ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ଓଡ଼ିଶା ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କୁ ସ୍ବୀକୃତି ପ୍ରଦାନ ଅଭିଯାନ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-୨୦୨୫: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ଅଷ୍ଟମ ସଂସ୍କରଣ ଲୋଗୋ ସମ୍ବାଦ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଉନ୍ମୋଚିତ ହୋଇଯାଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଓ ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ଲୋଗୋ ଉନ୍ମୋଚନ କରିଥିବା ବେଳେ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବହୁ ଶିଳ୍ପାନୁଷ୍ଠାନଗୁଡ଼ିକ ଓଡ଼ିଶାରେ ନିବେଶ କରିଛନ୍ତି। ଓଡ଼ିଶାର ଉଦ୍ୟୋଗୀମାନେ ଭାରତରେ ଓ ସାରା ବିଶ୍ବରେ ସୁନାମ ଅର୍ଜନ କରିବେ ବୋଲି ଆମେ ଆଶା କରୁଛୁ। ରାଜ୍ୟର ଉଦ୍ୟୋଗୀମାନଙ୍କ ଭିତରେ ସ୍ବାସ୍ଥ୍ୟକର ପ୍ରତିଯୋଗିତା ଓ ସେମାନଙ୍କୁ ସମ୍ମାନିତ କରିବା ଲାଗି ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ର କଳ୍ପନା କରାଯାଇଥିଲା ବୋଲି ସେ କହିଛନ୍ତି। ସେହିପରି, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ରାଜ୍ୟର ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କୁ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ରେ ଯୋଡ଼ିହେବା ଓ ଆବେଦନ କରିବା ଲାଗି ଆହ୍ବାନ ଦେଇଛନ୍ତି।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍), ବୃହତ୍ (ଲାର୍ଜ), ମଧ୍ୟମ (ମିଡିୟମ୍), କ୍ଷୁଦ୍ର (ସ୍ମଲ୍) ଓ ଇମର୍ଜିଂ/ଷ୍ଟାର୍ଟଅପ୍ ଭଳି ପାଞ୍ଚଟି ବର୍ଗ ଲାଗି ଆବେଦନ ଆହ୍ବାନ କରାଯାଇଛି। ଆଗ୍ରହୀ ସଂସ୍ଥାଗୁଡ଼ିକ ନିଜର ବର୍ଗ ଚୟନ କରି www.sambadawards.comରେ ଉପଲବ୍ଧ ଡିଜିଟାଲ୍ ଫର୍ମ ଜରିଆରେ ଆବେଦନ କରିପାରିବେ। ଚଳିତ ସଂସ୍କରଣରେ ଉଦ୍ୟୋଗଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ବର୍ଗ ସହିତ ସିଏସ୍ଆର୍ ପୁରସ୍କାର ଲାଗି ମିଳିତ ଭାବେ ଆବେଦନ କରିବା ସୁବିଧା ପ୍ରଦାନ କରାଯାଇଛି। ଉଦାହରଣ ସ୍ବରୂପ ଏକ କମ୍ପାନି ଯଦି କ୍ଷୁଦ୍ର ବର୍ଗରେ ଆବେଦନ କରୁଛନ୍ତି, ତେବେ ଉଭୟ କ୍ଷୁଦ୍ର ଓ ସିଏସ୍ଆର୍ ପୁରସ୍କାର ପାଇବା ଲାଗି ଆବେଦନ କରିପାରିବେ। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍ଭର୍ ଭଳି ତିନିଟି ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ୨୦୨୩ ଜାନୁଆରି ୧୩। ଏକ ନିରପେକ୍ଷ ଓ ବାହ୍ୟ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକର ମୂଲ୍ୟାଙ୍କନ କରି ବିଜେତା ଚୟନ କରିବେ। ୨୦୨୫ ଜାନୁଆରି ୨୯ରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ଆବେଦନକୁ ନେଇ କୌଣସି ପ୍ରକାର ସାହାଯ୍ୟ ପାଇଁ ୯୪୩୭୦୯୭୫୧୪ ମୋବାଇଲ୍ ନମ୍ବରରେ ପ୍ରଭାସଙ୍କୁ ଯୋଗାଯୋଗ କରିପାରିବେ, ନଚେତ୍ [email protected]କୁ ଇମେଲ୍ ପଠାଇପାରିବେ।