସୂଚନା ମିଳୁଛି। ଏତେ ଲୋକଙ୍କୁ ଏବେ ଜିଲ୍ଲା ପ୍ରଶାସନ କିଭଳି ଓ କାହା ସାହାଯ୍ୟରେ ଖୋଜିବ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଅନ୍ୟଥା ଏସବୁ ବ୍ୟକ୍ତିମାନେ ରାଜ୍ୟପାଇଁ ବଡ଼ ବିପତ୍ତି ଆଣିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର