ବରଗଡ଼କୁ ପ୍ରାକୃତିକ ବିପର୍ଯ୍ୟୟ କାଳ, ବର୍ଷକରେ ଉଜୁଡ଼ୁଛି ୬୦ହଜାର ହେକ୍ଟର ଫସଲ

ବରଗଡ଼ : ବରଗଡ଼ ଜିଲ୍ଲାର ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ କାଳ ସାଜୁଛି। ଜିଲ୍ଲା କ୍ରମାଗତ ୪ବର୍ଷ ହେଲା ସାଂଘାତିକ ମରୁଡ଼ିର ସମ୍ମୁଖୀନ ହେଉଛି। ଜଳସେଚିତ ଇଲାକାରେ ଯାହା ଫସଲ ବଂଚୁଛି, ସେସବୁ ରୋଗପୋକ ଏବଂ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି। ବାରମ୍ବାର ମରୁଡ଼ି ହେବା ଯୋଗୁଁ ଚାଷୀ ନିଜ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପନିପରିବା ଚାଷକୁ ପ୍ରାଥମିକତା ଦେଉଛନ୍ତି। ସରକାରୀ ସ୍ତରରେ ମଧ୍ୟ ଏଥିପାଇଁ ପ୍ରୋତ୍ସାହନ ଦିଆଯାଉଛି। ହେଲେ ପନିପରିବା ବଜାରକୁ ଆସିବା ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି। ଗତ ଗୋଟିଏ ବର୍ଷର ପରିସଂଖ୍ୟାନ ଦେଖିଲେ ଜିଲ୍ଲାରେ କେବଳ ପ୍ରାକୃତିକ ବିପର୍ଯ୍ୟୟରେ ୬୦ହଜାର ହେକ୍ଟର ଜମିର ଫସଲ ନଷ୍ଟ ହେଉଛି। ଜିଲ୍ଲାରେ ଚକଡ଼ା ଚାଷୀଙ୍କୁ ବାରମ୍ବାର ସର୍ବସ୍ବାନ୍ତ କରି ଆସୁଛି। ହେଲେ ଆଶ୍ଚର୍ଯ୍ୟର କଥା ଚକଡ଼ା ଠାରୁ କରକା ମାଡ଼ ଚାଷୀଙ୍କ ବେଶି କ୍ଷତି କରୁଛି। ଗତବର୍ଷ ଏପ୍ରିଲ ଏବଂ ମେ’ ମାସରେ ଜିଲ୍ଲାରେ କ୍ରମାଗତ କରକାପାତ ହୋଇଥିଲା। ଏଥିରେ ୩୦ହଜାର ହେକ୍ଟର ଜମିରେ ଚାଷବାସ ଉଜୁଡ଼ି ଯାଇଥିଲା। ଖରାଦିନେ ମେଘୁଆ ପାଗ ରହିଲେ ଚାରିପଟେ ଚକଡ଼ା ବଂଶ ବିସ୍ତାର କରୁଛନ୍ତି। ଫଳରେ ଚାଷୀ ଗୋଟିଏ ବିପର୍ଯ୍ୟୟରୁ ଉଧୁରିବା ପୂର୍ବରୁ ଆଉ ଗୋଟିଏ ବିପତ୍ତି ମାଡ଼ି ଆସୁଛି। ଗତବର୍ଷ ଏପ୍ରିଲ ୩୦ ତାରିଖ ଜିଲ୍ଲାରେ ସାଂଘାତିକ କରକାମାଡ଼ ହୋଇଥିଲା। ଯେଉଁଥିରେ ଭେଡ଼େନ ବ୍ଲକର ୧୯ଟି ପଞ୍ଚାୟତର ୮୭ଟି ଗାଁର ୭୬୯୦ ହେକ୍ଟର, ବରପାଲି ବ୍ଲକର ୧୮ଟି ପଞ୍ଚାୟତର ୪୫ଟି ଗାଁରେ ୬୪୧୦ ହେକ୍ଟର ଏବଂ ବରଗଡ଼ ବ୍ଲକରେ ୯ଟି ପଞ୍ଚାୟତର ୧୨ଟି ଗାଁରେ ୩୯୦ ହେକ୍ଟର ଜମିରେ ଧାନ ନଷ୍ଟ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ଚାଷୀଙ୍କୁ ବୀମା ରାଶି ମିଳିନାହିଁ। ସଦ୍ୟ କରକାମାଡ଼ରେ ମୋଟ୍ ୨୫ଟି ପଞ୍ଚାୟତରେ ୫୦୮୪ ହେକ୍ଟର ଜମିରେ ଫସଲ କରକାମାଡ଼ ଯୋଗୁଁ କ୍ଷତି ହୋଇଛି। ବରଗଡ଼ ବ୍ଲକରେ ୧୫୩୭ ହେକ୍ଟର, ଭଟଲି ବ୍ଲକରେ ୧୪୯ ହେକ୍ଟର, ବିଜେପୁର ବ୍ଲକରେ ୩୪୧ ହେକ୍ଟର ଏବଂ ଭେଡ଼େନ ବ୍ଲକରେ ୩୦୫୭ ହେକ୍ଟରେ ଚାଷବାସ ଉଜୁଡ଼ି ଯାଇଛି। ପ୍ରାଥମିକ ଆକଳନ ଠାରୁ କ୍ଷୟକ୍ଷତି ଆହୁରି ବେଶି ହେବ ବୋଲି କୁହାଯାଉଛି। ଆଗକୁ ପୁଣି ବୀମା କମ୍ପାନି ଆକଳନ କରିବା ପରେ ହିଁ ଚାଷୀଙ୍କୁ କ୍ଷତିପୂରଣ ମିଳିବ। କିନ୍ତୁ ୨୦୧୭ ଖରିଫ ଫସଲ ବୀମାର ଟଙ୍କାରୁ ଜିଲ୍ଲାର ବିଭିନ୍ନ ସ୍ଥାନର ଚାଷୀ ବଂଚିତ ଅଛନ୍ତି। ତେଣୁ ବୀମା ବ୍ୟବସ୍ଥା ଉପ‌ରୁ ଚାଷୀଙ୍କ ଆସ୍ଥା ତୁଟିବାରେ ଲାଗିଛି। କରକାମାଡ଼କୁ ପ୍ରାକୃତିକ ବିପର୍ଯ୍ୟୟ ମାନ୍ୟତା ମିଳୁନଥିବାରୁ ଚାଷୀଙ୍କୁ ସିଧାସଳଖ କ୍ଷତିପୂରଣ ମିଳୁନାହିଁ। ଯଦ୍ବାରା ଚାଷୀ ଋଣଗ୍ରସ୍ତ ହେଉଛନ୍ତି।

ସମ୍ବନ୍ଧିତ ଖବର