ଭୁବନେଶ୍ବର: କର୍ପୋରେଟର୍‌ ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଏବେ ବି ଫେରାର୍‌। ଦୁଇ ଦିନ ବିତିବା ପରେ ବି ପୁଲିସ ପ୍ରଭାତକୁ ଠାବ କରିପାରିନାହିଁ। ଗତ ପୌର ନିର୍ବାଚନରେ କର୍ପୋରେଟର୍‌ ପ୍ରାର୍ଥୀ ହୋଇଥିବା ପ୍ରଭାତ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସ ଉପରକୁ ଅଙ୍ଗୁଳି ଉଠିଛି। ପୁଲିସ ତାକୁ ଜାଣିଶୁଣି ଖସାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।

Advertisment

ଗତ ବୁଧବାର ରାତିରେ ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର କିଛି ଦୂରରେ ଗୁଳି କରାଗଲା। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ବାହାବା ନେଇଥିଲା। ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଘଟଣା ସମୟରେ ପୁଲିସ ତୁରନ୍ତ ପହଞ୍ଚିଥିଲା ଏବଂ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଗିରଫ କରିଥିଲା। ଗୋଟିଏ ଗାଡ଼ିରେ ଥିବା ପ୍ରଭାତଙ୍କ ବଡିଗାର୍ଡ ଦିବାକର କଳସା ଓ ରାଜା ସାହୁକୁ ଗିରଫ କରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ପ୍ରଭାତ କେମିତି ସେଠାରୁ ଖସିଗଲେ? ପୁଲିସ କ’ଣ ପାଇଁ ତାଙ୍କୁ କାବୁ କରିପାରିଲା ନାହିଁ। ତାଙ୍କୁ ଖସାଇଦିଆଗଲା କି? ତାଙ୍କୁ ଗିରଫ ନ କରିବାକୁ ପୁଲିସ ଉପରେ ଅଦୃଶ୍ୟ ଚାପ ରହିଛି କି? ଏସବୁକୁ ନେଇ ମାଳମାଳ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ପୁଲିସ ଜବତ କରିଥିବା ୨ ବନ୍ଧୁକ ମଧ୍ୟରୁ ଗୋଟିଏ ଲାଇସେନ୍ସପ୍ରାପ୍ତ ଏବଂ ଅନ୍ୟଟି ଚୋରା ବା ବେଆଇନ୍‌ ବୋଲି ଜଣାପଡ଼ିଛି। ପ୍ରଭାତଙ୍କୁ କିଏ ଚୋରା ବନ୍ଧୁକ ଯୋଗାଇଛି? ଏନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ସେହିପରି ଜବତ ବନ୍ଧୁକ, ଗୁଳି ଓ ଖୋକାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଏହାର ବାଲାଷ୍ଟିକ୍‌ ପରୀକ୍ଷଣ ପାଇଁ ରାଜ୍ୟ ଫରେନ୍‌ସିକ୍‌ ପରୀକ୍ଷାଗାରକୁ ପଠାଯାଇଛି। ଏହାଛଡ଼ା ଆଜି ପୁଲିସ ଉଭୟ ପକ୍ଷର ୮ରୁ ଅଧିକଙ୍କୁ ଡ଼ାକି ଜେରା କରିବା ସହ ସିଆର୍‌ପିସି ୧୬୧ରେ ବୟାନ ରେକର୍ଡ କରିଛି।

ଫୋରେନ୍‌ସିକ୍‌ ଲ୍ୟାବ୍‌ ଗଲା ଜବତ ବନ୍ଧୁକ, ଗୁଳି

ଉଭୟ ପକ୍ଷର ୮ଜଣଙ୍କ ବୟାନ ରେକର୍ଡ

ପ୍ରକାଶ ଥାଉ କି ବୁଧବାର ରାତି ପାଖାପାଖି ୧୧ଟା ସମୟରେ ପ୍ରଜାପତି ମଣ୍ଡପ ନିକଟରେ ଯାଉଥିବା ବେଳେ ପ୍ରଭାତ ମାର୍ଥା ଓରଫ୍‌ ଗୁଲ ମାର୍ଥାଙ୍କ ଗାଡ଼ି ଓ କର୍ପୋରେଟର ଶ୍ରୀଧରଙ୍କ ବଡ଼ ପୁତୁରା ଦୀପକ ଜେନାଙ୍କ ଗାଡ଼ି ମୁହାଁମୁହିଁ ହୋଇଥିଲା। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିମନ୍ଦ ଆରମ୍ଭ ହୋଇଥିଲା। ଖବର ପାଇ ପ୍ରଭାତଙ୍କ ସହଯୋଗୀ ଓ ଦୀପକଙ୍କ ଦାଦା ଶ୍ରୀଧର, ବାପା ଶିଖର ଏବଂ ସାନଭାଇ ଆଲୋକ ସେଠାରେ ପହଞ୍ଚିଥିଲେ। କଥା କଟାକଟିରୁ ସ୍ଥିତି ବିଗିଡ଼ିଥିଲା। ପ୍ରଭାତ ଓ ତା’ର ସହଯୋଗୀମାନେ ଦୁଇଟି ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିଲା। ଗୋଟିଏ ଗୁଳି ଶିଖରଙ୍କ ବାମ ଗୋଡ଼ରେ ବାଜିଥିବା ବେଳେ ଆଉ ଏକ ଗୁଳି ଆଲୋକଙ୍କ ଗୋଡ଼ରେ ବାଜିଥିଲା। ସେହିଭଳି ଅନ୍ୟ ଦୁଇଟି ଗୁଳି ଆଉ ଦୁଇ ଜଣଙ୍କ ଗୋଡ଼ରେ ସାମାନ୍ୟ ବାଜି ଖସିଯାଇଥିଲା। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।