ମହିଳା କର୍ପୋରେଟର୍‌ଙ୍କୁ କମିସନରଙ୍କ ପ୍ରଶ୍ନ: ଏତେ ଜେଇ ପ୍ରେମ କ’ଣ ପାଇଁ?

କମିସନରଙ୍କ ବଦଳି ଦାବି, ବୈଠକ ବର୍ଜନ ଚେତାବନୀ

କଟକ : କଟକ ପୌର ନିଗମର କମିସନର ନିଖିଲ ପୱନ କଲ୍ୟାଣ ମହିଳା କର୍ପୋରେଟର ପ୍ରଳୟା ବେଉରାଙ୍କୁ ସର୍ବସମ୍ମୁଖରେ ଆପତ୍ତିଜନକ ପ୍ରଶ୍ନ ପଚାରିବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ‘ଆପଣଙ୍କର ଏତେ ଜେଇ (ଇଂଜିନିୟର) ପ୍ରେମ ଓ ପ୍ରୀତି କ’ଣ ପାଇଁ’ ବୋଲି ପ୍ରଶ୍ନ କରିଥିବା କୁହାଯାଉଛି। କମିସନରଙ୍କ ଏପରି ମନ୍ତବ୍ୟକୁ ବିରୋଧ କରି ସମସ୍ତ କର୍ପୋରେଟର ବିଜୁଭବନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦେଇଛନ୍ତି। ସେମାନେ କମିସନରଙ୍କ ବଦଳି ଦାବି କରିବା ସହିତ ଆଗାମୀ ଦିନରେ ନିଗମର ସମସ୍ତ ବୈଠକକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୌର ନିଗମର ୫୯ଟି ୱାର୍ଡର ଇଂଜିନିୟରଙ୍କ ବଦଳି ନିର୍ଦ୍ଦେଶକୁ ରଦ୍ଦ କରିବା ଦାବିରେ କମିସନରଙ୍କ ସହିତ କର୍ପୋରେଟରମାନଙ୍କ ଆଲୋଚନା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

କଟକ ପୌର ନିଗମ କାର୍ଯ୍ୟାଳୟରେ ହଟଚମଟ
ପ୍ରତିବାଦରେ ସବୁ କର୍ପୋରେଟରଙ୍କ ଧାରଣା

ତଥ୍ୟ ଅନୁଯାୟୀ, ପୌର ନିଗମର ୫୯ଟି ୱାର୍ଡରେ କାମ କରୁଥିବା ଇଂଜିନିୟରଙ୍କୁ ଗତ କିଛିଦିନ ତଳେ ବଦଳି କରାଯାଇଥିଲା। ୱାର୍ଡରେ କାମ କରୁଥିବା ଇଂଜିନିୟରଙ୍କ ମଧ୍ୟରେ ହୋଇଥିବା ବଦଳିକୁ ୪୦ରୁ ଅଧିକ କର୍ପୋରେଟର ବିରୋଧ କରିବା ସହ ବଦଳି ନିର୍ଦ୍ଦେଶନାମାକୁ ରଦ୍ଦ କରିବକୁ ଦାବି କରିଥିଲେ। ମେୟର, କମିସନର ଓ ୱାର୍କସ୍‌ କମିଟିର ଅଧ୍ୟକ୍ଷଙ୍କୁ ଏପରି ଦାବି ନେଇ ଲିଖିତ ଭାବେ ଅବଗତ କରାଇଥିଲେ। ଇଂଜିନିୟରମାନଙ୍କ ବଦଳି ନିର୍ଦ୍ଦେଶ ଉପରେ ଆଜି ଦିନ ସାଢ଼େ ଏଗାରଟାରେ କମିସନରଙ୍କ ସହିତ କର୍ପୋରେଟରଙ୍କ ଆଲୋଚନା ହୋଇଥିଲା। ଆଲୋଚନାରେ ୪୬ ନମ୍ବର କର୍ପୋରେଟର ପ୍ରଳୟା ବେଉରାଙ୍କୁ ‘ଆପଣଙ୍କ ଏତେ ଜେଇ ପ୍ରେମ ଓ ପ୍ରୀତି କ’ଣ ପାଇଁ’ ବୋଲି କମିସନର ପ୍ରଶ୍ନ କରିଥିଲେ। ଜଣେ ମହିଳା କର୍ପୋରେଟରଙ୍କ ପ୍ରତି କମିସନରଙ୍କ ଏପରି ବକ୍ତବ୍ୟକୁ ସବୁ କ‌ର୍ପୋରେଟର ବିରୋଧ କରିବା ସହ ଆଲୋଚନାରୁ ଉଠି ଆସିଥିଲେ। ଏ ସଂପର୍କରେ ସେମାନେ ମେୟର ସୁବାସ ସିଂହଙ୍କ ନିକଟରେ ଫେରାଦ ହେବା ସହ ବିଜୁଭବନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କାର୍ଯ୍ୟାଳୟର ଫାଟକରେ ତାଲା ପକାଇ କମିସନରଙ୍କ ବଦଳି ଦାବିରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମେୟର ବାରମ୍ବାର କର୍ପୋରେଟରଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିବା ବେଳେ କର୍ପୋରେଟର ମାନେ ଶୁଣି ନଥିଲେ। ମେୟର ଧାରଣାସ୍ଥଳକୁ ଏକାଧିକ ଥର ଆସିଥିବା ବେଳେ କମିସନର ଥରେ ବି ନଆସିବାକୁ ନେଇ କର୍ପୋରେଟର ମାନେ ଅଧିକ ଅସନ୍ତୋଷ ପ୍ରକାଶ କରିଥିଲେ। ବିକ୍ଷୋଭକୁ ଦେଖି ପୁଲିସ ବିଜୁଭବନ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଫଳରେ, ଏଭଳି ପୁଲିସ ଡକା ଯିବାକୁ ବିରୋଧ କରି କର୍ପୋରେଟର ମାନେ ଆସନ୍ତାଦିନରେ ନିଗମର ସମସ୍ତ ବୈଠକକୁ ବର୍ଜନ କରିବେ ବୋଲି କହି ବିଜୁ ଭବନ କାର୍ଯ୍ୟାଳୟ ବାହାରକୁ ଚାଲି ଆସିଥ‌ିଲେ।

ଘଟଣା ସଂପର୍କରେ କର୍ପୋରେଟର ପ୍ରଳୟା ବେଉରା କହିଛନ୍ତି, କାଉନସିଲ୍‌ରେ ଦୀର୍ଘ ୧୫ ବର୍ଷର ଅନୁଭବ ଭିତରେ ମୁଁ ଏଭଳି ବ୍ୟବହାର କେବେ ଦେଖି ନାହିଁ। କମିସନର ମୋ ଭଳି ଜଣେ ମହିଳା କର୍ପୋରେଟରଙ୍କୁ ଏହିଭଳି କହିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ସେହିଭଳି ବରିଷ୍ଠ କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ ମଧ୍ୟ ଏଭଳି ଘଟଣାକୁ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର