ସିଏଜି ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ : ଔଷଧ ଯୋଗାଇବାରେ ନିଗମ ବିଫଳ

ପୁଳା ପୁଳା ଅନିୟମିତତା ଓ ଦୁର୍ନୀତି ହୋଇଛି

ଭୁବନେଶ୍ବର :ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପୁଳାପୁଳା ଦୁର୍ନୀତି, ଅର୍ଥ ତୋଷରପାତ, ସମ୍ପତ୍ତିର ଉପଯୁକ୍ତ ବିନିଯୋଗ ନକରି ପକାଇ ରଖିବା, ଅଯଥା ଖର୍ଚ୍ଚ ଆଦିକୁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ଧରିଛନ୍ତି। ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ସିଏଜି (ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ) ରିପୋର୍ଟରୁ ଏସବୁ ସତ୍ୟ ପଦାକୁ ଆସିଛି।

ସମୀକ୍ଷା ସମୟରେ ସିଏଜି ଜାଣିବାକୁ ପାଇଛନ୍ତି ଯେ, ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡରେ ବ୍ୟାପକ ଅନିୟମିତା ଓ ଦୁର୍ନୀତି ହୋଇଛି। ଔଷଧ ଓ ଚିକିତ୍ସା ଉପକରଣ ସଂଗ୍ରହଣ ପ୍ରକ୍ରିୟାରେ ମାତ୍ରାଧିକ ବିଳମ୍ବ ହୋଇଛି। କେତେକ କ୍ଷେତ୍ରରେ ଏହା ୬ ମାସରୁ ୧୭ ମାସ ପର୍ଯ୍ୟନ୍ତ ଡେରି ହୋଇଛି। ଚିକିତ୍ସାଳୟ ଗୁଡ଼ିକ ଦ୍ବାରା ୨୦୧୬-୧୯ ମଧ୍ୟରେ ମୋଟ ୬୯୨.୯୭ କୋଟି ସଂଖ୍ୟକ ଔଷଧ ମଗାଯାଇଥିଲା। କିନ୍ତୁ ଏଥିରୁ ନିଗମ ୩୩୬.୯୪ କୋଟି ବା ପ୍ରାୟ ୪୯ ପ୍ରତିଶତ ଔଷଧ ଯୋଗାଇ ଦେବାକୁ ସକ୍ଷମ ହୋଇଛି। ନିଗମ ଆବଶ୍ୟକ ପରିମାଣର ଅତ୍ୟାବଶ୍ୟକ ଔଷଧ ଓ ଉପକରଣ ଯୋଗାଇବାରେ ବିଫଳ ହେବା କାରଣରୁ ଚିକିତ୍ସା ସେବା ଗୁରୁତର ପ୍ରଭାବିତ ହୋଇଛି। କେବଳ ସେତିକି ନୁହେଁ, ଚିକିତ୍ସା ପ୍ରତିଷ୍ଠାନ ଗୁଡ଼ିକ ଏସବୁ ଔଷଧକୁ ସ୍ଥାନୀୟ ବଜାରରୁ ଉଚ୍ଚା ଦରରେ କିଣିଛନ୍ତି ଯାହାଫଳରେ ରାଜକୋଷକୁ କ୍ଷତି ପହଞ୍ଚିଛି। ସିଏଜି ନମୁନା ଯାଞ୍ଚ କରିଥିବା ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ଦ୍ବାରା ୨.୨୪ କୋଟି ଟଙ୍କାର ଔଷଧ ସ୍ଥାନୀୟ ବଜାରରୁ କିଣାଯିବା ଦ୍ବାରା ୯୮.୧୨ ଲକ୍ଷ ଟଙ୍କା ବା ୪୪ ପ୍ରତିଶତ ଅଧିକ ଖର୍ଚ୍ଚ ହୋଇଥିଲା।

କେବଳ ସେତିକି ନୁହେଁ, ୨୦୧୬-୧୯ ମଧ୍ୟରେ ଔଷଧ ନିଗମ ଅନୁମୋଦିତ କ୍ରୟ ପରିମାଣ ବିପକ୍ଷରେ ମାତ୍ର ୪୩ ପ୍ରତିଶତ ଗୁଣାତ୍ମକ ଔଷଧ ସରଞ୍ଜାମ, ଯନ୍ତ୍ରପାତି ଏବଂ ଆସବାବ ପତ୍ର (ଇଆଇଏଫ୍‌) କ୍ରୟ କରିଥିଲା। ଏପରିକି ୨୦୧୯ ଜୁନ ସୁଦ୍ଧା କ୍ରୟ କରାଯାଇଥିଲା। ଇଆଇଏଫ୍‌ର ୧୯ ପ୍ରତିଶତ ସ୍ଥାପନ କରାଯାଇ ନଥିଲା। ସେଗୁଡ଼ିକ ବିଭିନ୍ନ ଅନୁମୋଦିତ ସଂସ୍ଥା ନିକଟରେ ପଡ଼ି ରହିଥିଲା।

ଔଷଧ ପରିଚାଳନାର ଅନ୍ୟ ଏକ ଗୁରୁତର ତ୍ରୁଟିକୁ ମଧ୍ୟ ସିଏଜି ଧରିଛନ୍ତି। ତାହା ହେଲା ଇ-ନିରାମୟ ସଫ୍ଟୱେର ମାଧ୍ୟମରେ ଔଷଧର ଇଣ୍ଡେଣ୍ଟ୍‌, ବଣ୍ଟନ, ବ୍ୟବହାର ଏବଂ ଷ୍ଟକ୍ ସ୍ଥିତିର ପର୍ଯ୍ୟାଲୋଚନା ଠିକ୍ ଭାବରେ କରା ନଯିବା କାରଣରୁ ୨୦୧୭ ଏପ୍ରିଲରୁ ୨୦୧୯ ମେ’ ମଧ୍ୟରେ ୪.୧୮ କୋଟି ଟଙ୍କା ମୂଲ୍ୟର ୩୪୯ ପ୍ରକାରର ଔଷଧର ବୈଧତା ସମୟ ସୀମା ସମାପ୍ତ ହୋଇଯାଇଥିଲା। ସଂଖ୍ୟା ଦୃଷ୍ଟିରୁ ଏଗୁଡ଼ିକ ୪.୮୮ କୋଟି ୟୁନିଟ୍‌। ବୈଧତା ସରି ଯାଇଥିବା ସେହି ସବୁ ଔଷଧଗୁଡ଼ିକ ୩୯ଟି ପଣ୍ୟାଗାରରେ ପଡ଼ି ରହିଥିଲା।

ସ୍ବାସ୍ଥ୍ୟ ବିଭାଗ, ରାଜ୍ୟ ଔଷଧ ପରିଚାଳନା ୟୁନିଟ୍, ଔଷଧ ନିଗମ ଏବଂ ସ୍ବାସ୍ଥ୍ୟ ସଂସ୍ଥାଗୁଡ଼ିକ ସ୍ତରରେ ଠିକ୍ ପରିଚାଳନାର ଅଭାବ ଏବଂ ଅବ୍ୟବହୃତ ଔଷଧର ସମୟ ସୀମା ସମାପ୍ତ ଓ ଅଧିକ ପରିମାଣର ଯୋଗାଣ ହେତୁ ସମ୍ବଳର ଅପଚୟ ହୋଇଛି। ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ରୋଗୀମାନଙ୍କୁ ନିରବଚ୍ଛିନ୍ନ ଭାବରେ ଅତ୍ୟାବଶ୍ୟକ ଔଷଧଗୁଡ଼ିକୁ ଯୋଗାଇବାରେ ସରକାର ବିଫଳ ହୋଇଥିବା ସିଏଜି କହିଛନ୍ତି।

ଔଷଧ ଯୋଗାଣକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ନିଗମ ଅନୁଚିତ ଅନୁଗ୍ରହ ଦେଖାଇଛି। ୨୦୧୮ ଜୁଲାଇ ମାସିରେ ନିଗମ ପକ୍ଷରୁ ଏକ ସଂସ୍ଥାକୁ ୭ ଲକ୍ଷ ୩୨ ହଜାର ଟଙ୍କା ମୂଲ୍ୟର ଲେଭୋଫ୍ଲୋକ୍ସାସିନ୍ ବଟିକା ଯୋଗାଣ ପାଇଁ ଆଦେଶ ପ୍ରଦାନ କରିଥିଲେ। କିନ୍ତୁ ‌ସେହି ସଂସ୍ଥା ୭୦ ଦିନର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଔଷଧ ଯୋଗାଇବାରେ ବିଫଳ ହୋଇଥିଲା। ଆଦେଶ ପାଳନ ହୋଇ ନଥିବାରୁ ଉକ୍ତ ସଂସ୍ଥାକୁ ନିଗମ ଏକ କାରଣ ଦର୍ଶାଅ ନୋଟିସ ୨୦୧୯ ଫେବ୍ରୁଆରି ୪ ତାରିଖରେ ଜାରି କରିଥିଲା। କଞ୍ଚାମାଲ ମିଳିବାରେ ଅସୁବିଧା ଓ ଦରଦାମ ବୃଦ୍ଧି ଯୋଗୁ ଆଦେଶର ସଂପାଦନ ହୋଇ ପାରି ନଥିଲା ବୋଲି ଉକ୍ତ ଯୁକ୍ତି ବାଢ଼ିଥିଲା। ଚୁକ୍ତିନାମା ସର୍ତ୍ତରେ ବ୍ୟବସ୍ଥା ସତ୍ତ୍ବେ ନିଗମ କିନ୍ତୁ ଉକ୍ତ ଫାମଟିକୁ ଅସ୍ବୀକୃତ କରିବା କିମ୍ବା କଳା ତାଲିକାଭୁକ୍ତ କରିବା ଭଳି କୌଣସି କାର୍ଯ୍ୟ ଗ୍ରହଣ କରି ନଥିଲା। ପୁନଶ୍ଚ, ପୂର୍ବବର୍ଷ ଗୁଡ଼ିକରେ କୌଣସି ଯୋଗାଣ କରି ନଥିବା ୧୭ଟି ଫାର୍ମକୁ ନିଗମ ଅନୁଚିତ ଅନୁଗ୍ରହ ଦେଖାଇ ପରବର୍ତ୍ତୀ ବର୍ଷଗୁଡ଼ିକରେ ୫୫.୪୫ କୋଟି ଟଙ୍କାର ଅତିରିକ୍ତ ଯୋଗାଣ ଆଦେଶ ପ୍ରଦାନ କରିଥିଲା।

ଅତ୍ୟାବଶ୍ୟକ ଔଷଧର ଷ୍ଟକ୍ ନରହିବା
ବିଭିନ୍ନ ସ୍ତରରେ ଔଷଧର ଅତ୍ୟଧିକ କିମ୍ବା ଅଭାବୀ ଷ୍ଟକ ନହେବାକୁ ବିଭିନ୍ନ ସ୍ତରରେ ନ୍ୟୂନତମ ଷ୍ଟକ୍‌କୁ ସୁନିଶ୍ଚିତ କରିବା କାର୍ଯ୍ୟ ନିଗମ କରିଥାଏ। କିନ୍ତୁ ଅଡିଟ୍‌ରୁ ଜଣାଯାଇଛି ଯେ, ପଣ୍ୟାଗାର ଓ ଔଷଧ ବିତରଣ କାଉଣ୍ଟର‌ (ଡିଡିସି) ଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧ ଗୁଡ଼ିକର ନ୍ୟୂନତମ ଷ୍ଟକ ବଜାୟ ରହୁନାହିଁ। ନିଗମ ପକ୍ଷରୁ ସ୍ବଳ୍ପ ଯୋଗାଣ କିମ୍ବା ଆଦୌ ଯୋଗାଣ ନକରି ପାରିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୨୦୧୮-୧୯ରେ ନମୁନା ଯାଞ୍ଚ ହୋଇଥିବା ହସ୍ପିଟାଲ ଗୁଡ଼ିକରେ ସଂକଟ ସମୟରେ ଆବଶ୍ୟକ ହେଉଥିବା ଔଷଧ ଯଥା ଆଣ୍ଟି ବ୍ୟାକ୍ଟେରିଆଲ ଔଷଧ ଆଜିଥ୍ରୋମାଇସିନ୍‌-୫୦୦, ଆଣ୍ଟି ଆଲର୍ଜି ଔଷଧ କ୍ଲୋରୋଫେନିରାମାଇନ୍‌ ମିଲେଟ ବଟିକା, ଆଣ୍ଟି ହାଇପର ଟେନସନ ବଟିକା କ୍ଲୋପିଡୋଗରେଲ୍ ବଟିକା, ବିନ୍ଧା ଓ ଯନ୍ତ୍ରଣା ଉପଶମ ଔଷଧ ପେଣ୍ଟାଜୋସିନ୍ ଲାକ୍ଟେଟ୍ ଇଞ୍ଜେକସନ, ମଧୁମେହ ଉପଶମ ଔଷଧ ମେଟାପରଫିନ୍ ଏଚସିଏଲ ୫୦୦ ଆଦି ଉପଲବ୍ଧ ନଥିଲା।

ବର୍ହିରୋଗୀ ବିଭାଗର ହିତାଧିକାରୀ ସର୍ଭେ ସମୟରେ ସିଏଜି ଏହା ଜାଣିବାକୁ ପାଇଛନ୍ତି ଯେ, ୫୫୫ଟି ବିହିତ ଔଷଧ ମଧ୍ୟରୁ ୧୪୧ଟି ଔଷଧ ଯଥା ପାଣ୍ଟୋପ୍ରାଜଲ ୪୦, ଭିଟାମିନ ବି କମ୍ପ୍ଲେକ୍ସ ଟାବଲେଟ, କ୍ୟାଲସିୟମ ସିରପ, ସେଫିସ୍କାଇମ୍ ସିରପ୍‌, ଫେନୋବାର୍‌ବିଟୋନ୍ ସିରପ ଆଦି ରୋଗୀଙ୍କୁ ବଣ୍ଟନ କରାଯାଇ ନଥିଲା।

ସମ୍ବନ୍ଧିତ ଖବର